ଧୂଆଁ - ଶ୍ୟାମା କିଙ୍କର ମହାନ୍ତି

0

ଆସିଷ୍ଟାଣ୍ଟ ପାଇଲଟ ଲେଖା ହୋଇଥିବା ଗୋଟେ ଛୋଟ ଡୋର୍ ଖୋଲିଲା ପରେ ମୁହଁ ଦିଶିଲା ଗୋଟେ ଚଉଦ କି ପନ୍ଦର ବର୍ଷ ପିଲାର । ଡୋର୍ ର ତଳକୁ ଥିଲା ଗୋଟେ ଉଚ୍ଚା ଫୁଟଷ୍ଟାଣ୍ଡ । ବହୁତ କଷ୍ଟରେ ସେଠି ପାଦ ରଖି ମୁଁ ଉଠିଗଲି କେବିନ ଭିତରକୁ । ମନେ ପଡ଼ିଲା ବହୁ ବର୍ଷତଳେ ଫଟୋ ଉଠାଇବାପାଇଁ ସମୁଦ୍ରକୂଳରେ ଘୋଡା ଉପରେ ଏଇଭଳି ହିଁ ଚଢ଼ିବାକୁ ପଡିଥିଲା । ଭିତରକୁ ପଶିଲା ପରେ ଡ୍ରାଇଭର ସିଟରେ ବସିଥିବା ଲୋକଟା ହେଲ୍ପର ପିଲାଟାକୁ କହିଲା, ଛୋଟୁ ତୁ ପିଛେ ଯା । ତା'ପରେ ମତେ ଲକ୍ଷ୍ୟ କରି କହିଲା ବୈଠୋ, ବୈଠୋ । ଲୋକଟା ଦିଶୁଥିଲା ତେଲେଗୁ ଫିଲ୍ମର ଭିଲେନ ରାମି ରେଡି ପରି । ପିନ୍ଧିଥିଲା ଲାଲ ରଙ୍ଗର ହାତକଟା ସିଲ୍କ୍ ଗଂଜି ଆଉ ଗୋଟେ ରଙ୍ଗୀନ ଫୁଲପକା ଲୁଙ୍ଗି । ଷ୍ଟିଅରିଂ ଉପରେ ଥିଲା ବଳିଷ୍ଠ କଳା ରଙ୍ଗର ଦୁଇ ହାତ ଆଉ ବେକରେ ଝୁଲୁଥିଲା ଗୋଟେ ବାଘନଖି ଲକେଟ । ବାରଚକିଆ ଏଇ ଟ୍ରକର କେବିନ ଲାଗୁଥିଲା ମତେ ଗୋଟେ ଏକ ବଖୁରିଆ ରୁମ ଭଳି । ଆଗରେ ଥୁଆ ହେଇଛି ଘୋଡଣି ନଥିବା ପାନମାସଲା ଡବାରେ ଲୁଣ, ହଳଦୀ, ଜୀରା, ଫୁଟଣ । ଯୋଡ଼ାଏ ଚେପା ପ୍ଲାଷ୍ଟିକ ପାଣି ବୋତଲ ଆଉ ଗୋଟେ ପୁରୁଣା ମଦ ବୋତଲରେ ସୋରିଷ ତେଲ । ପଛରେ ଗୋଟେ ଲମ୍ବା ବେଞ୍ଚ ଭଳି ସିଟ ଅଛି ଯୋଉଠି ଏବେ ଛୋଟୁ ବସିଛି । ସେ ସିଟ ତଳେ ଆଗୁଡୁ ମାଗୁଡୁ ଜିନିଷପତ୍ର, ଜାରକିନରେ କିରୋସିନ, ଗୋଟେ ଷ୍ଟୋଭ । ପଛରେ ସୁତୁଲି ରେ ଝୁଲୁଛି ଅସନା ମସନା କପଡା ସବୁ । 'ଛୋଟୁ, ଥୋଡା ଖଇନି ବନା..'  ଆଦେଶ ଦେଇସାରି ନିଶ ଉପରେ ହାତ ବୁଲାଉ ବୁଲାଉ ମତେ କେମିତି ଗୋଟେ ଅନାଉଛି ରାମି ରେଡି । ହେ ଭଗବାନ, ମୁଁ ଠିକରେ ପହଞ୍ଚିବି ତ ମୋ ଗନ୍ତବ୍ୟ ସ୍ଥଳରେ ?

