କ୍ଷୁଦ୍ରଗଳ୍ପ - ଉଧାର - ଗଗନ ବିହାରୀ ନାୟକ

0

ଅସରାଏ ବର୍ଷାରେ ଭିଜି ଯାଇଥଲା ମାଟି । ନୂଆଣିଆଁ ନଡା ଛପର ଘର ଚାଳରୁ ପାଣି ଗଡି ଘର ଓ ବାହାରେ ମାଟି ସନ୍ତସନ୍ତିଆ ହେଇ ଯାଇଥିଲା । ବିପିଏଲ ଚାଉଳ ଡବାଟି ଖୋଲା ହୋଇ ଗଡୁଛି । କାହିଁ କେତେଦିନ ପଖାଳ କଂସାଏ ଖଟାଳିଆ ବାସ୍ନାରେ ଘରଟି ମହକାଉଛି । ଦୁଇଟି ଚିରା ଫଟା ସାର୍ଟରେ ଲାଗି ଯାଇଥିବା ଘରଲିପା ରଙ୍ଗକୁ ଧୋଇ ଘର କବାଟରେ ଶୁଖୁଛି । ଚାଳରୁ ପାଣି ଗଳୁଥିବା ଯାଗାରେ ଦୁଇଟି ସିଲଭର ତାଟିଆ ଥୁଆ ହୋଇଛି । ଘର ପାଇଁ ମିଳିଥିବା ପ୍ଲାଷ୍ଟିକର ଲମ୍ବା ଜରି ଉପରେ ଖୋର୍ଦ୍ଧାର ନାଲି ଗାମୁଛା ତା'ଉପରେ  ବିଛେଇ ଦେଇ ଶାନ୍ତି ମହାନିଦ୍ରାରେ ଶୋଇ ଯାଇଛି ବିକ୍ରମ ବରିହା । ରଙ୍ଗମିସ୍ତ୍ରୀ ବିକ୍ରମ ବରିହା । ଅଭାବ ଅନାଟନ ତେଲ ଲୁଣ ଦୁନିଆଁର ରଥ ଟାଣି ଟାଣି ଥକି ପଡିଥିବା ବିକ୍ରମ ଅବିଶ୍ରାନ୍ତ ପରିଶ୍ରମରୁ ଟିକେ ବିଶ୍ରାମ ନେଇଛି ଯେମିତି । ସ୍ତ୍ରୀ ମଲା ପରେ ସଂସାରରେ କଳା ଅନ୍ଧାର ଘୋଟି ଯାଇଥିଲା । ତଥାପି ସେ ବଞ୍ଚିଥିଲେ ଲୋକଙ୍କ ଭଲ ପାଇବା ନେଇ ଉପଭୋଗ କରୁଥିଲେ କର୍ମ କୁଶଳ ଜୀବନ ।

