
ଅସଜଡା ମନ ମୋର କେତେ ଆଶା ନେଇ
ଅନେକ ସପନ ଦେଖେ ପ୍ରିୟା ତମ ପାଇଁ ॥
ଅସହ୍ୟ ଯନ୍ତ୍ରଣା ଦିଏ ଅପେକ୍ଷାର ବେଳ
ଅସାମାନ୍ୟ ସୁନ୍ଦରୀ ଗୋ ଚଞ୍ଚଳ ବାହୁଡ ॥୧॥
ଅନୁଢା କିଶୋରୀଟିଏ ଅନଙ୍ଗବାଣରେ
ଅନିଶା କରଇ ନିତି ପ୍ରୀତି ଅପେକ୍ଷାରେ ॥
ଅତିଷ୍ଠ ମନଟି ତା'ର ଅନାହାରୀ ହୋଇ
ଅମାନତ ବନ୍ଧା ଦେଇ ଅମଡା ମାଡଇ ॥୨॥
ଅରଣା ମଇଁଷି ଭଳି ଏଇ ଯଉବନ
ଅନୁଶାସନ ମାନେନା ଅମାନିଆ ମନ ॥
ଅବଗୁଣ୍ଠନର ତଳେ ଅପ୍ରୀତି ଘଟାଇ
ଅବସୋସ କରେନାହିଁ ଅପରାଧୀ ହୋଇ ॥୩॥
ଅଭିଳାଷ ନାହିଁ କିଛି ଆଉ ଜୀବନରେ
ଅସ୍ତଗାମୀ ସୂର୍ଯ୍ୟ ଏବେ ବାହୁଡା ବାଟରେ ॥
ଅସ୍ତବ୍ୟସ୍ତ ମନ ଏବେ ଥମି ଯାଇଅଛି
ଅକପଟ ହୃଦୟରେ ତମକୁ ପାଇଛି ॥୪॥
ଅଣଚାଶ ବହିଲାଣି ସମୟ ଆଖର
ଅବଢା ପାଇବାପାଇଁ ମନଟା ବ୍ୟାକୁଳ ॥
ଅନ୍ଧାର ଭିତରେ ଦିଶେ ଉଜ୍ଜଳ ଆଲୋକ
ଅତୀତ ଯାଇଛି ହଜି ଡାକେ ଦିବ୍ୟାଲୋକ ॥୫॥
କବି ଓ କବିତା ଭବନ
ମହୁଲ, ଅଙ୍ଗାରପଡା, ଖୋର୍ଦ୍ଧା
ଦୂରଭାଷ - ୮୧୧୪୬୦୯୨୮୦