ଇନ୍ଦ୍ରଧନୁ - ଅଭୟ କୁଣ୍ଡ

0

କହ୍ନେଇ ମଥାରେ ମୟୂର ଚନ୍ଦ୍ରିକା
ସାତ ରଙ୍ଗେ ରଙ୍ଗାୟିତ
କଳା ମେଘ  ଦେହେ ଇନ୍ଦ୍ରଧନୁ ଶୋହେ
ସାତ ରଙ୍ଗ ଚାରୁଚିତ୍ର   ।

ଅଜଣା ଶିଳ୍ପୀର ତୂଳୀରେ ଅଙ୍କିତ 
କମନୀୟ ରୂପ କାନ୍ତି 
କବି ଭାବୁକର ଚିନ୍ତା ଚେତନାର
ରଙ୍ଗୀନ୍ ପରଜାପତି  ।

ସାତଟି ରଙ୍ଗର ମଧୁର ସଂଯୋଗ
ସରଜେ ଧନୁର ଭ୍ରମ
ମାଟିରୁ ଆକାଶ ସୁନ୍ଦର ସୁବେଶ 
ମଞ୍ଜୁଳ ମନୋରମ  ।

ସାତସୁରେ ବନ୍ଧା ମଣିଷ ଜୀବନ
ସପ୍ତାହକ ସାତ ବାର
ସମୟ ସହିତ ରଙ୍ଗର ସଂଯୋଗ
ଇନ୍ଦ୍ରଧନୁ ଚମତ୍କାର  ।

ସାତ ରଙ୍ଗ ତା'ର ସାତ କଥା କହେ
ଜୀବନ ଜୀବିକା ପାଇଁ
ଆମେ ତ ମଣିଷ ବାଣ୍ଟିବା ହରଷ
ଆତ୍ମ ପର ଭୁଲିଯାଇ  ।

ଅନ୍ତର୍ମୁଖୀ ଚିନ୍ତା ବାଇଗଣୀ ରଙ୍ଗ 
ଘନନୀଳ ଶ୍ରଦ୍ଧା ଭକ୍ତି
ତ୍ୟାଗର ମହତ୍ତ୍ଵ ନୀଳରେ ସୂଚିତ
ସବୁଜ ଜଗାଏ ଶାନ୍ତି  ।

ହଳଦିଆ ରଙ୍ଗ ଖୁସି ଆନନ୍ଦର
ସାହସ ପ୍ରତୀକ ଲାଲ୍
ନାରଙ୍ଗୀ କହୁଛି ମମତାର କଥା
ସଂସାରର ହାଲଚାଲ୍  ।

ବରଷା ସହିତ ତୁମ ଆଗମନ
ଖୁସିର ସନ୍ଦେଶ ନେଇ
ବରଷା ଝରିବ ଉତ୍ତାପ କମିବ
ସବୁଜ ଦିଶିବ ମହୀ ।
ଧନ୍ୟ ତୁମେ ଇନ୍ଦ୍ରଧନୁ
ଯିଏ ବି ଦେଖିବ ଘଡିଏ ଚାହିଁବ
ପାସୋରି ଯିବନି ମନୁ  ।                                 

ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ 
ପଡ଼ିଆଭଙ୍ଗା, ତାଳଚେର, ଅନୁଗୋଳ 
ଦୂରଭାଷ - ୯୫୫୬୯୮୯୭୨୩

VOL.IX,  ISSUE.VI,  JUNE-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)