ମୋ ଜୀବନ କାଳସ୍ରୋତରେ ପ୍ରବହମାନ ଘଟଣା ପୁଞ୍ଜି ହିଁ ମୋ ଜୀବନ ଇତିହାସର ସାମଗ୍ରୀ । ସେଥିରେ ଅଛି କିଛି ଘଟଣା, କିଛି ଦୁର୍ଘଟଣା, କିଛି ସୁଖ, କିଛି ଦୁଃଖ, କିଛି ଆନନ୍ଦ ଓ କିଛି ଯନ୍ତ୍ରଣା । ଅଧିକାଂଶ ଭାବିଥିଲେ ମୁଁ ପ୍ରେମ ବିବାହ କରିବି, କିନ୍ତୁ ଘରଲୋକଙ୍କ ଚେଷ୍ଟା, ଝିଅ ଖୋଜା ଓ ଦେଖିବାର ବ୍ୟବସ୍ଥା ଭିତରେ ମୋ ବିବାହ ସୁରୁଖୁରୁରେ ହୋଇଗଲା । ଯାହାକୁ ପ୍ରେମ କରିଥିଲି ତାକୁ ବାହା ହୋଇପାରିନଥିଲି । ମୋ ବାହାଘରର ଅନେକ ବର୍ଷ ପରେ ସେଇ ଝିଅ ସହ ମୋର ଦେଖାହେଲା । ସେ କିନ୍ତୁ ବାହା ହୋଇନଥିଲା । ମୋତେ ପଚାରିଲା;
- କେମିତି ଅଛ ସତ୍ୟକାମ? ଦିନ ତୁମର ବହୁତ ଖୁସିରେ ବିତୁଥିବ । ମୋ କଥା ମନେ ପଡ଼େନା ?
- ହଁ ଭଲ ଅଛି । ମୁଁ କହିଲି..
'କିଛି ନୂତନତ୍ୱ ନାହିଁ । ଦୈନନ୍ଦିନ ଜୀବନ ସୁଖ ଦୁଃଖ ଭିତରେ ଚାଲୁଛି । ତୁମ କଥା ମନେପଡେ । ବେଳେବେଳେ ଅତର୍କିତ ଭାବେ ତୁମେ ମୋ ମନଭିତରକୁ ଧସେଇ ପଶି ଆସ ସୁଲଗ୍ନା ।'
ସୁଲଗ୍ନା :-ତୁମେ ଵିବାହିତ। ମୋ ବିଷୟରେ ଭାବିବା ତୁମର ପାପ ।
ମୁଁ :- ଯୌବନର ନିର୍ବୋଧ ଏବଂ ବିବେକଶୁନ୍ୟ ଅସ୍ଥିରତା ଓ ଉଦବେଗ ପାପର ଭୟାବହତାର ଉତ୍ପୀଡ଼ନ, ଦେହର ପ୍ରବଞ୍ଚନାକାରୀ ପ୍ରଲୋଭନ, ଭୌତିକ ଜନିତ ମୋହ, ଆତ୍ମସନ୍ତୋଷ ଜୀବନର କୁପରିମାଣର ଖୁସି ମୋତେ ତୁମ ପାଖକୁ ଟାଣିନିଏ ସୁଲଗ୍ନା । ତୁମେ ମୋ ପାଇଁ ଅଧିକ ଆକର୍ଷଣର ପାତ୍ର ହୋଇଯାଅ ସୁଲଗ୍ନା ।
- ଛି.. ଏପରି ଭାବିବା ତୁମ ପାଖେ ଅଶୋଭନୀୟ ଅଟେ ସତ୍ୟକାମ । ଜୀବନକୁ ଖାଲି ସୁନ୍ଦର କରି ଦେଖାଉଥିବା ଓ ତଦ୍ୱାରା ବାସ୍ତବ ସତ୍ୟରୁ ଦୂରକୁ ପଳାଇଯିବା ଲାଗି ତୁମକୁ ସାହାଯ୍ୟ କରୁଥିବା ତୁମ ମନ ଆନନ୍ଦ ଅନ୍ୱେଷଣ କରିବାର ସ୍ୱାଧୀନତା ଅଛି ବୋଲି ତୁମେ କଣ ତୁମ ସ୍ତ୍ରୀ'କୁ ଧୋକା ଦେବ କି ? ସବୁ ପୁରୁଷ ବୋଧେ ଏହିପରି । ହାତପାହାନ୍ତାରେ ଥିବା ସ୍ତ୍ରୀ କୁ ପାଖରେ ପାଇ ହାତପାହାନ୍ତାର ଅନେକ ଦୂରରେ ଥିବା ସ୍ତ୍ରୀ ପ୍ରତି ଅହେତୁକ ଦୁର୍ବଳତା ରଖି ପୁରୁଷପଣିଆକୁ ସାବ୍ୟସ୍ଥ କରିବାରେ ଆନନ୍ଦ ପାଆନ୍ତି ।