ବିକ୍ରମ ଜୀବନରେ ଦିନେ ସହାନାଇ ବାଜିଥିଲା । ସେ ବାହା ବି ହୋଇଥିଲା । ସୁନ୍ଦରୀ ସ୍ତ୍ରୀ କୁ ନେଇ ଦିନ କେତେଟା ମଉଜ ମଜଲିସରେ କଟିଥିଲା । ସକାଳୁ ସକାଳୁ ବିକ୍ରମ ପାଇଁ ଖାଇବା ରାନ୍ଧି ଟିଫିନ୍ ସଜେଇ ଅଧାବାଟ ଯାଏଁ ଯାଇ ଛାଡ଼ିଦେଇ ଆସି ତା'ର ଫେରିବା ବାଟକୁ ଚାହିଁ ରହୁଥିଲା ତାଙ୍କ ସ୍ତ୍ରୀ ମେନକା । କେତେବେଳେ ଡେରି ଟିକେ ହେଇଗଲେ ଛନକା ପଶେ ମେନକା ଛାତିରେ । ସେ କେତେ କଣ ଦୁଶ୍ଚିନ୍ତା କଥା ଭାବି ବସେ । ଆଖି ମଳି ମଳି କାନ୍ଦେ । ନିଜ ଘରଟିରେ ଏକୁଟିଆ ବସି ନିଜେ ନିଜ ସହିତ ଗପେ ଆଉ ଯୁକ୍ତି ବି କରେ । କିଏ ଜାଣିଥିଲା ଅଶୁଭ ଭାବନା ଗୁଡାକ ଦିନେ ସତ ହେଇଯିବ ବୋଲି । ସତକୁ ସତ ଦିନେ ବିକ୍ରମ କୋଠା ଉପରେ ରଙ୍ଗ ଦେଉଥିଲା ବେଳେ ହଠାତ୍ ଅଣ୍ଟାରେ ବନ୍ଧା ହେଇଥିବା ରଶିଟିର ଗୋଟିଏ ପଟ ଖୋଲିଗଲା । ଏକ ମହଲା ଉପରୁ କଚାଡି ହେଇ ତଳେ ପଡ଼ିଗଲା ବିକ୍ରମ । ଅବଶ୍ୟ ଗଭୀର ଆଘାତ ଅଣ୍ଟାରେ ଲାଗିଥିଲା । ହେଲେ ହେଲମେଟ ପିନ୍ଧିଥିବା ଯୋଗୁ ରକ୍ଷା ପାଇଯାଇଥିଲା ସେଦିନ। ସଙ୍ଗେ ସଙ୍ଗେ ମେଡିକାଲ ନେଇ ଯାଇଥିଲେ ସହକର୍ମୀ ଓ ଠିକାଦାର । ମେଡ଼ିକାଲରେ ଆଡ଼ିମିସନ୍ କଥା ଶୁଣି ବିକ୍ରମ ସ୍ତ୍ରୀ ମେନକା ପହଞ୍ଚିଥିଲେ । ବିକ୍ରମ ବରିହା ର ଚିକିତ୍ସା ସମୟରେ ତାଙ୍କ ସ୍ତ୍ରୀ ମେନକାକୁ ସେଦିନ ପ୍ରଥମେ ଦେଖିଥିଲା ଠିକାଦାର । କାହିଁକି କେଜାଣି ବିକ୍ରମ ସ୍ତ୍ରୀ ଆଡ଼କୁ ତା'ର ପାପ ନଜରଟା ଲାଗି ରହିଲା । ସେ ବିକ୍ରମ ଆରୋଗ୍ୟର ସମସ୍ତ ଖର୍ଚ୍ଚ ଦେଇଥିଲେ ହେଁ ସେଇ ଦେବା ମୂଳରେ ଥିଲା ତା'ର ପାପ ଆସକ୍ତି ମନ । ଲଗାତାର ପାଞ୍ଚଦିନ ପରେ ଭଲ ହୋଇ ଫେରି ଥିଲା ବିକ୍ରମ । ବିକ୍ରମ ପ୍ରତି ସମବେଦନା ସ୍ୱରୂପ ଆଉ କିଛିଦିନ ବିଶ୍ରାମ ନେବାକୁ କହି କିଛି ଅଗ୍ରୀମ ଟଙ୍କା ଦେଇଥିଲା ଠିକାଦାର । କିନ୍ତୁ ସର୍ତ୍ତ ରଖିଥିଲା ଭଲ ହେବା ପରେ ଅନ୍ୟତ୍ର ପଠେଇ ଦିନରାତି କାମ କରି ଟଙ୍କା ପରିଶୋଧ କରିଦେବାକୁ । ଅନିଚ୍ଛା ସତ୍ତ୍ୱେ ଠିକାଦାରର ଏଇ ସାହାଯ୍ୟ ସହଯୋଗ ଖୁବ୍ ମନକୁ ପାଇଥିଲା ବିକ୍ରମର । ସେ ସେଥିରେ ରାଜି ହୋଇ ଯାଇଥିଲା । କିଏ ଜାଣିଥିଲା ଏତେ ପୁଣ୍ୟର ଥାଳ ଧରି ପାପର ଭିକ୍ଷା ମାଗୁଥିବା ଏଇ ଭଳି ଦୁଷ୍କର୍ମକାରୀ ନାରୀ ମାଂସ ଲୋଭୀ ଶାର୍ଦୂଳଙ୍କ କପଟ ବେଶ ରାକ୍ଷସ ବେଶ ଭିତରେ ଲୁଚି ରହିଥିବା ପାପ ଚିନ୍ତା । ଦେଶ ତ ବଡ ଉପନିଷଦର, ଗୀତାବାଣୀ ଓ ଅଠର ପୁରାଣର ସିଦ୍ଧାନ୍ତ ଉପରେ ନିର୍ଭରଶୀଳ ।

