ବାଞ୍ଛା କଳ୍ପବଟ - ସ୍ଵର୍ଣ୍ଣଲତା ପତି

1

ପ୍ରଳୟ କାଳରେ ସାଗରଜଳରେ
ବୁଡିବା ବେଳରେ ବିଶ୍ୱ ବ୍ରହ୍ମାଣ୍ଡ,
ଅକ୍ଷୟ ଦ୍ରୁମ ସେ କଳ୍ପବଟ ଉଭା
ଆଶ୍ରୟ ଲୋଡିଲେ ଋଷି ମାର୍କଣ୍ଡ ।।

ପୁରସ୍ତମ ସ୍ଥଳେ ବିଷ୍ଣୁ ଅଂଶ ବଳେ
ବଟ ପଲ୍ଲବରେ ବାଳ ମୁକୁନ୍ଦ,
ବିଷ୍ଣୁ କଳ୍ପତରୁ ଶାଖା ଚତୁର୍ବାହୁ
ଭକତେ ମନାସି ପୂଜନ୍ତି ପାଦ ।।

ତୁମ୍ଭ କୃପା ବଳେ ଚତୁର୍ଭୁଜ ହେଲେ
ବଟ ନାରାୟଣ କାକଭୁଷଣ୍ଡ,
ଋଷି ଶାପ ଫଳେ ନିଜ ମୁକ୍ତି ଛଳେ
ଆଶ୍ରୟ ଲୋଡିଲେ ରୋହିଣୀ କୁଣ୍ଡ ।।

ପୂଣ୍ୟ ଶଙ୍ଖକ୍ଷେତ୍ର ନାଭିସ୍ଥଳେ ସ୍ଥିତ
ମୂଳେ ଦେଖେ ନେତ୍ର ନାନା ଦେବଙ୍କୁ,
ବିସ୍ତାରିଛ କାୟା ପ୍ରଦାୟିଛ ଛାୟା
ଭକ୍ତ ମାଗେ ଦୟା ଭିଡି ହିଆକୁ ।।

ସତ୍ୟ ଠାରୁ କଳି କଳ୍ପ କଳ୍ପ ଧରି
ଅକ୍ଷୟ ଅମର ବେଦ ନାଶନ,
ପୁଷ୍ପ ଦୀପ ଦାନ ସୂତ୍ର ବେଢାଇଣ
ଭକତେ ବାଂଛନ୍ତି କାମ ପୁରଣ ।।

ବଟ ଜଗନ୍ନାଥ ବଟ ମାର୍କଣ୍ଡେୟ
ବଟ ଗଣେଶ ଯେ ବଟ ମାଧବ,
ବଟେଶ୍ୱର ଦେବ କୃଷ୍ଣ ଯେ ମଙ୍ଗଳା
କୁଶଳେ ରଖନ୍ତୁ ସକଳ ଜୀବ ।।

ଉତ୍ତରା ଶାସନ, କୌଶଲ୍ୟାଗଙ୍ଗ, ପୁରୀ

VOL.IX,  ISSUE.VI,  JUNE-2025

Published By Banamallira Mahak

Post a Comment

1Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

  1. ଭକ୍ତି ଭାବ ଭରା ଓ ତଥ୍ୟ ସମ୍ବଳିତ କବିତା ।

    ReplyDelete
Post a Comment