କୁହାଯାଏ, ଦୁର୍ଭାଗ୍ୟ ଯେତେବେଳେ ଆସେ ସାଙ୍ଗରେ ତା' ଭାଇବନ୍ଧୁଙ୍କୁ ବି ନେଇକି ଆସେ । ଗୋଟିଏ ବିବାହ ଉତ୍ସବରେ ଯୋଗଦେବା ପାଇଁ ମୁଁ ପୁରୀରୁ ଭୁବନ ଅଭିମୁଖେ ବାହାରିଥିଲି । ସୂଚନା ଅନୁସାରେ ଡୁବୁରୀ ଛକରୁ ଭୁବନ ଯିବାପାଇଁ ଶେଷ ବସ୍ ଟି ଥିଲା ସନ୍ଧ୍ୟା ସାଢ଼େ ଛ'ଟାରେ । କିନ୍ତୁ ଚଣ୍ଡିଖୋଲରୁ ଡୁବୁରୀ ଆସୁଥିବା ବସ୍ ଟି ଯାନ୍ତ୍ରିକ ତ୍ରୁଟି ଯୋଗୁ ଅନେକ ଡେରି କରିଦେଲା । ଡୁବୁରୀ ଛକରେ ପହଁଚିଲା ବେଳକୁ ଶେଷ ବସ ଟି ଯାଇସାରିଛି । ଛକରେ ବୁଝିଲାବେଳକୁ ଆସୋସିଏସନ ଷ୍ଟ୍ରାଇକ ଯୋଗୁଁ କୌଣସି ଅଟୋ ବି ନାହିଁ । ଦୀର୍ଘ ତିରିଶ କିଲୋମିଟର ରାସ୍ତା । ସେତିକି ବେଳକୁ ଝିପିଝିପି ବର୍ଷା ବି ଆରମ୍ଭ ହୋଇ ଯାଇଥାଏ । ବିବାହ କାର୍ଯ୍ୟରେ ବ୍ୟସ୍ତ ଥିବା କୌଣସି ସମ୍ପର୍କୀୟଙ୍କୁ ମୋତେ ନେବା ପାଇଁ କହିବାକୁ ବି ଉଚିତ ମଣୁ ନଥାଏ । ଛକ ବି ଗହଳିଚହଳି ନଥାଏ । କିଛି ସମୟ ପରେ ଟ୍ରାଫିକ ପୋଲିସକୁ କିଛି ସାହାଯ୍ୟ ମାଗିଲି । ସେ ହିଁ ମୋତେ ଏ.ପି.-୩୧ ନମ୍ବର ଥିବା ଏଇ ବାରଚକିଆ ମାଲବାହୀ ଟ୍ରକରେ  ବସେଇ ଦେଇଥିଲା । 

ହେଲେ ଏଇ ତେଲେଙ୍ଗା ଡ୍ରାଇଭର ଆଉ ତା' ଛୋଟୁ ସହ ବଡ ଅସ୍ଵସ୍ତିରେ ଯାତ୍ରା କରୁଥାଏ ମୁଁ । ରାସ୍ତାରେ ଗାଡ଼ି ମଟର କାଁ ଭାଁ । ମୋ ବ୍ୟାଗରେ ବିବାହ ଉପହାର ପାଇଁ ସୁନାମୁଦି, ପକେଟରେ ପାଖାପାଖି ପାଞ୍ଚ ହଜାର ଟଙ୍କା । ଆଜିକାଲି ଯେମିତି ସବୁ ଅଘଟଣ ଘଟୁଛି, ଯଦି ଏମାନେ ମତେ ମାଡ ମାରି, ମୋର ସବୁ ଲୁଟି ନେଇ ଟ୍ରକରୁ ଫିଙ୍ଗି ଦିଅନ୍ତି ! ବ୍ୟାଗଟାକୁ ଆଉଟିକେ ଜାବୁଡି ଧରି ବସିଲି । ଫୋନରେ କାହାକୁ ମେସେଜ ଦେବି ଭାବି ଦେଖେ ତ ସିଗ୍ନାଲ ହିଁ ଆସୁନି । ହେ ପ୍ରଭୁ ! ଏ ଗାଡିର ନମ୍ବରଟା ବି ଠିକ୍ ସେ ମନେ ରଖିନି । ଛୋଟୁ ପଛ ସିଟରୁ ଆସି ଆଗ ବୋର୍ଡ ଉପରୁ କଣ ଗୋଟେ ଖୋଜୁଛି । ହେଇ ସେ ଛୁରିଟେ ବାହାର କଲାଣି । ମୋ ଛାତି ଭିତରୁ ଦଲକାଏ ପବନ । ନାଁ, ସେ ପଛକୁ ଯାଇ ଆଳୁ କାଟିଲାଣି । ହୁଏତ ଆଗରେ କୋଉଠି ଗୋଟେ ଗାଡି ରଖି ଖାନା ବନେଇବେ, ଆଗରୁ ପ୍ରସ୍ତୁତି । ଓହୋ, ରକ୍ଷା ! କିନ୍ତୁ ଏ ଶଳା ରାମି ରେଡି ମତେ କିଛି କହୁନି ଖାଲି ଅନାଉଛି । ସେ ଏବେ ଗୋଟେ ଫିଲଟର ନଥିବା ଶସ୍ତା ସିଗାରେଟ ଲଗାଉଛି । କି ଗନ୍ଧ ! ପାଦ ପାଖରୁ କାଚ ବୋତଲଟିଏ ଆଣି କିଛି ପିଉଛି, ମଦ ନୁହେଁ ତ ? କିଛି ସମୟ ପରେ ଗାଡି ରଖିଲା । ପୁଣି ମୋ ଛାତି ଭିତରୁ ଦଲକାଏ ପବନ । ମୋ ସିଟ ରେ କାଠ ଭଳି ବସିଥାଏ ମୁଁ । ନାଁ, ତଳକୁ ଓଲ୍ହାଇ ଟାୟାର ଗୁଡାକୁ କଣ ଟିକେ ଦେଖିଦେଇ ପୁଣି ଗାଡି ଚଳେଇଲାଣି ସେ । ଭୁବନ ପାଖ ହେଇ ଆସୁଛି । ଏଥର କିଛି ପଚାରିଲା ଡ୍ରାଇଭର..., 

