
ଷ୍ଟେସନ ଆସି ଦେଖିଲୁ ଦଶ ମିନିଟ ଲେଟରେ ଆସିବ ରେଳଗାଡି । ମାନସୀକୁ ବସେଇ ଦେଇ ପାନ ଖାଇବାକୁ ଚାଲିଗଲି । ସାଧାରଣ ଭାବେ ଦିନରେ ମୁଁ ଦୁଇଖଣ୍ଡ ପାନ ଖାଏ । ମନ ଏତେ ଖୁସି ଥିଲା ଯେ, ପାଞ୍ଚଖଣ୍ଡ ପାନ ଅର୍ଡର କଲି । ଗାଡି ଆସି ଏକ ନମ୍ବର ପ୍ଲାଟଫର୍ମରେ ଛିଡା ହେଲା । ପାଖାପାଖି ଦୁଇଟି ସିଟ ପାଇ ଆମେ ବସି ପଡିଲୁ । ମୁଁ ଭାରି ଖୁସି ବୋଲି ମାନସୀ ଅନୁଭବ କରୁଥାଏ । ପଚାରିଲା, "ବାପା ! ଏତେ ଖୁସି କାହିଁକି ? ମୋତେ ବାହା ଦେବ ବୋଲି ଦୁଇବର୍ଷ ହେଲା ରାତିରେ ତୁମକୁ ନିଦ ହେଉନି । ବାହାଘର ପରେ ତୁମକୁ କଣ ମୁଁ ସାହାଯ୍ୟ କରି ପାରିବି ??? ଚାକିରୀ ପାଇଲି ସତ, କିନ୍ତୁ ପରଘରକୁ ।" ଏତିକି କହି ଦୁଇ ଟୋପା ଲୁହ ଝରେଇ ଦେଲା ମାନସୀ । ମୁଁ ନିଜକୁ ନିୟନ୍ତ୍ରଣ କରି କହିଲି, "ମାନସୀ ! ପଇସା କଣ ହେବ କହିଲୁ । ବର୍ଷସାରା ଯେତିକି ପୋଟଳ ଓ କାକୁଡି ବିକୁଛି, ସେତିକି ଆମ ପାଇଁ ଯଥେଷ୍ଟ । ଝିଅ ପାଖରୁ କେହି କଣ କିଛି ଆଶା ରଖେ । ମୁଁ ଏଇଥି ପାଇଁ ଖୁସି ଯେ କେହି ପଚାରିଲେ କହିବି, ମୋ ଝିଅ ସରକାରୀ ଡାକ୍ତରଖାନରେ ଷ୍ଟାଫନର୍ସ ! କହିଲା ବେଳକୁ ମୋ ଛାତିଟା କୁଣ୍ଢେ ମୋଟ ହେଇଯିବ ନା.. । ୟା ଠୁ ଅଧିକ ଆଉ କଣ ଦରକାର କହିଲୁ । ଆମ ପଞ୍ଚାୟତ ସାରା ଘୁରି ଆସିଲୁ, କେତେଜଣ ଝିଅ ସରକାରୀ ଚାକିରି କରୁଛନ୍ତି ।" ଚାକିରିଆ ଝିଅର ବାପ କହି ମୁଁ ମୋ ଛାତିରେ ହାତ ଥାପୁଡ଼େଇଲି । ମାନସୀ ହସିଦେଲା । ଆକାଶରୁ ଖସି ଆସୁଥିବା ତାରାକୁ ଧରି ପାରିଲେ କେତେ ସୌଭାଗ୍ୟର କଥା । ହଳଦୀବସନ୍ତ ପକ୍ଷୀ କେତେ ବିରଳ । ବର୍ଷା ନ ଥାଇ ଇନ୍ଦ୍ରଧନୁ ଅସମ୍ଭବ ନୁହେଁ । ସବୁ ବିଧିର ବିଧାନ । ମାନସୀ ପରି ଝିଅର ବାପା ହେବା ଭଗବାନଙ୍କ ଇଚ୍ଛା ନୁହେଁ ତ ଆଉ କଣ !
