ଚଉପଦୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ସତେ କେଡେ ସୁନ୍ଦର, ସହୀ ତୋର ଚନ୍ଦ୍ର ବଦନ,
ରୂପା ଜହ୍ନ ରୋଷଣୀରେ, ହେବ ଆମ ମିଳନ ।। (ଘୋଷା)

ମନ ହୂଏ ଆନମନା,  ଆଗୋ କନକ ବରନା,
ତୋ ବିହୁନେ ସବୁ ଲାଗେ ମୋତେ ଆଜି ଛିନାଛିନା;
ଆଗୋ ମୋର ମନ ମଇନା,  ଛଟ ପଟ ହୁଏ ଜୀବନ;
ସତେ କେଡ଼େ ସୁନ୍ଦର ସହି ତୋର... ।।

ତୁ ମୋର ଚନ୍ଦ୍ର ମଲ୍ଲୀ,  ହୃଦୟ ବିଥିକା କଳି;
ସଜଫୁଟା ଫୁଲ ମୋର ମୁଁ ସେହି କଳା ଭ୍ରମର;
ଦେଖି ମହୁ ଶୋଷିବା ପାଇଁ,  ଉଛନ୍ନ ହେଲାଣି ମୋ ମନ;
ସତେ କେଡ଼େ ସୁନ୍ଦର ସହି ତୋର... ।।

କଳା ମେଘେ ସୌଦାମିନୀ,  ସମାନ ଦିଶୁ କାମିନୀ;
ମୋମନ ସରୋବର ରାଜ ହଂସୀ ଗଜ ଗମନୀ;
ପ୍ରିୟବତୀ ସଉଭାଗିନୀ,  ନହୁଅରେ ବିମନା ଧନ;
ସତେ କେଡ଼େ ସୁନ୍ଦର ସହୀ ତୋର... ।।

ତୋହ ବିନା ଏ ପରାଣ,  ସତେ ସିନା ଅକାରଣ;
ମୁଁ କାୟାତୁ ମୋର ଛାୟା ତୁ ମୋର ଜୀବ ଜୀବନ;
ସାତ ଜନମର ବନ୍ଧନ, (ତୋ ପାଇଁ) ସମର୍ପିତ ମୋର ଜୀବନ
ସତେ କେଡ଼େ ସୁନ୍ଦର ସହୀ ତୋର ।।

ମଙ୍ଗଳାଯୋଡି, ଖୋର୍ଦ୍ଧା

VOL.IX,  ISSUE.V,  MAY-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)