- କହାଁ ଉତରନା ହୈ...?
- ଭୁବନ...
- କହାଁ କା ହୋ ତୁମ...?
- ପୁରୀ...
- ଫିର ଇଧର...?
- ଥୋଡା କାମ ହୈ...
- ଆପ୍ ବ୍ରାହ୍ମୀନ ହୋ...?

ହଡ଼ବଡ଼ ରେ ମୋ ପାଟିରୁ ବାହାରି ଆସିଲା..., 'ହାଁ...'

ୟା ପରେ ସେ ଯାହା ସବୁ କହିଲା, ତାର ଅର୍ଥ ହେଲା, ସେ କାଳେ ଥରେ ପୁରୀ ଯାଇଥିଲା, ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲା, କି ଆଖି, ପେଟ ପୁରିଗଲା ଭଳି । ଆଉଥରେ କେବେ ଯିବାକୁ ତାକୁ ସମୟ ହେଉନି । ଓଃ.. ବଡ ଭକ୍ତ ଟା ! ହେଇ ମୋ ଜାଗା ପାଖ ହେଇଗଲାଣି । ମୋ ମୋବାଇଲରେ ସିଗ୍ନାଲ ବି ଆସିଗଲାଣି । ଖାଲି ମତେ ଟିକେ ପହଞ୍ଚେଇ ଦେ ।

ଯଥା ସମୟରେ ମୋ ଗନ୍ତବ୍ୟସ୍ଥଳ ଆସିଯାଇଥିଲା ଓ ଗାଡି ରଖିବାକୁ ଡ୍ରାଇଭରଟିକୁ କହିଲି । ଟ୍ରକଟିରୁ ଓଲ୍ହାଇ ସାରିଲା ପରେ ପାଖାପାଖି ଗୋଟେ ଘଣ୍ଟାର ସଂଶୟପୂର୍ଣ୍ଣ ଯାତ୍ରାଟିର ପରିସମାପ୍ତି ପରେ ଖୁବ ଖୁସି ଲାଗୁଥାଏ । ମୋ ପଛେ ପଛେ ସେ ବି ଓଲ୍ହେଇଗଲା କିନ୍ତୁ କହିଲା...,

- ଏକ୍ ମିନିଟ ସାଵ୍.. ।

ଅବଶ୍ୟ ମତେ ଆଉ ଭୟ ଲାଗୁନଥାଏ । ଗାଡିରୁ ଗୋଟେ ମଗ ପାଣି ଆଣି ହାତପାଦ ଧୋଇ ଲୁଙ୍ଗିଟାକୁ ପାଲଟା ମାରିଲା ରାମି ରେଡି ଭଳି ଦିଶୁଥିବା ଲୋକଟା । ତା' ପରେ ମତେ ଆଶ୍ଚର୍ଯ୍ୟ କରିଦେଇ ମୋତେ ପାଦ ଛୁଇଁ ପ୍ରଣାମ କଲା ସେ । ପାଦ ଘୁଞ୍ଚାଇ ନଉ ନଉ, 'ଅରେ ଅରେ ୟେ କ୍ୟା...' କହିବା ଭିତରେ ସେ କହିଲା..., 

- ସାଵ ଆପ୍ ପୁରୀ କା ହୋ.. ବ୍ରାହ୍ମୀନ ହୋ... । 

ମୁଁ ଅବାକ ହେଲି । ଏବେ ଗାଡିଭଡା ବାବଦରେ ପର୍ସରୁ ଶହେ ଟଙ୍କିଆ ନୋଟ ଖଣ୍ଡେ କାଢି ତା ହାତକୁ ବଢ଼ାଇଲି ।

- 'ନେହିଁ ସାଵ୍, ପଣ୍ଡିତଜୀ ସେ ପଇସା କୈସେ ଲେ ସକତା ହୁଁ... ଫିର ମିଲେଙ୍ଗେ  ଜଗନ୍ନାଥଜୀ କା କ୍ରିପା ସେ... ।' 

ବାରଚକିଆ ଟ୍ରକଟିଏ ରାଜପଥରେ ଧୂଆଁ ଉଡାଇ ଚାଲିଗଲା । ମତେ ଲାଗିଲା ଯେମିତି ସବୁତକ ଧୂଆଁ ଏକାବେଳକେ ମୋ ମୁହଁରେ ହିଁ ବୋଳି ହୋଇଗଲା ।

ମାର୍କଣ୍ଡେଶ୍ୱର ସାହି, ପୁରୀ
ଦୂରଭାଷ - ୯୮୬୧୧୯୧୩୮୦

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