
ଅତିନ୍ଦ୍ରିୟ ରାଜ୍ୟେ ଘୁରା ନାହିଁ ଆଉ
ଅଟ୍ଟାଳିକା ଲୋଡା ନାହିଁ
ଅବାଟରେ ମନ ବାଟୋଇ ହୋଇଛି
ଅଠର ବୟସୀ ପାଇଁ ॥୧॥
ଅରୁଆ ଚାଉଳ ଖିରୀ ଲୋ ସଜନୀ
ଅରୁଚି ପାଟିକୁ ଭଲ
ଅଦେଖା ଦରବ ଦେଖାଇ କାହିଁକି
ଅଣଦେଖା କରିଦେଲ ॥୨॥
ଅପଢା ପାଠକୁ ପଢା ନାହିଁ ଆଉ
ଅଲୋଡା ଜୀବନ ଥାଉ
ଅବଢା ଭାଗ୍ୟରେ ନମିଳିଲେ ନାହିଁ
ଅଭାବରେ ଦିନ ଯାଉ ॥୩॥
ଅନୁଗ୍ରହ କରି ଅଭାବି ଜୀବନେ
ଅଜାଡି ଦେଲନି ମନ
ଅଲୋଡା ମଣିଷ ଅଗାଡି ସମାନ
ଅକର୍ମା ମୁଁ ହୀନଜନ ॥୪॥
ଅରଣା ମଇଁଷି ଓଘର ମାତିଛି
ଅନାରେ ଦନେଇ ଅନା
ଅଜଣା ନଈକୁ ଭରସା କରି ମୁଁ
ଅରଣ୍ୟରେ ବାଟବଣା ॥୫॥
କବି ଓ କବିତା ଭବନ
ମହୁଲ, ଅଙ୍ଗାରପଡା, ଖୋର୍ଦ୍ଧା
ଦୂରଭାଷ - ୮୧୧୪୬୦୯୨୮୦