କାହିଁକି ଜଣେ ଵିବାହିତ ପୁରୁଷ ବି ଅନ୍ୟ ନାରୀ ସହ ସଂଶ୍ଲିଷ୍ଟ ହୋଇପଡେ ? ନିଜର ସ୍ତ୍ରୀ ଦେହସୁହା ହୋଇଯାଏ, ସେଇଥିପାଇଁ ? ଅନ୍ୟ ନାରୀ ସହଜରେ ମିଳେ ନାହିଁ, ସେଥିପାଇଁ ? ସୁଲଗ୍ନା ଭାବୁଥିଲା, ସେ ଅନ୍ୟ ନାରୀ ଭୂମିକାରେ ସତ୍ୟକାମ ମନରେ ରହୁନାହିଁ ତ ? ବିବାହ ନକରି ସତ୍ୟକାମ ମନଧ୍ୟାନ ହରଣ କରୁନି ତ ? ସୁନ୍ଦରୀ, ଆକର୍ଷଣୀୟା... ଏଥିରେ ସନ୍ଦେହ ନାହିଁ ।
ପୁରୁଷ ସମାଜକୁ ସୁଲଗ୍ନାର ବହୁତ ଘୃଣା। । ସେ ଭାବେ ନାରୀମାନେ ଜନ୍ମ ସମୟରୁ ହିଁ ପୁରୁଷର ଆଶ୍ରିତ ହୋଇ ବଢିଉଠିଥାନ୍ତି ସମାଜରେ । ବିବାହ ଗୁଡିକରେ ବି ଖୁଵ ଦମନମୂଳକ ସମ୍ପର୍କ ଏଠି । ଅଧିକାଂଶ ସ୍ୱାମୀ ସେମାନଙ୍କର ସ୍ତ୍ରୀ ମନଲାଖି ନୁହନ୍ତି । ବିବାହର କିଛି ବର୍ଷ ପରେ ସ୍ୱାମୀର ସୋହାଗଯତ୍ନ କୁଆଡେ ମିଳେଇଯାଏ । ସ୍ତ୍ରୀ ଲୋକମାନେ ପୁରୁଷକୁ ନେଇ ସ୍ୱପ୍ନାତୁରା, ସେମାନଙ୍କୁ ଭଲଲାଗେ କଳ୍ପନାବିଳାସ, କିନ୍ତୁ ସେସବୁ ପରେ ପରେ ଆଉ ସ୍ୱାମୀଠାରୁ ମିଳିନଥାଏ । ଗୋଟେ ଶାଢ଼ୀ, ଗୋଟେ ଗହଣାରେ ସୀମିତ ନଥାଏ ଗୋଟେ ସ୍ତ୍ରୀ ଲୋକର ଚାହିଦା । ଅଥଚ ସବୁ ଇଛାକୁ ଦବେଇ ରଖିବାକୁ ହୁଏ ତାକୁ ସାରା ଜୀବନ । ଗୋପନ କରେ ସତ, କିନ୍ତୁ ସମ୍ପୂର୍ଣ୍ଣ ଧ୍ୱଂସ କରେନି ସିଏ । ସେଥିପାଇଁ ସୁଯୋଗ ସୁବିଧା ମିଳିଲେ ମନଲାଖି, ଉଦାର ପୁରୁଷକୁ କାମନା କରେ ନାରୀ । ପ୍ରେମ ସବୁବେଳେ ସତେଜ ଥିଲେ ସୁନ୍ଦର । ବୋଧେ ସେଥିପାଇଁ ସେ ବାହା ହେବାକୁ ଇଛା କରିନି । ଏବେ ଭାବୁଚି ସେଇ ଭୁଲ ସେ ସତ୍ୟକାମ ପାଖେ କରୁନି ତ? ସତ୍ୟକାମକୁ ସେ ଭଲ ପାଉଥିଲା । ତା' ବାହୁ ବନ୍ଧନ ଭିତରେ ନିଜକୁ ହଜାଇ ଦେବାକୁ ଚାହୁଁଥିଲା । ଏବେ ବି ଚାହୁଁଛି ।
ବିରଞ୍ଚି ନାରାୟଣ ମିଶ୍ର, ଭୁବନେଶ୍ୱର