
କାହିଁ ଅଛ ହେ କୃଷ୍ଣ କେଶବ ମୁରାରୀ
ଖୋଜେ ବୃନ୍ଦାବନ ବନ ବିଥିକାରେ
କୁଞ୍ଜ କୁଟୀରରେ ବଂଶୀଧାରୀ, କାହିଁ ଅଛ ହେ ।
ଯମୁନା ପୁଳିନ ନତ ନୀପ ବନ
ନଟବର ରୂପ ତୁମର ମୋହନ
ଚିତ୍ର ପ୍ରାୟ ଆଖି ଆଗେ ଦୃଶ୍ୟମାନ
ଆହା କି ରୂପ ଛବି ମାଧୁରୀ, କାହିଁ ଅଛ ହେ ।
ଗୋକୁଳଙ୍କ ମେଳେ ଯାଇ ହେ ଗୋକୁଳେ
ଗୋବର୍ଦ୍ଧନ ଗିରି ପୂଣ୍ୟ ପଦ ତଳେ
ଅନୁଭବି ହୃଦେ ଖୋଜିଲି ବିକଳେ
କିମ୍ପା ଲୁଚିଛ ବନ ବିହାରୀ, କାହିଁ ଅଛ ହେ ।
ରାଧା କୁଣ୍ଡ ଶ୍ୟାମ କୁଣ୍ଡ ବଂଶୀ ବଟ
ଯାଇ ଖୋଜିଲି ମୁଁ ଗୋପ ବାଟ ଘାଟ
ଚଳଚିତ୍ର ପ୍ରାୟ ଦିଶ ତୁମେ ନଟ
କିନ୍ତୁ କେହି ନୁହେଁ ତୁମ ପରି, କାହିଁ ଅଛ ହେ ।
ନିଧିବନେ ଥିବ ରାଧାରାଣୀ ସଙ୍ଗେ
ଫୁଲ ଫଳ ଭରା ବନେ ବଡ ରଙ୍ଗେ
ସବୁ ଭାବନା ମୋ ଦୂର ହେଲା ଭ୍ରମେ
କେଣେ ଲୁଚିଅଛ ଚକ୍ରଧାରୀ, କାହିଁ ଅଛ ହେ ।
ନନ୍ଦ ମନ୍ଦିର ତ ଦିଶୁଛି ମୁକୁଳା
କାମେ କର୍ମଚାରୀ ହୁଅନ୍ତି ବାଉଳା
ବାସି ପଡିଅଛି ଲହୁଣୀ ପସରା
କିଆଁ ମୟୂର ମୁକୁଟ ଧାରୀ, କାହିଁ ଅଛ ହେ ।
ଗୋପାଙ୍ଗନା କୁଳ ଲୋତକ ସମ୍ଵଳ
କିକରିବେ ବିଧି ବିଚିତ୍ର ତା ଖେଳ
ସହସା ହସରୁ କୃଦ୍ଧଅଶ୍ରୁ ଧାର
ଦେଖି ହୃଦୟ ହୁଏ ବିଦାରି, କାହିଁ ଅଛ ହେ ।
ବୃନ୍ଦାବନ ଚନ୍ଦ୍ର କେମନ୍ତେ ଏମନ୍ତ
କରି ପାରିଲ ହେ ଏକୁଟ ଚକ୍ରାନ୍ତ
ଚକ୍ରି ବୋଲି କହି ତୁମେ ବଳବନ୍ତ
କହେ ପ୍ରଫୁଲ୍ଲ ସେ ପଦ ସ୍ମରି, କାହିଁ ଅଛ ହେ ।
ମଙ୍ଗଳାଯୋଡି, ଖୋର୍ଦ୍ଧା
VOL.IX, ISSUE.VII, JULY-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।