ଭଲ ମଣିଷ - ଅନୁପମା ବିଶ୍ୱାଳ

0

ଏହି ବିଶାଳ ଜଗତ ଭଗବାନଙ୍କର ସୃଷ୍ଟିର ରହସ୍ୟ। ତାଙ୍କ ସୃଷ୍ଟିରେ ମନୁଷ୍ୟ ସର୍ବଶ୍ରେଷ୍ଠ ଜୀବ । କିନ୍ତୁ ମନୁଷ୍ୟର ଶ୍ରେଷ୍ଠତା ସେତେବେଳେ ପ୍ରତିପାଦିତ ହୁଏ ,ଯେତେବେଳେ ସେ ଭଲ ମଣିଷରେ ଗଣା ହୁଏ।ବଞ୍ଚିବା ଓ ବଢିବାର ସଂଘର୍ଷ ଭିତରେ ବିଚାର , ବିବେକ ଅନୁସାରେ ଭଲ ମଣିଷ ସମାଜର ହିତରେ ସଦା ସର୍ବଦା ରହିଥାଏ।ତା' ଭିତରେ ଥିବା ସଦଗୁଣ, ତାକୁ ଉଚ୍ଚରୁ ଉଚ୍ଚ ସ୍ଥାନକୁ ନେଇଯାଏ । ସତ୍ୟ, ନ୍ୟାୟ, ପରୋପକାର, ଧୈର୍ଯ୍ୟ, ସହନଶୀଳ, ଦୟା, କ୍ଷମା, ବିଦ୍ୟା ଆଦି ସଦଗୁଣରେ ଉଦ୍ଭାସିତ ହୋଇ ଆଧ୍ୟାତ୍ମିକ ଚିନ୍ତନରେ ସେ ବୁଡିରହେ।ନିଜ ଗୁଣ ଓ ଚରିତ୍ରରେ ଯିଏ ନିଜେ ସନ୍ତୁଷ୍ଟ ହୁଏନାହିଁ ,ସିଏ କେବେ ବି ଭଲ ମଣିଷରେ ଗଣା ହୋଇ ପାରିବ ନାହିଁ । ସଂସ୍କୃତରେ କୁହାଯାଇଛି-

"ପ୍ରତ୍ୟହଂ ପର୍ଯ୍ୟବେକ୍ଷେତ, ନରଶ୍ଚରିତମାତ୍ମନଃ
କିମ୍ ନୋ ମେ ପଶୁଭିସ୍ତୁଲ୍ୟଂ ,କିମ୍ ନୋ ସତ୍ ପୁରୁଷୈ ସହ।"

ଅର୍ଥାତ ଜଣେ ବାରମ୍ବାର ନିଜ ଚରିତ୍ରକୁ ଅନୁଧ୍ୟାନ କରିବା ଉଚିତ । ଆଜି ମୁଁ ଯାହା କଲି ତାହା ପଶୁ ତୁଲ୍ୟ  ନହୋଇ ପୁରୁଷ ତୁଲ୍ୟ ଅଟେ ତ । ଈଶ୍ୱରଙ୍କ ପ୍ରଦତ୍ତ ଦୁଇଟି ରାସ୍ତା ମଧ୍ୟରୁ ଯେଉଁଟି ନିଜ ପାଇଁ ବା ସମାଜ ପାଇଁ ହିତକର, ତାହା ହିଁ ପସନ୍ଦ କରିବା କେବଳ ନିଜ ଉପରେ ନିର୍ଭର କରେ । ମନରୁ ଯେପର୍ଯ୍ୟନ୍ତ କୁତ୍ସିତ ଭାବନା ଲୋପ ନ ହୋଇଛି, ସେପର୍ଯ୍ୟନ୍ତ ସତ୍ୟର ପଥ ଦୃଷ୍ଟିଗୋଚର ହୁଏ ନାହିଁ । ଭଲ ମଣିଷ ପ୍ରଥମେ ମନରୁ ଅପବିତ୍ର ଭାବନାକୁ ବିନାଶ କରିଥାଏ ଏକ ସଦ୍ଗୁରୁ ସାହାଯ୍ୟ ରେ କାରଣ ଗୁରୁ ହିଁ ବାସ୍ତବ ଜୀବନର ପଥ ପ୍ରଦର୍ଶକ ଅଟନ୍ତି । କୁହାଯାଏ -

"ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁ ଗୁରୁର୍ଦେବୋ ମହେଶ୍ବରଃ
ଗୁରୁର୍ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ"

