
ମେଘ ମୟୂରର ପାଗଳପଣରେ
ତୁ ନୀଳ ବନାନୀଟିଏ,
ତୋ' ତନୁବାସରେ ଶ୍ରାବଣର ମେଘ
ମାଟିକୁ ଭିଜାଇ ଦିଏ ।
କଣ୍ଟାର ଆଘାତେ ପାଦ ଜଳୁଥାଏ
ଛାତିରେ ଦୁଃଖର ଦାଉ,
ମୁହାଁଇଦେ' ଜାଳ ଚୁଲି ମୁହଁକୁ ଲୋ
ସପନ ମୋ' ସିଝିଯାଉ ।
ସପନ ପାଦରେ ପେନ୍ଥି ଘୁଙ୍ଗୁର ଲୋ
ସତ ମୋ ବାରୁଦ ବୁଣେ,
ସପନକୁ ସତ ରଙ୍ଗରେ ରଙ୍ଗେଇ
ତୋ'ପାଇଁ ମୁଁ ଗୀତ ଭଣେ ।
କେତେ ଶୋଷ କେତେ ଦେହର ଦରଜ
ପଚାରନା ମତେ ଆଉ,
ତମେ ଭସା ମେଘ କାହୁଁ ବା ଜାଣିବ
ମନକଥା ମନେଥାଉ ।
ପାଖରେ ଥାଏ କି ଦୂରରେ ଥାଏ ମୁଁ
ମଗନ ତୋ' ମିଠାସୁରେ,
ସୁର ସାଥେ ସ୍ମୃତି, ସ୍ମୃତି ଭିତରେ ତୁ
ମନ ମୋ ନିରତ ଝୁରେ ।
ଅଧିକ ସୁନ୍ଦର ତୋ'ଠାରୁ ତୋହର
ସେଇ ସୁନାରଙ୍ଗୀ ସ୍ମୃତି,
ସ୍ମୃତିର ଡେଣାରେ ଉଡ଼ିଲେ ସୁଦୂର
ଆକାଶ ବି ଲାଗେ କତି ।
ନିଦନାଇଁ ଏଇ ତାରାଙ୍କ ଆଖିରେ
ରାତି ବି ପାରୁନି ଶୋଇ,
ନେଇଯା'ରେ ଜହ୍ନ ପ୍ରଣୟିନୀ ଯହିଁ
ରହିଛି ମୋ ପଥଚାହିଁ ।
କଣ୍ଟାବଣିଆ, ଛତ୍ରପଡ଼ା, ପ୍ରୀତିପୁର, ଯାଜପୁର
ଦୂରଭାଷ - ୯୩୩୭୫୪୮୮୯୩
VOL.IX, ISSUE.VIII, AUGUST-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।