ଗାଡିରେ ବସିଲେ ମାନସୀ ଶୋଇଯାଏ । ସତକୁ ସତ ସେ ବି ଶୋଇଗଲା । ତା ବୋଉ ମୋତେ ଫୋନ କଲା ବୋଧେ । ମୁଁ ପାଠ ପଢିନି ବୋଲି ଜାଣି ପାରେନି କିଏ ଫୋନ କରିଛି । ଏମିତି ଫୋନ ଉଠେଇ କଥାହୁଏ । ସତକୁ ସତ ତା ବୋଉର ହିଁ ଫୋନ ଥିଲା । କହିଲା, "ଘରଭଡା ଅଗ୍ରୀମ ନଦେଲେ ସେ ଲୋକ କଣ ଭଡା ଦବ । ମାନସୀ ଫୋନ କରିଥିଲା, ଡାକ୍ତରଖାନାରେ ଷ୍ଟାଫନର୍ସ ପାଇଁ କ୍ୱାର୍ଟର ନାହିଁ । ପାଖରେ ଗୋଟାଏ ଘର ଭଡାରେ ମିଳୁଛି । ମାସକୁ ତିନି ହଜାର ନବ ବୋଲି କହୁଛି । ତା ବ୍ୟତୀତ ମାନସୀ ହାତରେ ଦୁଇ ହଜାର ଟଙ୍କା ଅତି କମରେ ନ ଦେଲେ ସେ ମାସ ସାରା ଚଳିବ କେମିତି ?" "ଶୁଣ... ମୁଁ ଧୀରେ କହୁଛି । ପାଖରେ ଶୋଇଛି ସେ । ଶୁଣି ନବ ।
ପାଞ୍ଚ ହଜାର ଶହେ ପଚାଶ ଟଙ୍କା ଆଣିଛି । ତିନି ହଜାର ଅଗ୍ରୀମ ବାବଦରେ ଆଉ ଦୁଇ ହଜାର ମାନିର ହାତଖର୍ଚ୍ଚ ପାଇଁ । ପାଞ୍ଚ ହଜାର ତା ବ୍ୟାଗ ଭିତରେ ମୁଁ ରଖି ଦେଇଛି । ଆମ ଦୁଇଜଣଙ୍କ ଟିକେଟ ଖର୍ଚ୍ଚ ଓ ଟୁକ୍ ଟାକ ଖାଇବା ଖର୍ଚ୍ଚ ଭାବି ନିଅ ପଚାଶ କି ସାଠିଏ ଟଙ୍କା ଲାଗିବ । ତା ପରେ ଟିକେଟ ପାଇଁ ତିରିଶ ଟଙ୍କା ରହୁଛି । ମୁଁ ଘରେ ପହଞ୍ଚିଯିବି । କାଲି କୁଇଣ୍ଟାଲେ ଭେଣ୍ଡି ବିକ୍ରି ହେବ । ଏତେ ଚିନ୍ତା କାହିଁକି ?"
