
ସୂର୍ଯ୍ୟ ଢାଳୁଥିଲା ଉଜ୍ଜ୍ୱଳ କିରଣ
ହସି ଉଠୁଥିଲା ଧରା,
ନୀଳ ଆକାଶଟି ମେଘମୁକ୍ତ ଥିଲା
ସବୁଜ ସପନ ଭରା ।
ଅତିକାୟ ସେଇ ଯନ୍ତ ବିହଙ୍ଗମ
ବକ୍ଷେ ଧରି ନାନା ଜନ,
ଲୋହିତ ଧବଳ ପକ୍ଷକୁ ନଚାଇ
ଉଠୁଥିଲା ବ୍ୟୋମଯାନ ।
ସହସା ଉଠିଲା ଭୂପତିତ ହେଲା
ଜଳି ଉଠିଲା ଅନଳ,
ହରି ନେବା ପାଇଁ ଶତ ଶତ ପ୍ରାଣ
ଛକି ବସିଥିଲା କାଳ ।
କ୍ଷଣେ ଶତ ଜନ ଜିଅନ୍ତା ଜଳିଲେ
ଚିହ୍ନି ହୁଏ ନାହିଁ ଶବ,
ନିଷ୍ଠୁର ନିୟତି ଜୀବନ ହରିଲା
ନ ରଖିଲା ଭେଦଭାବ ।
ବନ୍ଧୁ ପରିଜନ ବିମାନେ ବସାଇ
ନ ଫେରୁ ପାଇଲେ ବାର୍ତ୍ତା,
ଶେଷ ଦେଖା ସେଇ ବାହୁଡ଼ିବେ ନାହିଁ
ନ ମିଳିବ ଆଉ ସତ୍ତା ।
ପ୍ରଯୁକ୍ତିବିଦ୍ୟାରେ ଉଡେ ମନପକ୍ଷୀ
ସୁଖ ସପନର ମୋହ,
ପଞ୍ଜୁରୀରେ ଧରି ପ୍ରାଣପକ୍ଷୀ ମାରି
ଆଣିଦେଲା କେତେ କୋହ ।
ଦେଶ ସେବା ଲାଗି ଶିକ୍ଷା ଲଭୁଥିଲ
ଚିକିତ୍ସକ ଛାତ୍ରଗଣ,
ଆହାର ଉପରେ ବଜ୍ର କି ପଡିଲା
ନିମିଷେ ହାରିଲେ ପ୍ରାଣ ।
ଦେବତୁଲ୍ୟ ଶୋଭା ମାନବ ଶରୀର
କ୍ଷଣକେ ହେଲା ଅଙ୍ଗାର,
ଧନ ମାନ ଯଶ ଶକ୍ତି କି କରିବ
ଭାଗ୍ୟ ଥିଲେ ନାରଖାର ।
ବ୍ୟୋମ ବିହଙ୍ଗମ ସାଜିଲା ପଞ୍ଜୁରୀ
ତା ମଧ୍ୟେ ମାନବ ପକ୍ଷୀ,
ଦୁନିଆ ରକ୍ଷକ ସାଜିଲେ ଭକ୍ଷକ
କିଏ ବା ପାରନ୍ତା ରଖି ।
ଉତ୍ତରା ଶାସନ, କୌଶଲ୍ୟାଗଙ୍ଗ, ପିପିଲି, ପୁରୀ
VOL.IX, ISSUE.IX, SEPTEMBER-2025
Published By Banamallira Mahak