
ଆକାଶ କଇଁଆ ଚିଲିକା ମାଛ ଲୋ
ଆକାଶ ପାତାଳ ଛୁଇଁ
ଆଣ୍ଠୁଏ ପାଣିରେ ଆଣ୍ଠୁକୁଡା ମନ
ଆଣ୍ଠେଇଛି ତୋଅ ପାଇଁ ॥୧॥
ଆସି ନଥିଲେ ମୁଁ ଖୋଜୁଥିଲୁ କେତେ
ଆସିଲି ସରାଗ ନାହିଁ
ଆକଟ ମାନୁନି ଅଝଟିଆ ଇଚ୍ଛା
ଆତୁରେ ରହିଛି ଚାହିଁ ॥୨॥
ଆଷାଢ ମେଘ ତ ଆଖି ତିନ୍ତେଇଲା
ଆଉ କେ’ ପୋଛିବ ଲୁହ
ଆଶା ଆଶଙ୍କାରେ ବଞ୍ଚିଛି ଖାଲି ମୁଁ
ଆସି ଥରେ ଦେଖି ଯାଅ ॥୩॥
ଆହତ ଦେଏନା ଆଉ ଲୋ ସୁନ୍ଦରୀ
ଆନନ୍ଦ ପଥରେ ଧୋକା
ଆତୁରେ ପରାଣ ଝୁରୁଛି ତୋତେ ଲୋ
ଆଶଙ୍କାରେ ଏକା ଏକା ॥୪॥
ଆଇଁଷିଣିଆ ଏ ରକ୍ତ ମାଂସ ଦେହ
ଆକର୍ଷଣ କ୍ଷଣ ମାତ୍ର
ଆକାଶ କୁସୁମ ତୋଳି ଲାଭ ନାହିଁ
ଆତ୍ମା ପରମାତ୍ମା ସତ୍ୟ ॥୫॥
କବି ଓ କବିତା ଭବନ
ମହୁଲ, ଅଙ୍ଗାରପଡା, ଖୋର୍ଦ୍ଧା
ଦୂରଭାଷ - ୮୧୧୪୬୦୯୨୮୦
VOL.IX, ISSUE.VII, JULY-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।