ସେଇ ଗାଁ - ଡଃ ସ୍ୱର୍ଣ୍ଣଲତା ଲେଙ୍କା

0

ନୀରବତାର ଯୋଗୀଟିଏ ପାଲଟିଛନ୍ତି ସୁବ୍ରତ ଦାସ ! ଆଜି ବି ମନ ଟାଣି ହୋଇଯାଏ ସେଇ ଗାଁ କୁ ଯେଉଁଠି ଅଛି ସବୁ ନିଜର ପଣିଆ ଆତ୍ମୀୟ ଭାବ । ନଥାଉ ପଛେ ଭୂଗୋଳରେ ତା'ର ନାଁ ତଥାପି ଭାରି ସୁନ୍ଦର ତାଙ୍କ ଗାଁ । ଅଙ୍କାବଙ୍କା ସର୍ପିଳ ରାସ୍ତା, ଧାଡ଼ି ଧାଡ଼ି ତାଳ ନଡ଼ିଆ ଗଛ, ଦୁଇ ପଟେ ସଵୁଜ ବନାନୀ ଘେରା ଗାଁ । ଅନତି ଦୂରରେ ଧ୍ୟାନ ମଗ୍ନ ଋଷି ପରି ନୀରବ ବଜ୍ରଗିରି ପାହାଡ଼ ଦଣ୍ଡାୟମାନ । ତଳେ ଝାଟିମାଟି ସୁବ୍ରତ ଙ୍କ ଗାଁ । ସେଠି ଫଗୁଣ ଖେଳେ, ନିତି ଦୋଳି ପବନ ବଜାଏ ଶାହାନାଇ, ଟିକି ଝରଣା ଗାଏ ଗୀତ, ବେଙ୍ଗୁଲି ପକାଏ ସଞ୍ଜ ସକାଳେ ହୁଳହୁଳି, କାକଳୀର କିଚିରି ମିଚିରି ଶବ୍ଦରେ  ଆସେ ସକାଳ । ଉଛୁଳା ନଦୀର ସୁଅରେ ଭାସିଯାଏ ସ୍ୱପ୍ନିଳ ମନ । ନୀଳ ତରଙ୍ଗରେ ତରଙ୍ଗାୟିତ ହୁଏ ଚହଲା ମନ, ସବୁଜ ଓଢଣୀ ଟାଣି ଖିଲି ଖିଲି ହସୁଥାଏ ତାଙ୍କ ଗାଁ । 

