
ପ୍ରଳାପ କରୁଥାଏ ମିଥ୍ୟା ସସାଗର ଧରା
ତା ପାଦତଳେ ଅବା ଯାଇଛି କି ଲଟକି
ଆକାଶ ତା ଈଷାରାରେ
ସତେକି ଉଠବସ୍ ହେଉଛି
ଅଟ୍ଟହାସ୍ୟ କରେ ବି ସେ
ପବନକୁ ଦେଖି ସତ୍ୟ କିନ୍ତୁ ନିରବରେ
ସବୁକୁ ଦେଖୁଛି ମନ୍ଦ ମନ୍ଦ ହସୁଛି
ସେ ଜାଣେ ଧ୍ଵଂସ ନୁହେଁ
ସୃଷ୍ଟିର ସୁନେଲି ଅକ୍ଷର ନିତି ସେ ଲେଖୁଛି ।।
ମିଥ୍ୟା କ'ଣ ବୁଝେ
କେତେ ଦୋଦୁଲ୍ୟମାନ ତାର ସ୍ଥିତି !
ସେ କେବେ କ'ଣ ପାରେ
ଜୀବନକୁ ଜିତି !!
ଜାଣେନି ସେ ଗଭୀର ଶୂନ୍ୟତା ଭିତରେ
ମିଳେଇ ଯିବ ଦିନେ
ଯେତେ ତାର ମୂଲ୍ୟହୀନ ପ୍ରଳାପ
ବୃଥା ଆସ୍ଫାଳନ ସବୁ
ବିସ୍ମୃତିର ଅତଳଗର୍ଭରେ
ହେବ ବିଲୋପ
ମାଡିଆସିବ ଅନ୍ଧକାର ରାତି
ସ୍ପନ୍ଦନହୀନ ହୋଇଯାଇଥିବ
ତା’ର ଶଂକିତ ଛାତି ।।
ଆଉ ସତ୍ୟର ଆଲୋକ ଶିଖା
ଉଦ୍ଭାସିତ କରୁଥିବ ଜୀବନକୁ
ଉଲ୍ଲସିତ କରୁଥିବ ପ୍ରାଣକୁ
ଖୁବ୍ ମିଠା ତାର ତାତି
ଭରୁଥିବ ହୃଦୟରେ
ସୀମାହୀନ ତୃପ୍ତି
କମନୀୟ କରୁଥିବ ମୁଖ କାନ୍ତି
ଅନ୍ତରରୁ ଭାସି ଆସୁଥିବ ସେଇ ସ୍ଵର
ଶାନ୍ତି ଶାନ୍ତି ଆଉ ଶାନ୍ତି ।।
ଧୈର୍ଯ୍ୟର ବାଲିବନ୍ଧକୁ ବାରମ୍ବାର
ଥାପିବାକୁ ହେବ ଅପେକ୍ଷାର ଅନ୍ତ ନିଶ୍ଚିତ ଘଟିବ
ତାପରେ ସିନା ଦେଖିବ ସମୟ କେମିତି
ଶେଷ ପୁରସ୍କାର ଦେବ !
ଗଡିଯାଇଥିବା ଯେତେସବୁ
ଲୁହ ଧାର ବହିଯିବ
ହୋଇ ହସର ଅସରନ୍ତି ଝର ।।
ଓରାଳି, ହାଟଡିହି, କେନ୍ଦୁଝର
ମୋ - ୯୪୩୮୧୯୧୮୫୦
VOL.IX, ISSUE.V, MAY-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।