ଉଡନ୍ତା ସ୍ଵପ୍ନ ପରି ମନଟା ମୋର ବିଚରଣ କରୁଥିଲା । ମୋ ଜୀବନ ଇତିହାସର କିଛି ପ୍ରଥମ ପୃଷ୍ଠା ଭିତରେ । ଏଇ ମାନସୀ ପାଇଁ କୋର୍ଟ କଚେରୀ, ଏମିତି କେତେ କଥା ଘଟି ଯାଇଛି ମୋ ଜୀବନରେ । ଆମ ବ୍ଲକ ହସ୍ପିଟାଲରେ କେତେ ବଡ ଭ୍ରଷ୍ଟାଚାର ସଂଗଠିତ ହେଇଥିଲା, ମନେ ପଡିଲେ ଆଜି ବି ଲୋମ ଟାଙ୍କୁରି ଉଠେ । ପ୍ରଥମେ ପୁଅ ହେଇଛି ବୋଲି ମୋତେ ଖବର ଦେଲେ, ଯିବାବେଳକୁ ଝିଅ । ଆଜି ବି ସେଇ ଷ୍ଟାଫନର୍ସ କହେ, ତମର ପୁଅ ହେଇଥିଲା । କିନ୍ତୁ କଣ ହେଲା ମୁଁ ବୁଝି ପାରିଲିନାହିଁ । କୋର୍ଟ କଚେରୀ କଲି, ଭାବିଲି ଛ' ମାସ ଭିତରେ ଶୁଣାଣି ହେବ । ପ୍ରଥମେ ପ୍ରଥମେ ଦଶ ବାର ଥର ମୁଁ କୋର୍ଟ ଯାଇଛି । ତା ପରେ ଦଶବର୍ଷ କିଛି ଖବର ନ ଥିଲା । ଗତବର୍ଷ ନୋଟିସ ଆସିଲା କୋର୍ଟରୁ । କୋଡିଏ ତାରିଖରେ ଶେଷ ଶୁଣାଣି । ମୋତେ ଯିବାକୁ ହେବ । ଭାରି ଖୁସି ହେଇ ଯାଇଥିଲି ସେଦିନ । ମୋ ପୁଅକୁ ମୁଁ ନିଶ୍ଚୟ ଫେରି ପାଇବି । ରାତିରେ ତା ବୋଉ ପାଖରୁ ଉଠି ଆସି ମୋ ପାଖରେ ମାନସୀ କେତେବେଳେ ଶୋଇ ଯାଇଛି ମୁଁ ଜାଣିପାରିନି । କୋଡିଏ ବର୍ଷର ମାନସୀ, ଗୋଟାଏ ମୁହୂର୍ତ୍ତ ମୋତେ ଛାଡ଼ି ରହି ପାରେନି । ତା ମୁହଁକୁ ଅନେଇ ପଡି ରହିଲି ବିଛଣାରେ । ସ୍ନେହର ଡୋରି କେତେ ମୋଟା । କୋର୍ଟ ଯିବାକୁ ଇଚ୍ଛା ହେଲା ନାହିଁ । ଓକିଲ ପାଖରୁ ଖବର ପାଇଲି, ମୁଁ କେସ ହାରି ଯାଇଛି । ଜୀବନରେ ପ୍ରଥମ ଥର ହାରିବା ପରେ ବି କାହିଁକି କେଜାଣି ମୁଁ ଖୁସିଥିଲି । ହାରି କି ଜିତିଲା ପରି ଅନୁଭବ କଲେ ସମସ୍ତେ ବାଜିଗର କହନ୍ତି । ସତରଞ୍ଜ ଖେଳଟା ଠିକ୍ ସେମିତି । ଅପରପକ୍ଷର ରାଜା ରାଣୀଙ୍କୁ କ୍ଷତାକ୍ତ କରି ହାରିଗଲେ ଖୁବ୍ ଜିତିଲା ପରି ଲାଗେ... ।
