ସାଇକଲଟା ପୁରୁଣା ହୋଇଗଲଣି । ସ୍କୁଲ ବାହାରିଲା ବେଳେ ଚେନ ଖସିଗଲା ହୁଏତ ଭାରସାମ୍ୟ ହରେଇ ପଡିଯାଇଥାନ୍ତେ ରବି.ସେମିତି ହେଲାନି । ସାଇକଲକୁ ସମ୍ଭାଳି ନେଲେ । ଚେନ ଦେବାକୁ ଆପ୍ରାଣ ଚେଷ୍ଟା କଲେ । ଥରେ ଦୁଇଥର ପାଞ୍ଚଥର. ଚେନ ଲାଗିଗଲା ଶେଷକୁ. କେଁ..ଏଁ..କଟ, କେଁ...ଏଁ.. କଟ ସାଇକଲ ଗଡି ଚାଲିଲା ଆଗକୁ । ତାଙ୍କ ଜୀବନର ତାଳ, ଲୟ, ଛନ୍ଦ ଓ ଏଇ କେଁ..ଏଁ...କଟ ଚିତ୍କାର ଭିତରେ ଟିକିଏ ବି ଫରକ ନଥିଲା ଯେପରି ।
ଝର୍କା ପାଖରେ ଲତା ଵେତ ଚେୟାରଟାରେ ବସିଥିଲେ ଚୁପଚାପ ମେଘ ଢଙ୍କା ଆକାଶ ପରି । ଟିକିଏ ପରେ ଉଠି ସକାଳର ସବୁ କାମ ସାରି ଶୋଇବାଘରେ ହାରମୋନିୟମରେ ସୁର ତୋଳିଲେ : -ଛାଡ଼ ଛାଡ଼ ମୋର ଅଞ୍ଚଳ.... ପିଣ୍ଡା ଧାରରେ ସାଇକଲ ଡେରି ଘରେ ପାଦ ଥାପୁ ଥାପୁ ଗାମୁଛାଟେ ଟାଣିଆଣି ଧଡ଼ାସ ପଶିଗଲେ ପାଇଖାନା ଭିତରକୁ ରବି । ଲତା ପାଇଖାନା ପାଖକୁ ଯାଇ ପଚାରିଲେ କଣ ହେଲାକି ? ଉତ୍ତର ନଦେଇ ପାଇଖାନା ଭିତରେ ତାଳି ମାରିଲେ ରବି । ପ୍ରାୟେ ଘଣ୍ଟାଟେ ବିତିବାକୁ ବସିଲା । ଲତା ପାଟିକରି ଉଠିଲେ :କଣ ପାଇଖାନା ଭିତରେ ସେମିତି ପଶିଥିବ? ଲତା ପାଟିଶୁଣି ବାହାରି ଆସିଲେ ପାଇଖାନାରୁ କହିଲେ ପେଟ ଟିକେ ଖରାପ ହୋଇ ଗଲାତ..... ପାଣି ଗିଲାସେ ପିଇ ସାର୍ଟପ୍ୟାଣ୍ଟ ଗଳେଇ ବାହାରି ଯାଉଥିଲେ ରବି । ଲତା ବ୍ୟାଗଟାଏ ହାତକୁ ବଢ଼େଇ ଦେଇ କହିଲେ :
- ମୋ ପାଖରେ ତିରିଶ ଟଙ୍କା ଥିଲା, ନିଅ.. କଣ ପରିବାପତ୍ର ଆଣିବ । ପରିବା ମାର୍କେଟରେ ପହଞ୍ଚି କେତେବେଳେ ସେ ଆଳୁ, ସାରୁ, ବାଇଗଣ, ଖଡା, ଅଦା, ପିଆଜ, ରସୁଣ, କଦଳୀ କିଣିସାରିଥିଲେ ଜଣା ନଥିଲା ତାଙ୍କୁ. ଏତିକିବେଳେ ପୁଣି ପେଟ କାଟିଲା ଔଷଧ କଥା ମନେ ପଡିଗଲା ରବିଙ୍କର । ସେ ପଇସା ଗଣିଲେ ସାତଟଙ୍କା ! କଣ କରିବେ ଔଷଧ ଦୋକାନ ଆଡେ ସାଇକଲ ଗଡ଼ାଇଲେ.. । ପରିବା ବ୍ୟାଗଟିକୁ ଲତାଙ୍କ ହାତକୁ ବଢ଼ାଇଦେଇ ରବି ହାତ ଧୋଇବାକୁ ଚାଲିଗଲେ... ୟା'ରି ଭିତରେ ଲତା ଦି ଖଣ୍ଡ ଜନ୍ତାରୁଟି, କଦଳୀ ଓ ଅମୃତଭଣ୍ଡା ସିଝା କିଛି ବାଢ଼ିଦେଇ ଚାଲିଗଲେ । ରବି ଦେଖି ନଦେଖିବାର ବାହାନାରେ ଖାଇ ବସିଲେ ଢେର ଡେରିରେ ଓ ଚଦରଟାକୁ ଟାଣିନେଇ ଟିକିଏ ଶାନ୍ତିରେ ଜବରଦସ୍ତି ଶୋଇ ପଡ଼ିବାକୁ ଚେଷ୍ଟା କଲେ । ମାତ୍ର ବ୍ୟର୍ଥତାର ଚଦର ଢାଙ୍କି ହୋଇଗଲା ତାଙ୍କ ପାଦରୁ ମୁଣ୍ଡଯାଏ । ଲତା ଘରକାମ ସବୁ ସାରି ଶୋଇବାକୁ ଆସିଲା ବେଳେ ଦେଖିଲେ ରବି ଶୋଇନାହାନ୍ତି । ତାଙ୍କ ଦେହକୁ ଲାଗି ଶୋଇ କହିଲେ ଗୋଟେ କଥା କହିବି ତୁମ କାନରେ ହେଲେ ମୋତେ ଚୁମା ଦେଲାପରେ...
-କି ସରାଗ କଥା କହିବ କହୁନ
ନାଇଁ ତୁମେ ଚୁମା ଦେଲାପରେ
ରବି ସବୁ ଯନ୍ତ୍ରଣା ଭୁଲି ସତରେ ଚୁମାଟିଏ ଦେଇଦେଲେ ଲତା ଗାଲରେ । ଲାଜରେ ଝାଉଁଳି ପଡିଲେ ଲତା.ଚୁପକରି ରବି କାନରେ କହିଲେ,
-ତୁମେ ବାପା ହେବାକୁଯାଉଛ ସରଗରୁ ଚାନ୍ଦ ଖସିଗଲା ପରି ରବିଙ୍କୁ ଲାଗିଲା । ଆର ଗାଲରେ ପୁଣି ଚୁମାଟିଏ ଦେଲେ ରବି । ଖୁସିରେ ଆଉ କିଛି କହିବାର ନଥିଲା । ନୀରବତାର ହାତଟିଏ ଲମ୍ବିଗଲା ଆଗକୁ...। ତାଙ୍କ ନିଷ୍ପଲକ ଆଖି ଲତାଙ୍କ ଆଖିରେ କ୍ଷଣଟିଏ ଅଟକିଗଲା ଓ ପୁଣି ଫେରି ଆସିଲା ମୁହଁଠୁ ପା ଯାଏ । ଦେହରେ ଅଳନ୍ଧୁ ପରି ବେଢ଼ି ଯାଇଛି ଠାଆ ଠାଆ ଚିରା ମଳିଆ ଶାଢ଼ୀଟେ ! ପରିପୂର୍ଣ୍ଣ ଗର୍ଭସ୍ଥ ସନ୍ତାନଟି ବାରିହେଇ ପଡୁଛି । ସ୍ପଷ୍ଟ ବାରିହେଇ ପଡୁଛି ରବିଙ୍କର ଆଖିରେ । ସେ ଲତାଙ୍କ ହାତ ଧରି ପକେଇଲେ. ଖୁଵ ଧୀରେ ତାଙ୍କ କମ୍ପିତ କଣ୍ଠରୁ ଝରି ଆସିଲା ଲତା, ତମେ ମତେ ଅଭିଶାପ ଦିଅ । ଏକଥା ଲତାଙ୍କୁ ଶୁଭିଥିଲା କି ନା ତାହା ଠିକକରି କହି ହବନି କିନ୍ତୁ ରବି ଆରକଡକୁ ମୁହଁ ବୁଲାଇନେଲେ ।
