ସମୟ ବଡ ନିଷ୍ଠୁର - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ସତେ ସମୟ‌, ତୁ କରି ଦେଉ ସବୁ ଛାରଖାର
ସୁଖର ସଂସାର କରି ନାରଖାର
ଏହା କେଉଁ ବଡପଣ ତୋହର, ସତେ ସମୟ ତୁ...।।

ହସନ୍ତ ମୂହୁର୍ତ୍ତ ଚଳଚଞ୍ଚଳ ଲୋକାରଣ୍ୟେ କୋଳାହଳରେ
ଉଛୁଳି ଉଠୁଛି ପହଲଗ୍ରାମ ପରିବ୍ରାଜକଙ୍କ ମେଳରେ
ଭୂସ୍ଵର୍ଗ ଭାରତ ମା’ର ଅନନ୍ୟ କକ୍ଷ ବିଳାସ ବ୍ୟସନର
ସତେ ସମୟ ତୁ...।।

ବରଫାବୃତ ସେ ପ୍ରକୃତି କୋଳେ ମନୋମୟ ମୁଗ୍ଧ ରୂପସୀ
ଲଳନା ସମାନ ସୁଷମା ଶୋଭା ସେ ଭୂଖଣ୍ଡରେ ହସ ଖୁସି
ସହସା ମାତ୍ର ଆଖି ପିଛୁଳାକେ କେତେ ଝରିଲା ରକ୍ତ ଧାର
ସତେ ସମୟ‌ ତୁ...।।

ନବ ବଧୁ ପାଦୁ ଲିଭିନି ଲାକ୍ଷା ମଥାରୁ ପୋଛିଲୁ ସିନ୍ଦୂର
ସୁନାର ସଂସାର ପଲକେ ରଚେ ମନେ ସ୍ମୃତି ଚିତ୍ର ପ୍ରକାର
ବଦଳାଇ ଦେଲୁ ସ୍ଵପ୍ନର ଗତି କାଳତୁ ବଡ ଭୟଙ୍କର
ସତେ ସମୟ ତୁ...।।

ମୁର୍ହୁମୁହୁ ଅବିରାମେ ଗମନ ଏକା ନାହିଁ କାର ପ୍ରତିକ୍ଷା
ତାହାତେ ବନ୍ଧା ସକଳ ଜୀବନ ମାରେ ପୁଣି ଦିଏ  ସୁରକ୍ଷା
ନିଜ ଇଚ୍ଛା କୁ ନିଜେ କରେ ପୂର୍ଣ୍ଣ ଜୀବ ଉପଲକ୍ଷ ମାତର
ସତେ ସମୟ‌ ତୁ...।।

ମଙ୍ଗଳାଯୋଡି, ଖୋର୍ଦ୍ଧା

VOL.IX,  ISSUE.IV,  APRIL-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)