ମାନସୀକୁ ଥଇଥାନ କରି ଷ୍ଟେସନକୁ ବାହାରିଲା ବେଳକୁ ମାନସୀ କହିଲା, "ବାପା ! ଏଇ ଦୋକାନକୁ ଆସ । ଦୁଇ ପ୍ୟାକେଟ ଡାଇବେଟିସ ବିସ୍କୁଟ ରଖ, ରାସ୍ତାରେ ଖାଇବ । ଦୁଇ ପ୍ୟାକେଟ ବଟର ମିଲ୍କ ରଖ ତମ ବ୍ୟାଗ ଭିତରେ । ମଝିରେ ମଝିରେ ପିଇବ । ମିନେରାଲ ୱାଟର ବଟଲ ଦେଉଛି, ତମକୁ ଭାରି ଶୋଷ ହୁଏ ମୁଁ ଜାଣିଛି । ପାଣି ପିଇବ। ଏଠୁ ସେଠୁ ପାଣି ପିଇବ ନାହିଁ । ପାଞ୍ଚୋଟି ଅଳ୍ପ ଜର୍ଦା ପାନ ରଖ, ମଝିରେ ମଝିରେ ଚୋବେଇବ । ଏବେ ଯାଅ... ଟ୍ରେନ ଟାଇମ୍ ହେଇଗଲାଣି । ପ୍ରାୟ ତିନି ଘଣ୍ଟା ଲାଗିଯିବ । ଡାକ୍ତରଖାନା ଫୋନରୁ ମୁଁ ସଞ୍ଜରେ କଥାହେବି ।"
ଘରେ ପହଞ୍ଚୁ ପହଞ୍ଚୁ ଦେଖିଲି ମାନସୀର ବୋଉ ଫୋନରେ କଥା ହେଉଛି କାହା ସହିତ । ତାକୁ କମ୍ ଶୁଣାଯାଏ ବୋଲି ସେ ସ୍ପିକର୍ ଅନ୍ କରି କଥାହୁଏ । ସେ ପଟରୁ ମାନସୀ ବୋଧେ.. । ଛିଡାହୋଇ ଶୁଣିଲି ମାନସୀ କଣ କହୁଛି ! "ବୋଉ ! ଦେଖ୍... ବାବା କେମିତି ମୋବାଇଲଟା ବି ମୋ ପାଇଁ ଛାଡି ଦେଇ ଯାଇଛନ୍ତି" କହି କାନ୍ଦି ପକେଇଲା । କିଛି ସମ୍ପର୍କ ବୋଧେ ଏମିତି, ସବୁ ଦେଇସାରି ବି ମନ ବୁଝେନା । "କହିଲୁ ବୋଉ, ଏତେ ବଡ ସାଗରଟା, କେତେ ଭଲପାଏ ତା ବେଳାଭୂଇଁକୁ । ସବୁକିଛି ଆଣି ଥୋଇଦିଏ ତା ଉପରେ, ଠିକ୍ ବାପା ବୋଉଙ୍କ ପରି । ମୁଁ ଶୋଇଥିଲା ବେଳେ ସବୁକଥା ମୁଁ ଶୁଣିଛି । ତାଙ୍କ ପାଖରେ ପାନ ପାଇଁ ବି ପଇସା ନ ଥିଲା, ଖାଇବା ତ ଦୂରର କଥା । ତାଙ୍କ ହାତଧରି ଚାଲିବା ଶିଖିବାଠୁ ଆରମ୍ଭ କରି ଆଜି ଚାକିରୀର ପ୍ରଥମ ଦିନ ଓ ଗୋଟେ ଚାକିରିଆ ଝିଅର ବାପା ବୋଲି ଅନେକଙ୍କୁ ପରିଚୟ ଦେବା ଭିତରେ କେତେ ମାଇଲଖୁଣ୍ଟ ମୁଁ ଅତିକ୍ରମ କରିଛି, ମୁଁ ନିଜେ ବି ଜାଣିନି । ସାରା ଜୀବନ ପୋଟଳ ଓ ଭେଣ୍ଡି ବିକ୍ରି କରି ମୋ ପାଇଁ ସବୁ କରିସାରିବା ପରେ, ମୋ ବାପା ସବୁବେଳେ ଶୂନ୍ୟହସ୍ତ । କାଲି ଭେଣ୍ଡି ବିକ୍ରି ହେବ କହି ଅଭାବର ଅନେକ ମୁହୂର୍ତ୍ତକୁ ଟାଳି ଦେବାର ଅଭିନୟ ଭିତରେ ସମୃଦ୍ଧ ପରିପକ୍ଵତାର ପରିଚୟ ଦିଅନ୍ତି ମୋ ବାପା । ବାପାଙ୍କୁ କହିବୁ, ମୋ ବାହାଘର ଆଉ ବର୍ଷେ ଅଟକାଇ ଦେବାକୁ । ମୋ ପାଇଁ ତାଙ୍କ ଭେଣ୍ଡି, ପୋଟଳ ବଗିଚାରେ ପ୍ରତିଟି ମାଂସପେଶୀକୁ ମାଟି ସହିତ ମିଶାଇ ଦେଇଛନ୍ତି ସେ । ବିନା ମାଂସପେଶୀରେ ଏବେ ବି ତାଙ୍କ ହାଡ କଥା କୁହେ । ତୁମ ଦୁହିଁଙ୍କ ପାଇଁ କିଛି କରିବାକୁ ସୁଯୋଗ ଦେ ବୋଉ । ବୋଉ... ! ଆଉ ଗୋଟେ କଥା ପଚାରିବି ପଚାରିବି ବୋଲି କେବେ ପଚାରି ପାରେନି । ସାଙ୍ଗ ମାନଙ୍କ ପାଖରୁ ଶୁଣିଥିଲି, ବାପା କଣ ଗୋଟାଏ କେସ୍ ରେ ହାରି ଯାଇଛନ୍ତି ।"
"ହୁଁ, ପାଗଳୀ... ଜମିବାଡି କଥା ତୁ ବୁଝି ପାରିବୁ ନାହିଁ ।"
ଫୋନ କଟିଗଲା ବୋଧେ... । ପଛକୁ ଅନେଇ ସୁରଭି ମୋତେ ଦେଖିଲା ବେଳକୁ ମୋ ଆଖିରୁ ବି ଦୁଇଟୋପା ଲୁହ ବହି ଆସିଥିଲା !! ନିଜକୁ ନିୟନ୍ତ୍ରଣ କରି ମାନସୀ କିଣି ଦେଇଥିବା ସବୁ ଜିନିଷକୁ ମୁଁ ଢାଳି ଦେଲି ସୁରଭିଙ୍କ ଆଗରେ । ବିସ୍କୁଟ, ବଟର ମିଲ୍କ, ମିନେରାଲ ୱାଟର । କହିଲି, "ମାନସୀ କିଣି ଦେଇଛି । ଆମ କଥା ସେ କେମିତି ଶୁଣିଲା କେଜାଣି । ମୋ ହାତରେ କିଛି ପଇସା ନାହିଁ ବୋଲି..., ବୋଧେ ଏଇସବୁ କିଣି ଦେଇଛି ମାନସୀ.. ।
ଆସ ସୁରଭି, ବାହାରେ ଖଟିଆରେ ବସି ଦୁହେଁ ମିଶି ଖାଇବା । ହଁ, କୋର୍ଟ କଚେରୀ କଥା ତାକୁ କେବେ ବି କହିବ ନାହିଁ । ସୁରଭିର ହସ ଭିତରେ ବିରାଟକାୟ ଏକ ଅସହାୟତାକୁ ଦେଖୁ ଦେଖୁ ମୁଁ ବି ହସିଦେଲି.. ମହାଆନନ୍ଦରେ । କାହିଁକି କେଜାଣି.. ବୋଧେ ନିଜ ରକ୍ତ ସମ୍ପର୍କଠୁ ବଳି ଆଉ କେହି ଜଣେ ଅତି ନିଜର ହେଇ ଯାଇଛି ଆମ ଜୀବନରେ... । ପରିଚୟ ନ ଥାଇ କି ବି ଅତି ପରିଚିତା ସେ... ।
ନିତ୍ୟାନନ୍ଦ ନନ୍ଦି
ଦୁନ୍ଦକୋଟ, ବାଲେଶ୍ଵର
ଗଳ୍ପଟି ବହୁତ ହୃଦୟଛୁଆଁ ହୋଇଛି
ReplyDeleteଆଖିରେ ଲୁହ ଆସିଗଲା, ବଢିଆ ଲେଖା
ReplyDelete