ସୁବ୍ରତ ଦାସଙ୍କର ସୁନ୍ଦର ଘର, ପତ୍ନୀ ସୁପ୍ରଭା ଓ ଦୁଇ ପୁତ୍ର ଶୁଭମ୍ ଏବଂ ସୁନନ୍ଦ ଙ୍କୁ ନେଇ ତାଙ୍କ ସଂସାର । ମଧ୍ୟବିତ୍ତ ପରିବାର, ହେଲେ ସୁନ୍ଦର ପରିବାର । ପୁଅ ଦୁଇଟି ରାଜକୁମାର ଠୁ ବି କମ୍ ନୁହନ୍ତି । ଶଶୀକଳା ପରି ବଢୁଥାନ୍ତି ସେ ଘରେ । ସୁନ୍ଦର ସ୍ୱାସ୍ଥ୍ୟଵାନ ସୁଢଳ ଚେହେରା । ଗୁଣ ବି କମ୍ ନୁହେଁ । ଶାନ୍ତ ସରଳ ପିଲା, ପାଠ ବି ଭଲ ପଢନ୍ତି । ସୁବ୍ରତ ବାବୁଙ୍କ ଖୁସି କହିଲେ ନ ସରେ । ସୁନ୍ଦରୀ ଗୁଣଵାତୀ ସ୍ତ୍ରୀ ବି ପାଇଛନ୍ତି । ସେ ଆକାଶର ଛତା ହେଲେ ସ୍ତ୍ରୀ ବସୁମତୀ । ସୁଖର ସଂସାର  କରିଛନ୍ତି ଗାଁ ଠାରୁ ବହୁ ଦୂର ସହରରେ । ସକାଳର ଓଙ୍କାର ଧ୍ୱନିରେ ସେ ଘରେ ସମସ୍ତଙ୍କ ଆଖି ଖୋଲେ । ହସ ଖୁସି କର୍ତ୍ତବ୍ୟ ଆଉ କର୍ମ ଭିତରେ ଦିନ ସରିଯାଏ । ଆରାମ ଦାୟକ ଜୀଵନ ସୁଖୀ ପରିବାର । ସୁବ୍ରତ ବାପା ମା'ଙ୍କର ବଡ଼ ପୁଅ, ଗାଁ ରେ ତାଙ୍କ ଘର । ସରକାରୀ ଚାକିରୀ ପରେ ସେ  ସହରରେ ରୁହନ୍ତି ପିଲା ସ୍ତ୍ରୀ ଙ୍କ ମେଳରେ । ଚାକଚକ୍ୟ ଘରେ ଵିଜୁଳି ଆଲୁଅ ଭିତରେ ଆଧୁନିକ ପରିପାଟୀ ଭିତରେ । ସୁବ୍ରତ କେବେ ଠାରୁ ଭୂଲି ସାରିଛନ୍ତି ତାଙ୍କ ଝାଟିମାଟିର ଘରକୁ । ଯେଉଁଠି ଥିଲା ତାଙ୍କ ଷଠିଘର । ଯେଉଁ ଘରେ ଥିଲା ଏନ୍ତୁଡ଼ିଶାଳ । ଯେଉଁଠି ଥିଲେ ତାଙ୍କ ବାପା ମା ଓ ଭାଇ ଭଉଣୀ । ଯେଉଁଠି ଥିଲା ମମତାର ବନ୍ଧନ । ମିଠା ମିଠା ସମ୍ପର୍କ ଓ ପରସ୍ପର ଉତ୍ତମ ବୁଝାଵଣା । ଭାଇ ଭଉଣୀ ବାବା ମାଙ୍କ ସାଥେ ଜୀଵନ ଥିଲା ଖୁବ୍ ସୁନ୍ଦର । ଗୋଟିଏ ସୂତାରେ ବନ୍ଧା ଅନେକ ଜୀଵନ । ସତେ ଫୁଲ ହାରଟିଏ ଭାରି ସୁନ୍ଦର ସଂସାର ।

କାହାର ନଜର ଲାଗିଲା କେଜାଣି ଭାଂଗିଗଲା ସେ ଝାଟିମାଟି ଘର ଯେଉଁଦିନ ସେ ଵିଵାହ କଲେ ସହରୀ ଝିଅ ସୁପ୍ରଭାକୁ । ସୁପ୍ରଭା ଚଳି ପାରିଲେନି ସେ ମାଟି ଘରେ । ତାଙ୍କ ଜୀବନ ତ ଇଟା କାନ୍ଥରେ ଗଢା । ସେ କି ବୁଝିବେ ମାଟିର ମହକ କେତେ । ସେ ବାସ୍ନା କେତେ ଆତୁର କରେ, ଦୂରରେ ଥିବା ପୁଅ ଝିଅ ମାନଙ୍କୁ ଵି ଗାଁ କୁ ଟାଣିଆଣେ । ସଵୁଵେଳେ ଏକା ଜିଦ୍ ସେ ଏଠି ଚଳିପାରିବେନି । ଏତେ ଗହଳିରେ ସେ ଅଣନିଃଶ୍ଵାସୀ ହୋଇ ପଡ଼ିବେ । ସେଇଆ ହିଁ ହେଲା ବାପା ମା ନିଜ ଇଛା ବିରୁଦ୍ଧରେ କହିଲେ ପୁଅକୁ ସରକାରୀ କ୍ୱାଟର କୁ ନେଇଯିବାକୁ । ସୁବ୍ରତ ସବୁର ସମାଧାନ ପାଇଁ ନେଇ ଆସିଲେ ପାଖକୁ ଛାଡିଦେଲେ ଆଦରର ଘରକୁ ଗାଆଁ କୁ ସମ୍ପର୍କ କୁ । ସୁବ୍ରତ ବାବୁ ଆଉ ଗଲେନି ଘରକୁ । ଧୀରେ ଧୀରେ ଛନ୍ଦି ହୋଇଗଲେ ସହରୀ ଜୀବନରେ । ଧାଁ ଦୈ।ଡ ଭିତରେ ସେ ଯେବେ ଅଣନିଃଶ୍ଵାସୀ ହୋଇ ପଡନ୍ତି, ମନେପଡେ ତାଙ୍କର ପିଲାଦିନ, ମନେପଡେ ତାଙ୍କର ଘର । ଯେଉଁଠି ମା'ର ପଣତ କାନି ଧରି ସେ ଅଳି କରୁଥିଲେ । ମା କୋଳରେ ବସାଇ ଗେଲ କରୁଥିଲା । ସାଙ୍ଗ ସାଥି ମେଳରେ ସେ ଖେଳି ବୁଲି ସମୟ କାଟୁଥିଲେ ଗାଁ  ନଦୀକୂଳରେ । କେତେ ଖୁସିରେ ଜୀଵନ କଟୁଥିଲା ସତେ । ଆଜି ସେ ଭାରି କ୍ଲାନ୍ତ ଏଇ ସହରର ଅବହାୱ। ଭିତରେ । ରୁଟିନ ବନ୍ଧା ଜୀଵନଚର୍ଯ୍ୟାରେ । ଫେରିଯିବାକୁ ଇଛା ହେଉଛି ଗାଁ କୁ । ଭେଟିବାକୁ ତାଙ୍କର ଏନ୍ତୁଡି ଶାଳକୁ ତାଙ୍କ ନିଜ ଘରକୁ ଆତ୍ମିୟ ମାନଙ୍କୁ ।

ନାଁ ଆଉ ରହି ହେବନି ଏ ସହରରେ । ଅତ୍ୟାଧୁନିକ ସ୍ତ୍ରୀ ତଥା ପିଲାମାନଙ୍କ ବଡଲୋକି ଚଳଣୀରେ । ସେ ପିଜା ବରଗଡ୍ ମ୍ୟାଗି ଚାଓମିନ ରେ । ପଖାଳ କଂସାର ମୋହ ଛାଡ଼ିନି ସୁବ୍ରତ ଵାଵୁଙ୍କୁ । ଗାଁ ମାଟିକୁ ସେ ଝୁରୁଛନ୍ତି ସବୁବେଳେ । ସ୍ଥିର କଲେ ପିଲାମାନେ ବଡ଼ ହେଲେଣି ମୁଣ୍ଡକୁ ହାତ ପାଇଲାଣି । ସେମାନେ ସବୁ ସହରରେ ରୁହନ୍ତୁ ସ୍ତ୍ରୀ ବି ରୁହନ୍ତୁ, ସେ କିନ୍ତୁ ଯିବେ ଗାଁ କୁ । ଯେଉଁ ମା ବାପା ମଣିଷ କରିଥିଲେ, ତାଙ୍କର ଯତ୍ନ ନେବେ ତାଙ୍କ ବାପାଙ୍କ ହାତ ତିଆରି ସେଇ ମାଟି ଘରେ ରହିବେ ଶାନ୍ତିରେ । ସେଇ ଘର ସ୍ୱର୍ଗ ଠୁ ବଡ଼ । ଯେଉଠି ଅଛି ମମତାର ବନ୍ଧନ ପରଷ୍ପର ବୁଝାମଣା ଆଉ ସ୍ନେହ ଆଦର ସମ୍ମାନ ଓ ଭଲ ପାଇବା । ମାନବିକତାକୁ ବଳି ଦେଇ ସେ ସହରରେ ରହି ପାରିବେନି । ଏଠି ଚାକଚକ୍ୟ ଦୁନିଆ । କାଗଜ ଫୁଲର ସୁନ୍ଦରତା, ନାହିଁ ଜୀବନର ବାସ୍ନା ।

