ଦେଖରେ ଜୀବନ ଗଣ ଦେବତାଙ୍କ କଳା ଦାରୁବ୍ରହ୍ମ ରୂପ
ମୟୂର ଚୂଳିଆ କାଇଞ୍ଚ ମାଳିଆ ଗୋପପୁର ଗୋପାଳୁଣୀ
ହୃଦୟ ଚନ୍ଦନ ଏ ନୀଳମାଧବ ଯଶୋବନ୍ତୀ ନୀଳମଣି
ବିଶ୍ଵାବସୁ ଜଙ୍ଗଲର
ଡଙ୍ଗର କୋଳରେ ପୂଜା ହେଲ ଭୁଞ୍ଜି ଫଳ ମୂଳର ଆହାର ।।
ମା ସାମନ୍ତାଣୀ ରୋଷେ ଗରଗର ନନେଇ ନକହି ଯାତ
କଲ ବଡଦାଣ୍ଡେ ଭାଇ ଭଗ୍ନୀ ସାଥେ ଧରି କୋଟିଏ ଭକତ
ଫେରୁଛ ତ ଆଜି ହଟହଟା ହେବ ଛାଡିବେନି ତୁମ ବାଟ
ଚାଟୁ କଥା କହି ରସଗୋଲା ଆଉ ଦେଇଣ ଖଣ୍ଡୁଆ ପାଟ
ବୁଝାଇ ସୁଝାଇ ଯିବ
ସଂସାର ହାଟରେ ମୁଁ ଗୋଟେ ପଥିକ କିଏ ବୁଝିବ ମୋ ଭାବ ।।
ସ୍ମରଂ ସ୍ମରଂ ସ୍ଵଗୃହ ଚରିତଂ ଦାରୁଭୁତ ହୋଇ ହେ ବସିଛ
ରତନ ବେଦୀର ରତ୍ନସିଂହାସନେ ମୌନ ହୋଇ ବୁଦ୍ଧ ରୂପ
ଅପଲକ ନେତ୍ରେ ଏହି ରଥଯାତେ କେତେ ଶୁଣିଛ ଗୁହାରି
ଅଜବ ମଣିଷ ଅଜବ ଜୀବନ ଦେଖିଗଲ ବୋଧେ ଡରି
କାଲି ନୀଳାଦ୍ରି କନ୍ଦରେ
ଯାଇ ବସି ଖାଲି ରହିଲେ କି ହେବ କିଛି କର ବାରେ ଥରେ ।।
ତୁମ ଘର ଯେବେ ହେବ ଅସମ୍ଭାଳ ମୋ ଘର ଯିବ ହେ ଭାସି
ଭାସି ଗଲେ କହ କେମିତି ଭୁଞ୍ଜିବ ଷାଠିଏ ପଉଟି ବସି
କିଏ ବା ଡାକିବ ତୁମକୁ ପ୍ରଭୁ ହେ ଜୀବନ ଜଂଜାଳ ଦାଉ
ରାକ୍ଷସ କବଳେ ପଡିଛି ଜୀବନ ରଖ ରଖ ମହାବାହୁ
ସ୍ଵାର୍ଥପର ଏ ଦୁନିଆଁ
ଭାଇ ବାପ ପୁଅ ଗୋଳରେ ଜୀବନ ଧୌର୍ଯ୍ୟହରା ହେବ କିଆଁ ।।
ମୋ ଘର ସଂସାର ମାୟା ଖେଳଘର ସ୍ଵାର୍ଥାନ୍ଧ ହୋଇଣ ମେଳି
ନିଜ ସ୍ଵାର୍ଥ ପଣେ ସଭିଏଁ ସମାନ କହିଲେ ଲାଗିବ କଳି
ଅଙ୍ଗ ଧନ କେବେ ଅଙ୍ଗାର ହୋଇବ ଶୁଣିଥିଲି ଏହି କଥା
ସତେ ମହାବାହୁ କରିବ ସେମିତି ବୁଝିବ ମଣିଷ ବ୍ୟଥା
ସଦବୁଦ୍ଧି ସତ୍ୟ ପଥ
ଦେଖାଇ ଦେବହେ ଏତିକି ମାଗୁଣି କରୁଅଛି ଜଗନ୍ନାଥ ।।
ସ୍ଵାର୍ଥ ତ୍ୟାଗ କରି ଯେତେ କଲେ ସବୁ ପାଣି ପରି ଯାଏ ଭାସି
ତୁମେ ମନାଇଲ ମାନିଗଲେ ମାତା ତୁମେ ହୋଇଗଲ ଖୁସି
କିବା ଅଛି ଆଉ ସର୍ବସ୍ଵ ତ ଦେଲି ରକତକୁ କରି ପାଣି
ଲୁଚକାୟିତ ତାହା ଯାଣିତ ଅଜଣା ହେଲେ ନିଜ ସ୍ଵାର୍ଥ ମଣି
ତେଣୁ ତୁମକୁ କହିଲି
ବୁଝିବ ଠାକୁର ସୁଖ ଦୁଃଖ ସବୁ ଏ ଜୀବନ ସମର୍ପିଲି ।।
ତୁମେ ଥାଉ ଥାଉ କାହାକୁ କହିବି ଦେଖିଲ ତ ସବୁ ଆସି
କରହେ ମଙ୍ଗଳ ହେ ମଙ୍ଗଳମୟ ବୁଝି ସବୁ ବ୍ରହ୍ମରାଶି
ସବୁ ଅବବ୍ୟସ୍ଥା ଭିତରେ ଯାତରା ଛଳେ ଦେଖିଲ ଭକତ
ନୀଳାଦ୍ରି ଗୋସାଇଁ ଖାଇ ଶୋଇବନି ଉତ୍ପାତ କରି ନିପାତ
ରଖ ସ୍ଵାମୀ ତୁମ ସୃଷ୍ଟି
କଟାକ୍ଷ କୃପା ମାତ୍ରକେ ପରା ସବୁ କଟି ଯିବ ହେ ଅରିଷ୍ଟି ।।
ଭୋଗ ବିଳାସରେ ରହି ଭୁଲିବନି ଆରତୀ କରୁଣ ଆର୍ତ୍ତ
ତେଣୁ ଶ୍ରୀଚରଣେ ଶରଣ ପସି ମୁଁ ଟେକି ଦେଲି ମୋର ହାତ
ଆଶା ବିଶ୍ଵାସର ତୁମେତ ଠାକୁର ପ୍ରଫୁଲ୍ଲ ବିଶ୍ଵାସ ପରେ
ନକରି କୁଠାରଘାତ ଜଗନ୍ନାଥ ଶୁଣିବ ଗୁହାରି ଥରେ
ଏତିକି ମାଗେ ମାଗୁଣି
ନିଶ୍ଚୟ କରିବ ଆଶ୍ବସ୍ତ ଧରଣୀ ବୁଝିବ ମୋ ଗୁଣମଣି ।।
ମଙ୍ଗଳାଯୋଡି, ଟାଙ୍ଗି, ଖୋରଧା