ଏବେ ବି ବୋଉକୁ ମୁଁ ବୁଝିପାରିଲିନି
ତେତିଶବର୍ଷ ହେଲା ଛାଡିକି ଗଲାଣି
ସେ ଯିବାର କେତେବର୍ଷ ସବୁବେଳେ ତା କଥା ଭାବୁଥିଲି
ପୌଷମାସର ପାହାନ୍ତା ପହରରେ
ବୋଉ କଥା ମନେ ପଡିଗଲା
ମୁଁ ଦେଖିଚି ଏଡିକି ଶୀତରେ
ସେ ଘରଟା ଯାକର ବାସନ ମାଜୁ ଥିବାବେଳେ
କହୁଥିଲା ଦେଖୁଚୁ ତ ପୁଅ
ପାଠ ଦି' ଅକ୍ଷର ପଢିଥିଲେ
ଏ ନିଉଛୁଣା ଜୀବନ ମୋ ଏମିତି ନଥାନ୍ତା
ଆମ୍ବଗଛ ଫାଙ୍କରୁ ଉଇଁ ଆସୁଥିବା
ସୂର୍ଯ୍ୟକୁ ଦେଖି ମୁଁ କହିଲି
ବୋଉ ଦେଖିବୁ ମୁଁ ନିଶ୍ଚେ ପାଠ ପଢ଼ିବି ମଣିଷଟେ ହେବି ॥
ଦିନେ ଦେଖିଲି ଫୁଂକୁନଳୀରେ
କାଠ ଚୂଲି ଫୁଙ୍କି ଫୁଙ୍କି ନୟାନ୍ତ ହେଲାବେଳେ
ମୋତେ କହିଲା, ଦେଖୁଚୁ ତ ପୁଅ
କେତେ କଷ୍ଟ ମୋର ଏ ପୋଡା ଜୀବନରେ
ଗଳି ପଡୁଥିବା ହ୍ୟାଫ ପେଣ୍ଟକୁ
ଟିକେ ଉପରକୁ ଟେକିଦେଇ କହିଲି,
ବୋଉ ଦେଖିବୁ ମୁଁ ବହୁତ ପାଠ ପଢ଼ିବି
ତୋତେ ଜମା ହନ୍ତସନ୍ତ ଆଉ ହେବାକୁ ଦେବିନି ॥
ହାଡ଼ ଦି ଖଣ୍ଡ ଥିବା ଶରୀରରେ ବାଡ଼ିପଟ ଖତ ଗଦାରୁ
ଗାଣ୍ଡୁଏ ଗୋବର କାଖରେ ଆଣି
ଦୁଆର ଲିପୁ ଲିପୁ ଥକିଗଲା ବେଳେ ବୋଉ କହିଲା
ମୋ ଦଶା ଦେଖୁଚୁ ତ ଧନ
ମନଦେଇ ପଢୁଥିବୁ ପାଠ
ମୁଢି ସେଉ ଚୋବାଉ ଥିବାବେଳେ
ମୁଁ କହିଲି ବୋଉ ଦେଖିବୁ ମୁଁ ବହୁତ ପଢ଼ିବି
ତୋର ସବୁ ଦୁଃଖ ଦୂର କରିଦେବି ॥
ମୁଁ ପଢି ଚାଲିଲି ଆଗକୁ ଆଗକୁ
ସ୍ୱପ୍ନରେ ନୂଆ ନୂଆ ରଙ୍ଗ ଭରି...
ତା' ଅସ୍ଥି ତ୍ରିବେଣୀରେ ବିସର୍ଜନ କରିଛି
ପ୍ରତି ବର୍ଷ ପିଣ୍ଡଦାନରୁ ତ୍ରାହି ପାଇବା ପାଇଁ
ଗୟାରେ ପିଣ୍ଡଦାନ ସାରି ଦେଇଛି
ସମାଜରେ ଯୋଗ୍ୟପୁଅ ହୋଇଛି
ହେଲେ ବୋଉକୁ ଦେଇଥିବା କଥା ମୁଁ କିଛି କରିନି
ଭୁଲିଯାଇଛି ନା ଜାଣିଶୁଣି କରିନି
ତା ଏବେବି ରହାସ୍ୟାବୃତ୍ତ ହୋଇ ମୋ ମନକୁ ଘାରୁଛି... ॥
ମଲ୍ଲୀପୁର, ନିଆଳ, ଖୋର୍ଦ୍ଧା
ଦୂରଭାଷ : ୯୪୩୯୦୧୧୦୬୩
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।