ଏତଦ୍ଦ୍ୱାରା ମନରୁ ଗର୍ବକୁ ଦୂରକରି ନିଜକୁ ନିଜେ ମନ ଦର୍ପଣରେ ଭଲଭାବରେ ଦୃଷ୍ଟି ନିକ୍ଷେପ କରି  ନିଜର ଭଲମନ୍ଦ ଗୁଣକୁ ଚିହ୍ନି ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହୁଏ । କର୍ମ ସହିତ ଈଶ୍ୱରଙ୍କ ଶରଣାପନ୍ନ ହୋଇ ସେ ପିତାମାତାଙ୍କ ସ୍ନେହ ଓ ଆଦରରେ ଭଗବାନଙ୍କ ସ୍ୱରୂପକୁ ଦର୍ଶନ କରେ ଏବଂ ତାଙ୍କର ସେବା ଅଵଦାନରେ ବଢିବାକୁ ଲାଗେ । ଧୀରେ ଧୀରେ ତା'ର ଜ୍ଞାନ ବୃଦ୍ଧି ହେବା ଦ୍ୱାରା ନିଜେ ହିଁ ଜାଣିପାରେ, ତା ପାଇଁ ପିତାମାତା କେତେ ବ୍ୟସ୍ତ ଓ ଚିନ୍ତିତ ।  

"ପିତା ମାତାଠାରୁ ଆମେ ହୋଇଛୁ ଉତ୍ପତ୍ତି  
 ତାଙ୍କ ସେବା ନ କରିଲେ ପଡିବ ବିପତ୍ତି
 ଜୀବନ୍ତ ଦେବତା ସିନା ଦିଏ ଶୀଘ୍ର ଫଳ
 ତାଙ୍କ ସେବା କରିବାରେ ଦିଅ ଟିକେ ବେଳ"।

ଦୁନିଆଁରେ ପ୍ରତ୍ୟେକ ବ୍ୟକ୍ତି ଧନ, ଜନ ଓ ମାନ ଚାହିଁଥାନ୍ତି । ଯେ ସତ୍ୟାନୁସାରିଣୀ ଲକ୍ଷ୍ମୀ, ଅଭ୍ୟାସାନୁସାରିଣୀ ବିଦ୍ୟା ଓ କର୍ମାନୁସାରିଣୀ ବୁଦ୍ଧିକୁ ହାସଲ କରେ, ସେ ସମାଜରେ ଭଲ ମଣିଷ ଭାବେ ପ୍ରତିଷ୍ଠିତ ହୋଇଥାଏ । ଭଗବାନ ମନୁଷ୍ୟକୁ ବିବେକ ସହ ଜନ୍ମ ଦେଇଥାନ୍ତି । ସେ ନ୍ୟାୟବାନ ହୋଇ କେତୋଟି ବିଶିଷ୍ଟ ଗୁଣର ଅଧିକାରୀ ହୁଏ ।  ସମାଜର ହିତ ସାଧନ କରିବାକୁ ସଦା ତତ୍ପର ରହି ସୁକର୍ମକୁ ଆପଣେଇଥାଏ ।

କର୍ତ୍ତବ୍ୟ ପରାୟଣତା: କର୍ମମୟ ଜୀବନ ମଧ୍ୟରେ କେଉଁ କାର୍ଯ୍ୟଟି କରଣୀୟ, କେଉଁଟି ଅକରଣୀୟ, ତାହା ନୀତିବାଦୀ ପଣ୍ଡିତମାନଙ୍କ ଦ୍ୱାରା ସ୍ଥିରୀକୃତ ହୋଇପାରିଅଛି । ପ୍ରଶସ୍ତି ଦୃଷ୍ଟିରେ ଦେଖିଲେ ପିତାମାତା, ପୁତ୍ରକନ୍ୟା, ପତି ବା ପତ୍ନୀ, ଗ୍ରାମ ଓ ଦେଶ  ଏବଂ ଜୀବଜଗତ ପ୍ରତି ଭଲ ମଣିଷର କର୍ତ୍ତବ୍ୟ ସୁନିର୍ଦ୍ଦିଷ୍ଟ ହୋଇଥାଏ । ନିଜର କର୍ତ୍ତବ୍ୟ ପାଳନ ପ୍ରତି ଆଗ୍ରହ ଓ ନିଷ୍ଠା ରଖିଥିବା ମଣିଷ ଆଳସ୍ୟ ଓ ଅଭିମାନକୁ ସ୍ଥାନ ଦେଇ ନଥାଏ । ଏହାଦ୍ୱାରା ଯେ କର୍ତ୍ତବ୍ୟ କରନ୍ତି ଓ ଯାହାଙ୍କ ପାଇଁ କରୁଥାନ୍ତି, ଉଭୟେ ଉପକୃତ ହୋଇଥାନ୍ତି । ଭଗବାନ ନିଜେ ଅବତାର ଘେନି ନିଜ କର୍ତ୍ତବ୍ୟ ପାଳନ କରି କଷ୍ଟ ମଧ୍ୟ ପାଇଛନ୍ତି । ସେ ପ୍ରଭୁ ରାମ ହୁଅନ୍ତୁ ବା କୃଷ୍ଣ । କର୍ତ୍ତବ୍ୟ ସର୍ବଦା ନୈତିକ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ଥିବାରୁ ତାହା ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପକ୍ଷରେ କଲ୍ୟାଣକର ହୁଏ।ତହିଁର ସୁପ୍ରଭାବ ସମାଜ ଉପରେ ପଡି ସହଜ ସଭ୍ୟତାର ନାମ ଉଚ୍ଚତର ହୁଏ ।