ସୁବ୍ରତ ଵାଵୁ ସବୁ ଛାଡ଼ି ଫେରି ଆସିଛନ୍ତି ଗାଁ ମାଟିକୁ । ଭେଟିଛନ୍ତି ନିଜର ମଣିଷ ମାନଙ୍କୁ । କେତେ ଆତ୍ମିୟତା, କେତେ ନିଜର ଭାବ କେତେ ଆପଣାର ସେ ପଖାଳ କଂସା ବଢ଼ାରେ । ସେ ପିଲାମାନଙ୍କୁ କହିଛନ୍ତି ସେ ଗାଁ ରେ ରହିବେ, ବେଳେବେଳେ ଯିବେ ତାଙ୍କ ପାଖକୁ ଵୁଲିଵାକୁ । ହେଲେ ଏଇଠି ଜଳାଇବେ ପିଲାମାନେ ତାଙ୍କ ଜୁଇକୁ । ସେ ଭଲ ପାଆନ୍ତି ତାଙ୍କର ଜନ୍ମ ମାଟିକୁ, ଏଇଠି ରହିବ ତାଙ୍କର ସମାଧି । ତାଙ୍କ ଆତ୍ମିୟ ପୂର୍ଵଜ ମାନଙ୍କ ପାଖରେ । ମିଳିବ ତାଙ୍କୁ ଆତ୍ମ ତୃପ୍ତି । ସେଇ ବରଗଛ ଅଛି ତାକୁ ଲଗାଇଥିଲେ ଅଣ ଜେଜେ । ସେଇ ଆମ୍ବତୋଟା ଅଛି ଜେଜେ ଲଗାଇଥିଲେ । ସେଇ ଘର ଅଛି, ବାପା ତିଆରି କରିଛନ୍ତି । ତାଙ୍କ ଗାଁ ଆଜିଵି ସୁନ୍ଦର । ବୋହି ଯାଉଛି ସେଇ କେଲୁଅ ନଈ । ଅଛି ଆମ୍ବ ତୋଟା, ଗାଁ ଭାଗବତ ଟୁଙ୍ଗୀ, ଆଉ ସେଇ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ଦେବୀ ମନ୍ଦିର । ଆଜି ବି ସକାଳୁ ଶୁଭେ ଶଙ୍ଖ ଓ ଘଣ୍ଟ ଧ୍ୱନି, ଗାଁ ବୋହୂ ମାନଙ୍କର ହୁଳହୁଳି ଶବ୍ଦ ।  ପାଳନ ହେଉଛି ଓଷା ବ୍ରତ । ଦିଆ ନିଆ ଭାଇଚାରା ଭାଵ ।  

ସୁବ୍ରତ ଵାଵୁ ଚାହିଁଛନ୍ତି ଆକାଶର ନୀଳିମାକୁ ପୁଣି ଦେଖୁଛନ୍ତି ଆଖି ପୂରେଇ ତାଙ୍କ ଗାଁ କୁ । ସେଇ  ସମୀର  ଆଜି ବି ଛୁଇଁ ଯାଉଛି ତାଙ୍କ ଦେହକୁ । ଆହାଃ କି ମିଠା ସତେ କେତେ ତୃପ୍ତ ଲାଗୁଛି ଗାଁ ରେ । ନାହିଁ ସେ ଧାଁ ଦୌଡ଼, ନାହିଁ ସେ ରୁଟିନ ବନ୍ଧା ଜୀଵନ । ନାହିଁ ସେ ଅଣନିଃଶ୍ଵାସୀ ଭାଵ । ନାହିଁ କର୍ତ୍ତବ୍ୟର ଡାକରା । ଭାରି ଶାନ୍ତି ଲାଗୁଛି ଆଜି ଜୀବନଟା । ସେ ହଜିଯିଵେ ଏଇ ପରିବେଶରେ । ଆତ୍ମ ବିଭୋର ହୋଇ ଯାଉଛନ୍ତି ସୁବ୍ରତ ଵାଵୁ ।

