
ସମୟ ତାଳରେ ବଦଳୁଛି ମନ
ବଦଳୁଛି ଜୀଵନର ପରିଭାଷା
ଦେହରେ ମେଞ୍ଚାଏ ବୋଳିଦେଇ ରଂଗ
ଘାରିଛି, ଆକାଶ ଛୁଇଁବାର ନିଶା ।।
ସପନ ବଣିକ ବିକଇ ସପନ
ହାତେ ଧରି ଯାଦୁ ଛଡି
ନିଶା ତ ଘାରିଛି ବୁଦ୍ଧି ହୁଏ ବଣା
ବଡ ବିଶମ ଏ ଘଡି ।।
ସତ୍ୟର ପଥେ ଘେରିଛି ଅସତ୍ୟ
ଆଖିରେ ଦେଇ ଅଞ୍ଜନ
ଭୋଜବିଦ୍ୟା ଭେଳିକି ଭିତରେ
ପଥହରା ଏ ଜୀବନ ।।
ଚକଚକ ଦୁନିଆ କରିଛି ବାଇ
ହୃଦର ଡାକ ଅଲୋଡା
ପାଦ ଖସୁଛି ଖସଡା ପଥେ
ମନରେ ଜଳଇ ନିଆଁ ।।
ମିଛରେ ବାଇ ମିଛରେ ପାଗଳ
ଆଖିରେ ବନ୍ଧା ଅନ୍ଧପୁଟୁଳି
ଭଲ ପାଇବାର ଛଳନା ଫାସରେ
ସବୁତ ଗଲାଣି ବଦଳି ।।
ପଡେନି ଫରକ ନିଷ୍ଠୁର ହୃଦୟେ
ଏତ ତା' ଖେଳ ନିତିଦିନର
ନୀରିହ ମନଟି ଯାଏ ଜଳି ପୋଡି
ସାଥି ତ ମୁଠାଏ ଅଙ୍ଗାର ॥
ଗୋଟେ ଡାଳ ଛାଡି ଆନ ଡାଳକୁ
ସହଜରେ ନିଏ ସେ ଭିଡି
ମାୟାର ମୋହରେ ଯାଇଛି ଭୁଲି
ଅତୀତର ମଧୁର ଘଡି ।।
ଜମ୍ବେଶ୍ଵରପୁର, ବାଲେଶ୍ଵର
ଦୂରଭାଷ - ୯୩୩୭୬୮୧୫୨୪
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।