ସମୟାନୁବର୍ତ୍ତିତା: ସୀମିତ ଆୟୁଷ ମଧ୍ୟରେ ମନୁଷ୍ୟ ପକ୍ଷରେ ସମୟର ମୂଲ୍ୟ ଯେ କେତେ ବେଶି, ତାହା ବିବେକ ସମ୍ପନ୍ନ ବ୍ୟକ୍ତି ହୃଦୟଙ୍ଗମ କରିପାରେ । ଶଯ୍ୟାତ୍ୟାଗରୁ ଆରମ୍ଭ କରି ଶଯ୍ୟାକୁ ଯିବା ପର୍ଯ୍ୟନ୍ତ ନିୟମିତ ଭାବେ ଯଥା ସମୟରେ ସମାହିତ କରିବା ଭଲ ଅଭ୍ୟାସଟି ଭଲ ମଣିଷ ପାଖରେ ରହିଥାଏ।ସେ ସର୍ବଦା ଆଳସ୍ୟ ତ୍ୟାଗୀ ହୁଏ । କାରଣ -

"ଆଳସ୍ୟ ହି ମନୁଷ୍ୟାଣାମ୍ ଶରୀରସ୍ଥ ମହାନ୍ ରିପୁଃ ନାସ୍ତି ଉଦ୍ୟମ ସମୋ ବନ୍ଧୁ କୃତ୍ଵା ଯଂ ନାବସୀଦତି ।"

ବଡ଼ ବଡ଼ ଯୋଦ୍ଧା, ଶାସକ, ରାଜନୀତିଜ୍ଞ, ପଣ୍ଡିତ ସେମାନଙ୍କ ଉନ୍ନତି ମୂଳରେ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ ଦେଇଥିଲେ।ମହାତ୍ମାଗାନ୍ଧୀ ସମୟର ପୂଜକ ଥିଲେ ।

ଶୃଙ୍ଖଳା : ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ଚରିତ୍ର ଗଠନ ଓ କୃତିତ୍ୱ ଲାଭ ନିମନ୍ତେ ଶୃଙ୍ଖଳା ଜ୍ଞାନର ପ୍ରୟୋଜନ ଅପରିହାର୍ଯ୍ୟ, ଯାହାକି ଏକ ଭଲ ମଣିଷ ପାଖରେ ଦେଖିବାକୁ ମିଳିଥାଏ । ଯୁବଶକ୍ତି ବିବେକାନନ୍ଦ ଜଣେ ଶୃଙ୍ଖଳିତ ଓ ଶିଷ୍ଟାଚାର ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ । ଚରିତ୍ର ଗଠନର ଅର୍ଥ ସଦାଚାରୀ ହେବା । କୁହାଯାଏ -

"ଥିଲେ ଥାଉ ପଛେ ଗୁଣ ହଜାର
ଚରିତ୍ର ନଥିଲେ ସବୁ ଅସାର।"
     