ଅନତି ଦୂରେ ରହୁଥିବା ଅନନ୍ତ ବାବୁ ଘର ଭିତରକୁ ପଶି ଯାଇ ବିଚଳିତ ହୋଇ ନିଜେ ନିଜକୁ ଧିକ୍କାର କରି କହୁଥାନ୍ତି- "ବଡ ଭୁଲଟିଏ ହେଇଗଲା" । ଲୋକଟି ସତରେ ପଇସା ଅଭାବରୁ ମରିଗଲା । ମୋତେ ଦୁଇଶହ ଟଙ୍କା ମାଗୁଥିଲା । ମୁଁ ଦେଇ ପାରିଲି ନାହିଁ । ଭାବିଲି ଦାଦନ ଯାଇ ମାସେ କାମ କଲେ ତାକୁ ଟଙ୍କା ମିଳିବ । ଅଭାବି ଲୋକ ଦେବ ନଦେବ । ହେଲେ....। ବିକ୍ରମ ସହିତ ରାଜମିସ୍ତ୍ରୀ କାମ କରୁଥିବା ବାଇନ କହିଲା- "ଜାଣିଛ ମେଡିକାଲର ରୋଗୀ ୱାର୍ଡର ଘରକାନ୍ଥ ସବୁଯାକ ରଙ୍ଗ ବିକ୍ରମ ଦେଇଥିଲେ । ଖୁସିରେ ତାଙ୍କୁ ମାଲିକ ବକ୍ସିସ ଦେଇଥିଲେ । ଆଉ ଆଜି ସେ ନିଜେ ରୋଗୀ ହେଇ ଭଲ ହେଇ ପାରିଲା ନାହିଁଯେ, ଶେଷରେ ଚାଲିଗଲା । ଗରିବର କିଏ ଅଛି । ଏକା ସେଇ ପରମ କାରୁଣିକ ଇଶ୍ଵରଙ୍କ ଛଡା ।"

ଦୁଇଶହ ଟଙ୍କା ନ ଦେଇ, ସେଇ ଅନୁତାପ ନିଆଁରେ ଜଳୁଥିଲେ ଅନନ୍ତ ବାବୁ । ପାଖରେ ସ୍ତ୍ରୀ ଆସି କେତେବେଳୁ ଠିଆ ହେଇଛନ୍ତି ସେ ଜାଣିନାହାନ୍ତି । ସ୍ଵାମୀଙ୍କ ଅନ୍ୟମନସ୍କତାକୁ ଠିକ ବୁଝି ପାରୁଥିଲେ । ତାଙ୍କୁ ଦେଖି ଅନନ୍ତ ବାବୁ ପଚାରିଲେ "ଆଜି ଦେହଟା କେମିତି ଲାଗୁଛି ?" ସଚଳା ଦେବୀ କହିଲେ- "ନାଇଁ ଭଲ ଲାଗୁନି ।" ଚାଲ ମେଡିକାଲ ଯିବା କହି ଗାଡି ବାହାର କଲେ ଅନନ୍ତ ବାବୁ । ଡାକ୍ତର ଭଲ ଭାବେ ପରୀକ୍ଷା ନିରୀକ୍ଷା କରିବାକୁ ରୋଗୀ ୱାର୍ଡକୁ ପଠେଇ ଦେଲେ । ଆଉ କହିଲେ ଯଦି ଦି’ଦିନ ପରୀକ୍ଷା ନିରୀକ୍ଷା ପରେ ଭଲ ନହୁଏ,  ହୁଏତ ତାଙ୍କୁ ନେଇ ରାଜ୍ୟ ବାହାର ମେଡିକାଲକୁ ଯିବାକୁ ହେବ । ଅନ୍ତତଃ ପଚାଶ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଯାଇପାରେ । ଏ ଅସମୟରେ ଏତେ ଟଙ୍କା ତାଙ୍କୁ ଦେବ କିଏ ।  ସେ ଭାବୁଥିଲେ ନିଜର ଅବିଶ୍ଵାସ ମନକୁ ଓ ଚାହିଁ ରହିଥିଲେ ଡାକ୍ତରଙ୍କୁ ଓ ସଚଳାଙ୍କ ନିରାନନ୍ଦ ମୁହଁକୁ । ନିଜ ହାତରେ ସେଇ ଡାକ୍ତରଖାନା କାନ୍ଥରେ ବିକ୍ରମ ବୋଳିଥିବା ରଙ୍ଗ କ୍ରମଶଃ ଫିକା ଦିଶିଲାଣି । ସେ ଆଉ ନାହିଁ, ହେଲେ ତା’କର ସ୍ପର୍ଶରେ ଝଟକୁ ଥିବା ସେଇ ରୋଗୀ ୱାର୍ଡର ସେ ଆଜି ଅତିଥି । ଦୁଇଶହ ଟଙ୍କା ଉଧାର ଦେଇ ଫେରି ନପାଇବାର ଆଶଙ୍କାରେ ସେ ବିକ୍ରମକୁ ଦେଇ ନଥିଲେ ସିନା ହେଲେ ବିକ୍ରମ କାନ୍ଥରେ ଦେଇ ଯାଇଥିବା ରଙ୍ଗ ଆଗରେ ସେ ଟଙ୍କାର ମୂଲ୍ୟ କିଛି ନୁହେଁ  ।

ପ୍ଲଟ - ୫୦୩, ମଞ୍ଚେଶ୍ୱର, ଭୁବନେଶ୍ଵର
ଦୂରଭାଷ - ୭୨୦୫୨୯୩୮୫୭

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