ପଡୋଶୀ - ନାରାୟଣ ଚନ୍ଦ୍ର ସେନାପତି

0

କେତେ ଜନମର ସମ୍ପର୍କ ସୁଅରେ
ଭାସି ଆସି ଆମ ସମୀପେ ବସି
ସୁଖରେ ଦୁଃଖରେ କାନ୍ଧ ମିଳାଅନ୍ତି
ଆମ ଘରପାଖ ପ୍ରିୟ ପଡୋଶୀ ।

ଆମଘର ପିଠା ତାଙ୍କୁ ସୁଆଦିଆ
ତାଙ୍କ ତରକାରୀ ଆହା କି ମିଠା ! 
ପର୍ବପର୍ବାଣିରେ ବିବାହ ବ୍ରତରେ
ତାଙ୍କ ଘରେ ଦିଶେ ଆମର ଛିଟା ।

ପଡୋଶୀ ଘରର କାନ୍ଦ ଯଦି ଆସି
ଅବେଳରେ ଆମ କାନକୁ ଛୁଏଁ
ଅଜାଣତେ ପାଦ ଯାଇ ସେ ଘରକୁ
ଲୁହ ପୋଛିବାକୁ ହାତକୁ କହେ ।

ପଡୋଶୀ ଘରର ମା' ମୋ ମାଉସୀ
ପାଇଥାଏ ଯେବେ ସ୍ନେହ ମମତା
କିଏ ନିଜ କିଏ ପର ଭୁଲିଯାଏ
ଅବସରେ ଗାଏ ଶରଧା ଗୀତା ।

ମାଡ଼ିଆସି ଯେବେ ବିପଦର ଝଡ଼
କରିଥାଏ ମନ ହୃଦକୁ କ୍ଷତ
ପଡ଼ୋଶୀଙ୍କ ସମବେଦନା ମଲମ
ଆଦରରେ ତାକୁ କରେ ନିହତ ।

ମୋ ଘର ମୋ ପାଇଁ ସରଗ ସମାନ
ପଡୋଶୀ ଘରଟି ଖୁସି ମହଲ
ଅଭୁଲା ହୁଏ ସେ ଅଲିଭା ସେନେହ
କେହି ବି ପାରେନା କରି ତଉଲ ।

ସହଯୋଗ ଆଉ ସହାନୁଭୁତିର
ଶୁଦ୍ଧ ପ୍ରତିମୂର୍ତ୍ତି ପାଖ ପଡ଼ୋଶୀ
ତାଙ୍କୁ ପଢ଼ିଦେଲେ ସଭିଏଁ ଜାଣନ୍ତି
କେତେ ସେ କୃତଜ୍ଞ କେତେ ବିଶ୍ୱାସୀ ।

ପଡ଼ୋଶୀଙ୍କ ବଳ ସ୍ୱଚ୍ଛ ଶୁଦ୍ଧ ଜଳ
ମୁମୂର୍ଷୁଙ୍କ ପାଇଁ ସାକ୍ଷାତ ସୁଧା
ଧୈର୍ଯ୍ୟ ସାହସର ଜୀବନ୍ତ ଉତ୍ସ ସେ
ଆଶ୍ଚର୍ଯ୍ୟ ହୁଅନ୍ତି ମାତା ବସୁଧା ।

ଅସହିଷ୍ଣୁ ଭାବ ଛଳ ଖଳ ଈର୍ଷା
ଯଦି ଥାଏ ନିଜ ପଡୋଶୀ ଠାରେ
ଭାବିବା ପତନ ନିଶ୍ଚୟ ଆସନ୍ନ
ଆବଦ୍ଧ ଥିଲେ ବି ପ୍ରଭୁଙ୍କ ଦ୍ୱାରେ ।

ଖୁସି ଆନନ୍ଦରେ ରହିବାକୁ ହେଲେ
ପଡ଼ୋଶୀଙ୍କ ଭଲ କରିବା ଚିନ୍ତା
ପରୋକ୍ଷେ ବିଭୁଙ୍କ ଆଶିଷ ଆବୋରି
ହୋଇବା ସଂସାରେ ଜଗତଜିତା ।

ଜମ୍ଭରା, କେନ୍ଦୁଝର
ଦୂରଭାଷ - ୭୯୭୮୩୭୯୯୬୬

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