ପ୍ରଭାତେ ଚିଲିକା - ପ୍ରଶାନ୍ତ କୁମାର ସାହୁ

0

ଝରିଆସେ ପ୍ରାଚୀକୂଳୁ କନକ ଦ୍ୟୁତି
ନିତ୍ୟ ଉଦ୍ଦୀପିତ ବକ୍ଷେ ଜଗାଇ ପ୍ରୀତି
ସଧୀର ନୀଳିମ ଊର୍ମି ନୀରୋଳ ଅତି
ପ୍ରତ୍ୟୁଷେ ଚିଲିକା ରୂପ ବିରୋଳ କୃତି ॥

ମଧୁର କାକଳି ମଧ୍ୟେ ମୀନ ଉଚ୍ଛୁଳେ
କିବା ବରଯାତ୍ରୀ ଯାଏ ପ୍ରଭାତୀ କାଳେ !
ହଂସ ହଂସରାଳି ଖେଳ ନୀଳାମ୍ବୁ ଜଳେ
ସିନ୍ଧୁ ଘୋଟକ ପହଁରା ଭାବ କବଳେ ॥

କ୍ଷୁଦ୍ର ଦ୍ୱୀପପୁଞ୍ଜେ ପୁଷ୍ପ ବସନ୍ତୋତ୍ସବ
ଉଲ୍ଲସିତ ମନ ଦେଖି ଦିବ୍ୟ ବୈଭବ
ବାସନ୍ତୀର ସ୍ଵନେ ମୁଗ୍ଧ ପଝାରି ଭାବ
ଗୀତ ଗାଇ ମାଝି ଧୀରେ ବାହୁଛି ନାବ ॥

ସୁନୀଳ ଲୋଳିତ ଦେହେ କାହା ପରଶ
ନିରୀହ କୋମଳ ହୃଦ ନିତ୍ୟ ସରସ
ପ୍ରତ୍ୟୁଷ-ପ୍ରଦୋଷେ ସଦା ଭାଙ୍ଗେ ଅଳସ
ସାଗରକନ୍ୟା ସେ ରୂପେ ଭରିଛି ହସ ॥

ପାବନୀ ଚିଲିକା ତୁହି ସରଗ ଭୂଇଁ
ଭାବୁକ ବିଳାସ ଚିର ଆନନ୍ଦମୟୀ
ଶାନ୍ତି କାନ୍ତି ଧର୍ମବତୀ କରୁଣାମୟୀ
ତୁମେ ତ ଚିଲିକା ତୁମେ ମା' କାଳୀଜାଈ ॥

ଛତ୍ରଗଡ, ବାଲୁଗାଁ, ଖୋରଧା
ଦୂରଭାଷ - ୯୯୩୭୩୦୦୪୧୨

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