କେତେ ଅବୁଝା ସତେ - ଚିତ୍ରା ରାଣୀ ପାତ୍ର

0

ଚନ୍ଦ୍ର..., ସତରେ ମୁଁ କଣ ଏତେ ଖରାପ ? ମାନୁଛି ଅଳ୍ପ ରାଗୀ । ସେ ବି ଅଳ୍ପ ସମୟ ପାଇଁ । ତେବେ କୁହ ତ ତୁମେ ମୋତେ ଏତେ ସଢାଅ କାହିଁକି ? ଆମ ସମ୍ପର୍କ ଦିନେ ଅଧେ ନୁହେଁ । କଳି ଗାଳି ଏଇ ଗୁଡ଼ା ସ୍ଵାଭାବିକ କଥା । ତୁମେ ଟିକିଏ ଟିକିଏ କଥାରେ ରାଗ ଅଭିମାନରେ ଭାଙ୍ଗିପଡ଼ । ମୋ ବେଳକୁ ସବୁ ଅପରାଧ ହୋଇଯାଏ । ଏଇଟା କଣ ଠିକ୍ କର ?

ତୁମେ ଏମିତି ହେଲେ, ସତ କହୁଛି ମୁଁ ବହୁତ ଦୂରକୁ ଚାଲିଯିବି । ଯେତେ ଡାକିଲେ ବି ଆଉ ଫେରି ହେବନି ଯେଉଁ ଜାଗାରୁ । ଭଲ ହେବତ ? ମୋତେ ହଇରାଣ କରି ମଜା ଦେଖିବା ବାହାରି ପଡ଼ିବ । ଆଉ ମୁଁ ଉପରେ ଥାଇ ତୁମର ଅସହାୟତା ଦେଖୁଥିବି । ଲୁହ ପୋଛି ଦେବାକୁ କାହାରି ହାତ ଲମ୍ବା ହୋଇ ଆସିବନି । ମୋ ପରି କେତୋଟି ଏକା ଚରିତ୍ର ଝିଅ ଆଉ ପାଇବ ? ମୋର କାର୍ବନ୍ କପି ନାହିଁ । ଗୋଟିଏ ବୋଲି ବୁଝିବ । ହେଲେବି ଆମର ଭଲ ପାଇବାରେ ଛୁଞ୍ଚିଟିଏ ପଶି ପାରିବନି ଜାଣେ । ତଥାପି ପ୍ରାୟ ଝଗଡ଼ା କାହିଁକ ଏତେ ହୁଏ ? ସମସ୍ତେ କହନ୍ତି ଯେଉଁଠି ବେଶି ଭଲ ପାଇବା ଥାଏ, ସେଇଠି ଏଇମିତି ହେଉଥାଏ । ଆଚ୍ଛା ତମର ଜେଜେମା ଅଛନ୍ତି ପରା..., ପଚାରିବତ ? ସେ ଯାହା କହିବେ ଠିକ୍ କହିବେ । କାଲି ବୁଝି ମୋତେ କହିବ । ମୁଁ ଖରାବେଳେ ସେଇ ଆମ୍ବ ତୋଟା ପୋଖରୀ କୂଳରେ ଛିଡ଼ା ହୋଇଥିବି । ମାଛ ପହଁରା ଦେଖୁଥିବି । ଘରୁ ତେନ୍ତୁଳି, ଲୁଣ ଆଣି ଆସିବ। ଭୁଲି ଯିବନି । ସବୁକଥା ଭୁଲି ଯାଅ କାହିଁକି କେଜାଣି ? ଓଃ... ପୁରୁଣା ରୋଗ ବୋଧେ । ଖାଲିଟାରେ ମୁଁ ବୋଲି ପାଗଳ କହେକି । କେବଳ ଗୋଟିଏ କଥାରେ ହାରିଯାଏ । ସେଇଟା ହେଲା ତମର ଗଣିତ ଏତେ ଭଲ, ମୋର ଭଲ ହୁଏ ନାହିଁ । ଇଂରାଜୀରେ କାଟି ଦିଏ ତୁମକୁ । ତଥାପି ମନ ବୁଝେନି ।

ତମ ପରି ମସ୍ତିଷ୍କ ଖୁବ କମ୍ ଜଣଙ୍କ ପାଖରେ ଥିବ । ମୁଁ କଣ ବୋକୀ ? ତମେ କଣ ଭାବୁଛ ଖାଲି ଭଲ ପାଇଗଲି କିଛି ଗୁଣ ନ ଦେଖି । ହଉ ରାଗ ଶୁଝା କାଲିକି କରିବ । ଆଜି ନିଦ ଲାଗିଲାଣି । ମୋର ପାଠ ପଢା ସରିନି । ସାର୍ ଗାଳି କରିବେ କ୍ଲାସରେ ଉତ୍ତର ନ ଦେଇ ପାରିଲେ । ଫାଷ୍ଟ ହେବା ଭାରି ଟେନସନ । ସମସ୍ତେ ସବୁବେଳେ ଭଲ ନମ୍ବର ଚାହିଁବେ । ମୋର ସ୍ଵାଧୀନତା ନାହିଁ କମ୍ ନମ୍ୱର୍ ରଖିବାକୁ । ଆଚ୍ଛା କହିଲ, ଆମେ ବାହାହେଲେ ତମେ କଣ କେବେ ମୋତେ ଗଣିତ କଷିବାକୁ କହିବ କି ? ଏବେଠୁ କହି ଦିଅ । ପଛରେ ଯଦି କହିବ, ତମ ଘରୁ ଆମ ଘରକୁ ଲୁଚି ଚାଲି ଆସିବି । ଦୋଷ ଦେବନି ସେତେବେଳେ । କାଲିକି ମନର ସତ କଥା କହିବ । ଆଉ ଲେଖି ପାରୁନି ।...ତମର, ମୀନା ।

ବାଲେଶ୍ଵର, ଓଡିଶା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