ସମାଜ ଓ ସାହିତ୍ୟ- ସମାଜରେ ମନୁଷ୍ୟର ଜନ୍ମ, ଅଭିବୃଦ୍ଧି ଓ ମୃତ୍ୟୁ । ସାମାଜିକ ପରିବେଶରେ ତା'ର ସୃଷ୍ଟି, ସ୍ଥିତି ଓ ଲୟ । ସମାଜରେ ହିଁ ଭାଷାର ଜନ୍ମ।ସାହିତ୍ୟ ସାହାଯ୍ୟରେ ମାନବ ସମାଜର କଲ୍ୟାଣ ସାଧିତ ହୁଏ । ସାହିତ୍ୟରୁ ଅନ୍ୟ ସମସ୍ତ ବିଭାଗର ସୃଷ୍ଟି ହୋଇଛି।ଆଜି ସାହିତ୍ୟ ଓ ସମାଜ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଜଡବିଜ୍ଞାନପରତନ୍ତ୍ର ସମାଜ ତା'ର ସ୍ଥିତି ଓ ପ୍ରଗତି ଲାଗି ପୂର୍ଣ୍ଣଭାବରେ  ସାହିତ୍ୟ ଉପରେ ନିର୍ଭର କରୁଛି । ସମାଜର ଆଦର ଅଭ୍ୟର୍ଥନାରେ ସାହିତ୍ୟର ସ୍ଥିତି  ଦୃଢ଼ ହୁଏ । ଜନନୀ ଓ ଜନ୍ମଭୂମିକୁ ଭଲ ପାଉଥିବା ମଣିଷ ସାହିତ୍ୟକୁ ଛାଡିପାରେ ନାହିଁ।କାରଣ "ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ ।" ଅମୂଲ୍ୟ ଏ ମାନବ ଜୀବନ । ପରମ ଶ୍ରେୟର ସ୍ଥିତିର ସାକ୍ଷାତକାର ଓ ସର୍ବୋତ୍କୃଷ୍ଟ ଆନନ୍ଦର ଉପଲବ୍ଧି ପାଇଁ ଏ ସଂସାରକୁ ଆମେ ଆସିଛୁ । ଆମ ମନ, ବଚନ ଓ କର୍ମରେ ଏକତା ରହିବା ଆବଶ୍ୟକ । ଚାଣକ୍ୟ କହିଛନ୍ତି,

"ମନସ୍ୟେକଂ ବଚସ୍ୟୈକଂ କର୍ମଣ୍ୟେକଂ ମହାତ୍ମାନାମ"

ଅଶୁଦ୍ଧତା, ଅପଵିତ୍ରତା ଉପରେ ବାରମ୍ବାର ବିଚାର କଲେ କାମ ବାସନା ଉପରେ ବିଜୟ ଲାଭ ହୁଏ । ସମାଜରେ ରହି ଏସବୁ କରିବା କଷ୍ଟକର ହୁଏ । ଅନେକ ସ୍ଥାନରେ ତାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ।ତା'ର ଜୀବନ ପ୍ରତି ବିପଦ ରହେ । ତଥାପି ଭଲ ମଣିଷ ନ ହାରି ନିଜକୁ ଯାହା ରୁଚେ ନାହିଁ ଅନ୍ୟ ଉପରେ ପ୍ରୟୋଗ କରେନାହିଁ । 'ଆତ୍ମନଃ ପ୍ରତିକୁଳାନି ପରେଷାଂ ନ ସମାଚରେତ୍।'

କଷ୍ଟ ମନୁଷ୍ୟକୁ ଶୁଦ୍ଧ କରେ । ପାପ  ଧୋଇ ଈଶ୍ୱରତ୍ୱ ଅଧିକାଧିକ ପ୍ରଘଟ କରାଏ । ଏଣୁ ଛଦ୍ମ ବେଶରେ ଥିବା କଷ୍ଟକୁ ଭଲ ମଣିଷ ବରଦାନ ରୂପେ ଗ୍ରହଣ କରେ । ଦେଶଭକ୍ତ, ଜନସେବକ ଏହାର ଜ୍ଵଳନ୍ତ ଉଦାହରଣ । ବିଶ୍ୱପ୍ରେମ ବିକାଶ କରି ଯେଉଁଠି ରହିଲେ ମଧ୍ୟ ଅନ୍ତରର ସୁବାସ ଦ୍ୱାରା ଜଗତକୁ ସୁବାସିତ କରେ ।

"ସମ୍ପଦ, ବିଦ୍ୟା, ସତ୍ୟ, ସତ୍ତା, ସୁସନ୍ତାନ
ଦିବ୍ୟାନୁଗ୍ରହ, କର୍ମଫଳ ଲଭେ ସେ ସପ୍ତ ଧନ।"

ସମ୍ବଲପୁର, ଓଡିଶା
ମୋ - ୭୯୭୮୫୬୮୩୨୨

Post a Comment

0Comments
Post a Comment (0)