ଲକ୍ଷ୍ୟ ଯଦି ହୋଇଯାଏ ମହାନ୍ - ପ୍ରତିମା ପାତ୍ର

0

(ରାଗ - ଆଷାଢ ଶୁକ୍ଳ ବରାଡି
ଛଅପାଦରେ ଏକ ପଦ, ପ୍ରଥମ ଦ୍ଵିତୀୟ ତୃତୀୟ ଚତୁର୍ଥ ଏଗାର ଅକ୍ଷର ପଞ୍ଚମ ଛଅ ଅକ୍ଷର ଷଷ୍ଠ ପୁଣି ଏଗାର ଅକ୍ଷର)

ମହାନ ହୋଇଯାଏ ଯେବେ ଲକ୍ଷ୍ୟ
ମାନବ ମଧ୍ୟରେ ହୁଏ ସେ ଦକ୍ଷ
ସୁସମାଜ ଗଠନେ ଦେଇ ମନ 
ଅଖଣ୍ତ କୀର୍ତ୍ତି କରନ୍ତି ଅର୍ଜନ
ପୂଣ୍ୟ ଆତ୍ମାଗଣ,
ଜୀବନୀ କରିବା  ଅନୁସରଣ ।

ରତ୍ନାକର ମରାରୁ ରାମ 'ର'ଟି
ହୋଇଲେ ସେହି ବାଲମୀକ ଯତି
ଅଯୋଧ୍ୟା ପତିଙ୍କ ଜୀବନ ସାର
ରଚିଦେଲେ ରାମାୟଣ ଅପାର
ଘରେ ଘରେ ପଢୁ
ପବିତ୍ର ରାମକଥା ନିତ୍ୟ ସ୍ମରୁ ।

ମାଳବ ଦେଶ ରାଜା ଇନ୍ଦ୍ରଦ୍ୟୁମ୍ନ 
ମାଧବ ଲଭିବେ ଦେଖିଲେ ସ୍ଵପ୍ନ
ଉଦ୍ୟମ ବଳରେ ଆଣି ପ୍ରଭୁଙ୍କୁ
ଉତ୍କଳେ ସ୍ଥାପିଲେ ଜଗନ୍ନାଥଙ୍କୁ
ଚତୁର୍ଦ୍ଧା ମୂରତି
ପୁରୀ କ୍ଷେତ୍ରେ ରହି ପାଇଲେ ଖ୍ୟାତି ।

ଜାତିର ପିତା ମହାତମା ଗାନ୍ଧୀ 
ଚେଷ୍ଟାରେ ଭାଙ୍ଗିଲେ ଇଂରେଜ ଫନ୍ଦୀ
ଅହିଂସା ପଣେ ସତ୍ୟାଗ୍ରହ କରି
ସ୍ବାଧୀନ କରିଲେ ଦେଶ ଆମରି 
ପୂଜ୍ୟ ସେ ଆମରି 
ତାଙ୍କ ପଥେ ଚାଲ ହିଂସା ପାସୋରି ।

ଶଙ୍କରାଚାର୍ଯ୍ୟ ଜଗତର ଗୁରୁ 
ନାସ୍ତିକ ହାରିଥିଲେ ତାଙ୍କ ଠାରୁ 
ବେଦାନ୍ତ ଧରମ ପ୍ରଚାର କରି
ଲୋକଙ୍କୁ ନେଲେ ଭକ୍ତି ମାର୍ଗେ ଧରି 
ଦିଗବିଜୟ ଯାତ୍ରା
ପୂରଣ କଲେ ଦେଇ ଧର୍ମ ବାର୍ତ୍ତା ।

ଶହ ଶହ ମହା ପୁରୁଷ ଗଣ
ମହାନ୍ ଲକ୍ଷ୍ୟ କରିଲେ ସାଧନ
ଆସିଲା ଯେତେ ଜୀବନରେ ଦୁଃଖ 
ଟିକେ ଟଳିଲେନି ଦେଖି ପ୍ରକୋପ
ତାଙ୍କ ପରି ହେବା
ଜୀବନ ଲକ୍ଷ୍ୟ ମହାନ କରିବା ।।

ବରଗଡ

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)