ସତେ କି ଏ ଭାଗ୍ୟଲେଖା - ରମେଶ ଚନ୍ଦ୍ର ମିଶ୍ର

0

ଯେତେ ଲେଖିଲେ ବି ଭାବଇ ମନରେ
କିଛି ବି ତ ଲେଖିନାହିଁ
ଭାବିଥିଲି ଯାହା ଲେଖିବି ବୋଲି ମୁଁ 
ତାହା ଲେଖିପାରି ନାହିଁ ॥୧॥

ମନର ଭାବନା ଅଧା ରହିଗଲା
କହିବା ହୋଇଲା ଅଧା
ପୁଣି ଲେଖିଚାଲେ ଅଧୁରା କଥାକୁ
କହିଦେବି ଏବେ ସିଧା ॥୨॥

ଶବଦ ଆସନ୍ତି ପ୍ରଜାପତି ଭଳି
କେତେ ରଙ୍ଗ ବେରଙ୍ଗର 
ବିଜୁଳି ଚମକେ ଖସିଯାନ୍ତି ପୁଣି
ଧରେ ଅଳପ ମାତର ॥୩॥

ଗୋଟିଏ ଭାବନା ନସରୁଣୁ ପୁଣି
ଅପର ଭାବନା ଆସେ
ପତଙ୍ଗ ପରିକା ରଙ୍ଗୀନ ଶବ୍ଦ 
ଶୂନ୍ୟ ବଳୟେ ଭାସେ ॥୪॥

ଶବଦ ପ୍ରେମରେ ବାଉଳା ଲେଖନୀ
କ୍ଳାନ୍ତ ହୁଏନା କେବେ
ଧରି ରଖିବାର ପ୍ରୟାସ କରୁଣୁ
କିଛି ଯାଏ ଦୂର ନଭେ ॥୫॥

କିଛି ମିଳିଯାଏ, କିଛି ରହିଯାଏ
ଅଧୁରା ରହେଟି ଲେଖା
କବି ଜୀବନର ଏଇ ଅନୁଭବ
ସତେ କି ଏ ଭାଗ୍ୟଲେଖା ॥୬॥

ଶବ୍ଦ ହିଁ ବ୍ରହ୍ମ ଶବ୍ଦ ଶକତି
ସଭିଙ୍କୁ ସେ ମିଳେନାହିଁ 
ସେତିକି ପୁଣ୍ୟ ଅରଜିଥାଏ ଯେ
ଶବ୍ଦ ବିନ୍ଧାଣୀ ହୋଇ ॥୭॥

ତାପସ କୁଟୀର, ବଇଣ୍ଡା, ଅନୁଗୋଳ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