ଚମକି ପଡ଼ିଲେ କାହାର ଡାକରେ । ଆରେ ଏକଣ ସୁପ୍ରଭା ବି ଫେରିଆସିଛନ୍ତି । ସୁପ୍ରଭା ତୁମେ ! ହଁ ମୁଁ ଆସିଛି, ମୁଁ ବି ତୁମ ପାଖରେ ରହିବି ପିଲା ମାନେ ସେଠି ଥାଆନ୍ତୁ । ଆମେ ଏଇଠି ରହିବା, ଗାଁ ରେ କିଛି କରିବା ସମସ୍ତଙ୍କୁ ଭଲ ପାଇବା, ତାଙ୍କ ସହିତ ବାର୍ଦ୍ଧକ୍ୟ ଜୀଵନ କାଟି ଦେବା । ସବୁ ତ ପାଇଛନ୍ତି ହେଲେ ଶାନ୍ତି ନାହିଁ । ସେଇ ଶାନ୍ତି ଏଇଠି ଅଛି । ଚାଲ ମିଶିକି ରହିବା । ସୁବ୍ରତ ବାବୁଙ୍କ ଖୁସି କହିଲେ ନ ସରେ । ଯାହାହେଉ ଶେଷରେ ସୁପ୍ରଭା ଗାଁ ରେ ରହିବେ । ଶାଶୁ ଶଶୁର ବୟସ୍କ । ତାଙ୍କ ସେବା କରିବେ... ଏମିତି ସିନା ସୁନା ସଂସାର । ଗାଁ ବିନା ସେ କି ଜୀଵନ । ଯେଉଁଠି  କୋଇଲି ଗାଉନି ଫଗୁଣର ଗୀତ । ମିଠା ମଳୟ ଛୁଇଁ ଯାଉନି ତନୁ ମନ । ନାହିଁ ଖୋଲା ପବନ । ରାତି ପାହିଲେ କାଉ ଵୋଵାଉ ନାହିଁ । ସକାଳର ଧୂପ ବାସ୍ନା ଚଉଁରା ମୂଳରେ ନାହିଁ । ସଞ୍ଜ ଆସୁନି ଗୋଧୂଳିରେ, ଗାଇଆଳ ଗାଉନି ଘରକୁ ଫେରିବା ଗୀତ ଓ ଗାଇ ଫେରୁନି ଆଉ ଗୋଠକୁ । ଗୀତା, ଭାଗବତ,  ରାମାୟଣ ଶୁଭୁନି । ଜଳୁନି ସଞ୍ଜ ଦୀପ ଅଗଣାର ଚଉଁରା ମୂଳରେ । ମା ପୋଛି ଦେଉନି ପଣତରେ ଧୂଳିଧୂସର ପିଲାର ଦେହ । ଯେଉଁଠି ନାହିଁ ମା'ର ଡାକ, ସେଠି କେମିତି ରହିବ ଏ ଗାଉଁଲୀ ମଣିଷ ! ତା ପାଇଁ ଗାଁ ତ ସ୍ୱର୍ଗ, ତା' ଜନ୍ମମାଟି ମା ତା' ପାଇଁ ପବିତ୍ର । ବଡ଼ ତୀର୍ଥ ତା' ବାପା ମା'ର  ଚାରିପାଖ । ଅମୃତ ସେ ପଖାଳ କଂସା । ନୁହେଁ ତା' ସରି  ସହରର ଵିରିୟାନି । ନାହିଁ ଇର୍ଷା, ପରଶ୍ରୀକାତରତା ଓ ଗୋଡ଼ଟଣା ନୀତି । ଏଠି କେବଳ ଗୋଟିଏ ମନ, ଗୋଟିଏ କଥା, ଭାଇଚାରା ଭାଵ ଓ ଗୋଟିଏ ସ୍ୱର...  ସେଇ ଆମ ଗାଁ... ।

ଯାଜପୁର, ଓଡିଶା

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)