ସେଦିନ କଲେଜରୁ ଫେରିଲାବେଳେ, ମୋ ପଡିଶାଘରର ବାର ବର୍ଷର ଝିଅ "ସଂପୂର୍ଣ୍ଣା" କୁ ତାଙ୍କ ବାରଣ୍ଡାରେ ମନ ଊଣାକରି ବସିଥିବାର ଦେଖି ପଚାରିଦେଲି -
- "ଆରେ ମାମା ! କ'ଣ ହେଇଛି ? ତୁ ଏମିତି ମନ ଊଣାକରି କାହିଁ ବସିଛୁ ଯେ ?"
ମୋ ପ୍ରଶ୍ନଶୁଣି ଘର ଭିତରୁ ସଂପୂର୍ଣ୍ଣା ର ମାଆ ଉତ୍ତର ଦେଲେ -
- "ଆଜି ଗୋଟେ ହାତକଟା ଫ୍ରକ୍ ପିନ୍ଧି ସଂପୂର୍ଣ୍ଣା ତା' ସାଙ୍ଗମାନଙ୍କ ସହ ଖେଳୁଥିଲା । ତାକୁ ଦେଖି ଆମ ଘରପାଖର ସବିତା ଖୁଡ଼ୀ ଆସି ମୋତେ କହିଲେ, 'ଆଲୋ ସରିତା ! ତୋର ଏଇ ବାର ବର୍ଷର ଝିଅଟାକୁ କ'ଣ ଏମିତି ଡ୍ରେସ ପିନ୍ଧଉଛୁ ? ଇଏ ତ ଏଇଦିନୁ ଏମିତି ହେଲାଣି.. ଆଉ ଟିକେ ଖାଲି ବଡ଼ ହେଇଯାଉ, ଦେଖିବୁ ରହ ତୋ ଝିଅ ନାଁ ଗାଁ ପକେଇବ ।"
ସେପଟେ ସଂପୂର୍ଣ୍ଣାର ଆଖିରେ ଲୁହ ଜକେଇ ଆସୁଥିବାର ଦେଖି, ମୁଁ ତା' ମାଆଙ୍କ ସହ ଏ ବିଷୟରେ କିଛି ଆଲୋଚନା ନ କରି ସଂପୂର୍ଣ୍ଣାକୁ ମୋ ସହ ଆମ ଘରକୁ ଡାକିନେଲି । ଯେମିତିକି ତା ମନଟା ଟିକେ ପରିବର୍ତ୍ତନ ହୋଇପାରିବ ।
ଏହାପରେ ବେଶ କିଛିଦିନ ବିତିଯାଇଛି । ସେଦିନ ମୁଁ କଲେଜ ବାହାରିଲା ବେଳକୁ, ସବିତା ଖୁଡ଼ୀ ଆମ ଘରକୁ ଚିନି ଉଧାର ମାଗିବାକୁ ଆସିଥିଲେ । ଆଉ ବୋଉ ଆଗରେ କହୁଥିଲେ ଯେ, "ତାଙ୍କ ସ୍ୱାମୀ କୁଆଡ଼େ ଅଫିସ କାମରେ ବାହାରକୁ ଯାଇଛନ୍ତି । ଫେରୁ ଫେରୁ ଆହୁରି ତିନି କି ଚାରିଦିନ ଲାଗିଯିବ ।"
ଏତକ ଶୁଣି ମୁଁ କଲେଜ ପଳେଇଲି... । ଠିକ ସେହିଦିନ କଲେଜରୁ ସିନେମା ହଲ କଡ଼ଦେଇ ଫେରିବା ବେଳକୁ, ସବିତା ଖୁଡ଼ୀଙ୍କୁ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଆଲିଙ୍ଗନ କରି ସିନେମା ହଲ ମଧ୍ୟରୁ ବାହାରୁଥିବାର ଦେଖିଲି । ସେମାନଙ୍କୁ ଦେଖିଲେ ଯେ କେହିବି କହିବ, ଏମାନେ ପତି-ପତ୍ନୀ । ଯାହା କି ପ୍ରକୃତରେ ସେମାନେ ନୁହନ୍ତି ।
ଏତକ ଦେଖିସାରି ମୁଁ ମୋ ନିଜକୁ ପ୍ରଶ୍ନକଲି, "ପ୍ରକୃତରେ ଚରିତ୍ରହୀନା କିଏ ? ସେଦିନ ହାତକଟା ଫ୍ରକ୍ ପିନ୍ଧି ଖେଳୁଥିବା ସେ ବାରବର୍ଷର ଝିଅ ସଂପୂର୍ଣ୍ଣା ନା ଆଜି ସ୍ୱାମୀ ନ ଥିବା ଅବସ୍ଥାରେ ନିଜ ପ୍ରେମିକ ସହ ସିନେମା ହଲରୁ ବାହାରୁଥିବା ସବିତା ଖୁଡ଼ୀ ?"
ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