ଲତାଙ୍କର ଛଅ ମାସ ପୁରି ସାତମାସ ଚାଲିଲା । ରବି ସ୍କୁଲ ବାହାରିଲାବେଳେ ଲତା ବ୍ୟାଗଟିଏ ଧରାଇଦେଇ କହିଲେ ଆସିଲା ବେଳେ ଆମ୍ବ ଆଣିବ । ଟିକିଏ ହସି ରବି ସାଇକଲ ଧରି ବାହାରିଗଲେ । ବଜାରରେ ଆଜି ବହୁତ ଆମ୍ବ । ମୂଲଚାଲ କରି ଦୁଇ କେଜି ଆମ୍ବ ବ୍ୟାଗରେ ରଖି ଘରକୁ ଫେରିଲେ ରବି । ଆମ୍ବ ଦେଖି ଖୁସିହେଲେ ଲତା । ଆମ୍ବ ସବୁ ଧୋଇଧାଇ ତାଟରେ ରଖିଲାବେଳେ ରବି ଆମ୍ବଟେ ଲତାଙ୍କ ପାଟିରେ ମାଡିଦେଲେ । ବହୁତ ମିଠା ଆମ୍ବ, ଗୋଟେ ଖାଉଖାଉ ତିନି ଚାରୋଟି ଖାଇ ଟାକୁଆ ସବୁକୁ ଝରକା ବାଟେ । ବାଡି଼କୁ ଫୋଫାଡ଼ି ଦେଲେ ଲତା । ରବି ମୁହଁରେ ପରିତୃପ୍ତିର ହସ । ସେଦିନ ଲତା ଖୁଵ ବ୍ୟସ୍ତ, ବିବ୍ରତ ହୋଇ କହିଲେ, ଏ.... ଶୁଣୁଚଟି ! ଭାରି କଷ୍ଟ ଲାଗୁଚି । କଣ ପିଲାପିଲି ହବ ବୋଧେ । ରବି ଲତାଙ୍କ ମୁହଁକୁ ବୁଲିପଡି ଚାହିଁ ଆଖି ଫେରେଇନେଲେ । ଲତା ପ୍ରସବ ବେଦନାରେ ଛଟପଟ ହେଇ କାନ୍ଥକୁ ଭରାଦେଇ ସେତେବେଳକୁ ବସି ପଡିଥିଲେ ଭିତର ପିଣ୍ଡାରେ । ଲତାକୁ କୋଳେଇନେଇ ଖୁଵ ଧୀରେ ରବି ଆଗେଇଗଲେ ଶୋଇବା ଘର ଆଡେ । ବିଛଣା କଲେ ଓ ତାଙ୍କୁ ଆସ୍ତେ ଶୁଆଇ ଦେଲେ । ଏବଂ ଏକମୁହାଁ ଧାଇଁଲେ ଆମ୍ବୁଲାନ୍ସ ଆଣିବା ପାଇଁ ।
ଏବେ ଲତା ପାଖ ହସ୍ପିଟାଲରେ । ରବି ଶୁଣିପାରୁଥିଲେ ଲତାଙ୍କର କରୁଣ ମର୍ମନ୍ତୁଦ, ହୃଦୟ ବିଦାରକ ଚିତ୍କାର । ଆଖିବୁଜି ଆକୁଳ ପ୍ରାର୍ଥନା କରୁଥିଲେ ଘରପାଖ ମହାଦେବଙ୍କୁ । ପ୍ରଭୁ.. ଲତାଙ୍କୁ ଏ କଷ୍ଟରୁ ପାର ଉଦ୍ଧାର କର ପ୍ରଭୁ । ତାଙ୍କୁ ଏତେ ଦହଗଞ୍ଜ କରନା... କଷ୍ଟ ଦିଅନା..। କିଛି ସମୟ ପରେ ସମଗ୍ର ପରିବେଶରେ ମୁଖରିତ ହୋଇ ଉଠିଲା ଶିଶୁଟିର କୁଆଁ କୁଆଁ କାନ୍ଦରେ । ରବିଙ୍କର ଉତ୍କଣ୍ଠା ବଢିଗଲା ।
ପୁଅ ନା ଝିଅ କେମିତିଆ?
