ଆମ ବିଷୟରେ

ବଣମଲ୍ଲୀର ମହକ ହେଉଛି ଆଜିର ଡିଜିଟାଲ ଜଗତରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ୱେବ ଜର୍ଣ୍ଣାଲ, ଯାହା ଓଡିଆ ଲେଖକ ମାନଙ୍କ ସୃଜନୀକୁ ବିଶ୍ଵର ଓଡିଆ ପାଠକମାନଙ୍କ ନିକଟରେ ଉପସ୍ଥାପିତ କରିଥାଏ । ୨୦୧୬ ମସିହାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଓଡିଆ ପାଠକ ବଣମଲ୍ଲୀର ମହକ ଡିଜିଟାଲ ପୋର୍ଟାଲକୁ ବ୍ୟବହାର କରି ନିଜ ନିଜର ସାହିତ୍ୟିକ ସୃଜନଶୀଳତାକୁ ପରିପ୍ରକାଶ କରିବା ସହିତ ଓଡିଆ ଭାଷା ସାହିତ୍ୟର ସମୃଦ୍ଧି ଦିଗରେ ନିଜକୁ ସାମିଲ କରିପାରିଛନ୍ତି । ଓଡିଆ ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଉଥିବା କିଛି ସାରସ୍ଵତ ପ୍ରେମୀ ଓ ସଂସ୍କୃତି ସଚେତକଙ୍କ ପ୍ରଚେଷ୍ଟାରେ ଏହାର ସୃଷ୍ଟି । ବୈଷୟିକ ବିକାଶଧାରାରେ ଓଡିଆ ସାହିତ୍ୟ ଓ ସଂସ୍କୃତିର ଆଦର ଅଭ୍ୟର୍ଥନା ପୂର୍ବକ ଇଣ୍ଟରନେଟ ଜରିଆରେ ବିଶ୍ଵବ୍ୟାପୀ ସୃଜନଶୀଳ ପ୍ରସାରଣ ଏହି ଅଭିଯାନର ମୂଳଲକ୍ଷ୍ୟ । ନୂଆ ସକାଳର ସୂର୍ଯ୍ୟକୁ ଦେଖିବା ପୂର୍ବରୁ ଅରଣ୍ୟରେ ସମସ୍ତଙ୍କ ଅଗୋଚରରେ ଝଡି ପଡିଥାଏ ବଣମଲ୍ଲୀଟିଏ । କିନ୍ତୁ ଆଜିର ଏହି ୱେବ ଜର୍ଣ୍ଣାଲ ସେଇ ବଣମଲ୍ଲୀର ମହକକୁ ସମଗ୍ର ବିଶ୍ଵ ଜନମାନସରେ ପହଞ୍ଚାଇବାର ଏକ ଯୁଗାନ୍ତକାରୀ ସ୍ରୋତରେ  ନିଜକୁ ସାମିଲ କରିଛି । ହୁଏତ ଏହି ଧାରାରେ ସେ କେତେ ସଫଳ ହେବ ତାହା ସମୟ କହିବ ।

ପରିବର୍ତ୍ତନଶୀଳ ମାନସିକତା..

ଯୁଗର ଆଜି ଅନେକ ପରିବର୍ତ୍ତନ । ଆଜିର ଏହି ପରିବର୍ତ୍ତନ ଧାରାରେ ମଣିଷର ମାନସିକତାରେ ମଧ୍ୟ ଅଦ୍ଭୁତ୍ତପୂର୍ବ ପରିବର୍ତ୍ତନ ଘଟୁଛି । ବିଶେଷ କରି ଏହାର ରୂପରେଖ ଆମ ଯୁବପିଢି ମାନଙ୍କ ନିକଟରେ ଅଧିକ ଅନୁଭୂତ ହୋଇଥାଏ । କମ୍ପୁଟର ଓ ମୋବାଇଲ ଫୋନ ମାଧ୍ୟମରେ ପଢିବାର ସଉକ ଆଜିର ଯୁବପିଢି ମାନଙ୍କ ନିକଟରେ ଢେର ଅଧିକ । ତେଣୁ ଏହି ବୈଜ୍ଞାନିକ ବିକାଶ ଧାରା ସହିତ ତାଳ ଦେଇ ଆମ ସାହିତ୍ୟର ରୂପରେଖ ପ୍ରସ୍ତୁତ କରିବାର ଆବଶ୍ୟକତାକୁ ଆମେ କଦାପି ଅଣଦେଖା କରିପାରିବା ନାହିଁ ବରଂ ଏହାର ଆଦରକୁ ଆମକୁ ଗ୍ରହଣ କରିବାକୁ ପଡିବ । ଯାହାକି ଓଡିଆ ସାହିତ୍ୟର ସମୃଦ୍ଧି ଓ ବିକାଶ ଦିଗରେ ନିଶ୍ଚିତ ଭାବରେ ସହାୟକ ହୋଇପାରିବ ଏଥିରେ ଦ୍ଵିମତ ହେବାର ଅବକାଶ ନାହିଁ । ବୈଜ୍ଞାନିକ ପଦ୍ଧତ୍ତିରେ ସାହିତ୍ୟର ପ୍ରସାରକୁ ନିଶ୍ଚୟ ସାମ୍ପ୍ରତିକ ପରିପ୍ରେକ୍ଷୀରେ ଆମକୁ ଗୁରୁତ୍ଵ ଦେବାକୁ ପଡିବ ।

ଅଞ୍ଚଳରୁ ବିଶ୍ଵବ୍ୟାପୀ..

