ତୁମ ଗାଁ - ସୁରଞ୍ଜନ ପାତ୍ର

2

ତୁମ ଗାଁ ଆକାଶରେ ବଉଳିଲେ ଜହ୍ନରାତି
ଆମ ଗାଁ ପୋଖରୀରେ କଇଁ ଲେଖେ ଗୀତ
ତୁମ ଗାଁ ପାହାଡକୁ ଛୁଇଁଲେ ଯେ ମୌସୁମୀ
ମୁରୁକି ମୁରୁକି ହସେ ଆମ ଗାଁ କ୍ଷେତ

ତୁମ ଗାଁ ମାଟି ଯେବେ ବରଷାରେ ଭିଜୁଥାଏ
ବେଗବତୀ ସାଜି ଥାଏ ଆମ ଗାଁ ନଈ
ତୁମ ଗାଁ ଚଉରାରେ ଜଳିଲେ ସଞ୍ଜବତୀ
ଆମ ଗାଁ ମନ୍ଦିରେ ବାଜେ ସାହାନାଇ

ତୁମ ଗାଁ ବଗିଚାରେ ଫଗୁଣ ଖୋଲିଲେ ଗଭା
ମଳୟ ମଳୟ ଲାଗେ ଆମ ଗାଁ ପଥ
ତୁମ ଗାଁ ଆକାଶରେ ବଉଳିଲେ ଜହ୍ନରାତି
ଆମ ଗାଁ ପୋଖରୀରେ କଇଁ ଲେଖେ ଗୀତ

ତୁମ ଗାଁ ଝାଉଁବଣ ପାଦେ ପାଉଁଜି ବାନ୍ଧି
ନାଚି ନାଚି ଯେବେ ରଚେ ପୀରତି ମୁଜରା
ଆମ ଗାଁ ନଈ ତଟେ ସୁନାର କବିତା ଲେଖେ
ସକାଳର ରୂପାଝରା ରୂପବତୀ ଖରା

ତୁମ ଗାଁ କୃଷ୍ଣଚୂଡା ଆନମନା ଯେବେ ହୁଏ
ପାଇଥାଏ ଆମ ଗାଁ  ମେଳନର ଯାତ
ତୁମ ଗାଁ ଆକାଶରେ ବଉଳିଲେ ଜହ୍ନରାତି
ଆମ ଗାଁ ପୋଖରୀରେ କଇଁ ଲେଖେ ଗୀତ

ନୂଆଗାଁ, ସିଙ୍ଗାଖୁଣ୍ଟା, ସୋର, ବାଲେଶ୍ଵର

Post a Comment

2Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

  1. ଧନ୍ୟବାଦ କବି ସୁରଞ୍ଜନଙ୍କ କଳ୍ପନା ପ୍ରସୂତ ଗ୍ରାମ ପରିବେଶ। ଗାଆଁର ତୁଳନାତ୍ମକ ବିବରଣୀ ବାସ୍ତବରେ ଆବେଗମୟ।
    ବେଗମତି = ବେଗବତୀ

    ReplyDelete
Post a Comment