ଦିଦିଙ୍କ କଣ୍ଠରୁ ଭାସି ଆସିଲା : ପୁଅ । ଗୋରା ତକତକ ଖୁଵ ସୁନ୍ଦର ପୁଅଟେ ।
ହସ୍ପିଟାଲରୁ ଫେରିଲେଣି ଲତା କୁନିପୁଅ ସହ । ଆଜି ପୁଅର ଏକୋଶିଆ ବେଶୀ କୁଣିଆ ମୈତ୍ର ଆସିନାହାନ୍ତି । ରବି ଆସି ଲତାଙ୍କୁ ପଚାରିଲେ ପୁଅର ନାଁ କଣ ଦେବା । ଲତାଙ୍କ ପାଟିରୁ ବାହାରି ପଡିଲା ଭାନୁପ୍ରତାପ ନାଁ ଦେଲେ ଭଲ ହୁଅନ୍ତା ନାଇଁ ! ମୁଣ୍ଡ ହଲାଇ ରବି କହିଲେ ବହୁତ ଭଲ ହବ। ନାଁ ଦିଆହେଲା ଭାନୁପ୍ରତାପ । ଘର ଧୁଆଧୋଇ ସାରି ମଇଳା ବାଡି଼କୁ ଫୋଫାଡ଼ିବାକୁ ଗଲେ ଲତା । ଦେଖିଲେ ବାଡ଼ି ଝରକା ପାଖରେ ଡଉଲ ଡାଉଲ ଆମ୍ବ ଗଛଟିଏ ହୋଇଛି. ରବିଙ୍କୁ ଖୁସିରେ ଡାକ ପକାଇଲେ :ହେଇଟି ଶୁଣୁଚ ଜଲଦି ବାଡ଼ିପଟକୁ ଆସ ଦେଖିବ କେଡେ ସୁନ୍ଦର ଆମ୍ବ ଗଛଟିଏ ହୋଇଛି. ରବି ବାଡି଼କୁ ଆସି ଦେଖିଲେ ଆମ୍ବ ଗଛକୁ. କହିଲେ ଲତା ଏ ଗଛକୁ ଏଠାରୁ ଉପାଡି ଖତଗଦା ପାଖେ ପୋତି ଗଛର ନାଁ ଦେଇଦେବା ସ୍ୱପ୍ନିତା । ହସି ହସି ଲତା କହିଲେ ଆରେ ବାଃ... ବଢିଆ ନାଁ ଟେ ତ. ଶୁଣ ତୁମେ ଯା ପୁଅକୁ ଘାଡାଘୋଡ଼ିକରି ଆଣ ସେ ତା କଅଁଳିଆ ହାତରେ ଟିକେ ନୂଆ ଗଛକୁ ଛୁଇଁ ଦବ । ରବି ଘର ଭିତରକୁ ଯାଇ ପୁଅକୁ ଆଣି ଆମ୍ବ ଗଛ କଅଁଳ ଡାଳକୁ ଛୁଆଁଇ ପୁଅକୁ ଲତାଙ୍କ ହାତକୁ ବଢ଼ାଇ ଦେଲେ । ପୁଅର ମୁହଁରେ ଖୁସିର ପ୍ରଥମ ହସ ଦେଖି ଛାତିରେ ଜାକି ପକାଇଲେ ଲତା. ସମସ୍ତେ ଘର ଭିତରକୁ ଗଲେ । ପୁଅ କାନ୍ଦୁଚି, ଯେତେ ବୁଝାଇଲେ ବୁଝୁନି । ଲତା କାନ୍ଧରେ ପକାଇ ନାଇଁଲୋ ମୋ ଧନ କାନ୍ଦେନି ନେ କ୍ଷୀର ଖାଆଲୋ ମୋ ଧନ..। କାନ୍ଦ ବନ୍ଦ ହଉନି । ଖଟରେ ସେମିତି ପୁଅକୁ ଶୁଆଇ ଲତା ହାରମୋନିୟମରେ ସୁର ତୋଳିଲେ......
ଦେଖିବ ପରା ଆସରେ ପ୍ରାଣ ସଜନୀ
ଶ୍ରୀବଂଶୀଧର ରୁପକୁ....
ଗୀତ ସରିଲା ବେଳକୁ ନିଘୋଡ଼ ନିଦରେ ଶୋଇପଡ଼ିଲା ପୁଅ । ରବି ଲତା ଗାଲକୁ ଟିକେ ଚିପିଦେଇ କହିଲେ କି ଯାଦୁ ତୁମ ସ୍ୱରରେ । ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁ ହସୁଥିଲେ ।
ମଲ୍ଲୀପୁର, ନିଆଳ, ଖୋର୍ଦ୍ଧା
ଦୂରଭାଷ : ୯୪୩୯୦୧୧୦୬୩