ସାହିତ୍ୟ କ୍ଷେତ୍ରରେ ଆଜି ଅନେକ ପତ୍ରପତ୍ରିକା ସାହିତ୍ୟର ସମୃଦ୍ଧି ଓ ବିକାଶ ଦିଗରେ ନିଜ ନିଜର ଭୂମିକା ନିର୍ବାହ କରୁଛନ୍ତି । ମୁଦ୍ରିତ ହେଉଥିବା ପୁସ୍ତକ କିମ୍ବା ପତ୍ରପତ୍ରିକାଟିଏ କିଛି ଅଞ୍ଚଳର ପାଠକମାନଙ୍କ ମଧ୍ୟରେ ସୀମିତ ରହିବା ସହିତ ଏହାର ପ୍ରସ୍ତୁତି ନିମନ୍ତେ ଅନେକ ଅର୍ଥର ଆବଶ୍ୟକତା ପଡିଥାଏ । କିନ୍ତୁ ଇଣ୍ଟରନେଟ ମାଧ୍ୟମରେ ପ୍ରକାଶିତ ପୁସ୍ତକ କିମ୍ବା ପତ୍ରପତ୍ରିକାଟିଏ ଗୋଟିଏ ଅଞ୍ଚଳ ମଧ୍ୟରେ ସୀମିତ ନରହି ସମଗ୍ର ବିଶ୍ଵର ପାଠକମାନଙ୍କ ନିକଟରେ ପହଞ୍ଚି ପାରିଥାଏ । ଖୁବ କମ ବ୍ୟୟରେ ନିର୍ଦ୍ଧିଷ୍ଟ ୱେବ ଡୋମିନ ମାଧ୍ୟମରେ ଗୋଟିଏ ଫିଙ୍ଗର କ୍ଲିକରେ ସମଗ୍ର ବିଶ୍ଵର ପାଠକମାନଙ୍କ ନିକଟରେ ଢେର ଆଦୃତ ହୁଏ ।

ଆମ ସିଦ୍ଧାନ୍ତ..

ଆଜିର ବିଜ୍ଞାନ ଯୁଗରେ ସମୃଦ୍ଧିର ସୀମା ନାହିଁ । ପୃଥିବୀରୁ ମହାକାଶ ଖୁବ ନିକଟ । ତେଣୁ ଏଭଳି ସମୟରେ ଆମେ ଆମ ଭାଷା ସାହିତ୍ୟ ଓ ସଂସ୍କୃତିର ପଥରୋଧ କରିବା ଅନୁଚିତ । ନିଜକୁ ଏହି ବିକାଶଧାରା ସହିତ ଖାପ ଖୁଆଇ ଆମ ସାହିତ୍ୟ ଓ ସଂସ୍କୃତିକୁ ଆଦର ଅଭ୍ୟର୍ଥନାର ସହ ଉଚିତ ମାର୍ଗରେ ପରିଚାଳିତ କରିବା ଆମ ସମସ୍ତଙ୍କ ନିମନ୍ତେ ଏକ ଗୁରୁ ଦାୟିତ୍ଵ । ସାମ୍ପ୍ରତିକ ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା ମଧ୍ୟରେ ଡିଜିଟାଲ ପତ୍ରିକାଟିଏ ଇଣ୍ଟରନେଟ ମାଧ୍ୟମରେ ହାତ ପାଆନ୍ତାରେ ବିନାମୂଲ୍ୟରେ ଖୁବ ସହଜରେ ପହଞ୍ଚିବା ସହିତ ବେଶ ଜନାଦୃତ ହୋଇ ପାରୁଛି ଅଗଣିତ ପାଠକମାନଙ୍କ ନିକଟରେ । ଓଡିଆ ଭାଷା-ସାହିତ୍ୟ ତଥା ସଂସ୍କୃତିକୁ ବିଶ୍ଵ ବିଦିତ କରିବା, ନୂତନ ପିଢିର ସାହିତ୍ୟ ସ୍ରଷ୍ଟା ମାନଙ୍କ ନିମନ୍ତେ ଲେଖିବାର ସୁଯୋଗ ସୃଷ୍ଟି କରିବା ସହିତ ପ୍ରତିଷ୍ଠିତ ସାହିତ୍ୟ ସ୍ରଷ୍ଟା ମାନଙ୍କ ଠାରୁ ଅନେକ କିଛି ଶିକ୍ଷା ଲାଭ କରିବା ହେଉଛି ଏହି ପ୍ରୟାସର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ବନ୍ଦେ ଉତ୍କଳ ଜନନୀ... ।

(full-width)