ମୁଠାଏ ମହକ ହୋଇ,
ବାସ୍ନାୟିତ କରି ଫେରିଯାଅ ପୁଣି
କିଛି ଛାପ ଛାଡ଼ିଦେଇ ॥
ସଶରୀରେ କେବେ ଦେଖିନି ତୁମକୁ
ଦେଖେ ଖାଲି ଗୋଟେ ଛାଇ,
ତଥାପି ଛାଇକୁ ପ୍ରତୀକ୍ଷା କରେ ମୁଁ
ଅଜଣା ଆବେଗ ନେଇ ॥
ନିର୍ଜ୍ଜନ ରାତ୍ରିର ନିସ୍ତବ୍ଧ ପ୍ରହର
ମୁଖରିତ ହୁଏ କ୍ଷଣେ,
କିଏ ତୁମେ ଆସ ପ୍ରହେଳିକା ପରି
ଜାଣିବାକୁ ଦିଅ ଥରେ ॥
ତୁମେତ ରହିଛ ଅନେକ ଦୂରରେ
ଅଜଣା ଇଲାକା ମୋର,
ଏବେବି ଗରମ ନିଃଶ୍ୱାସରେ ତୁମେ
କରିଦିଅ ହରବର ॥
ମହକ ଟିକକ ଧରି ରଖିବାକୁ
ଚେଷ୍ଟା କରି ମୁହିଁ ଯେତେ,
ବିଞ୍ଚି ହୋଇଯାଏ ଚାରିପଟେ ମୋର
ଖସିଯାଏ ସବୁ ହାତେ ॥
ଶୁଭ୍ର ଆଲୋକେ ଦେଖିବାକୁ ଟିକେ
ଶେଷ ଇଛା ଅଛି ମୋର,
ନିଶିଥ ବିଜନ ରଜନୀରେ ଆଉ
ଦେଖିବିନି ବାର ବାର ॥
ବାଲେଶ୍ୱର, ଓଡିଶା