ମୋ ମନର ଦୁଃଖ ଗାଉଛି ରେ ପିଲେ ମନେ ଘେନ ।
ଭାସିବାକୁ ଆଉ ମୋହପାଇଁ ଥାନ ରଖିଚ କି
କୋଉଠି ଭାସିବି ମୋତେ ଥରେ କିଏ କହିବ କି ?
ଦାଣ୍ଡ ପାଣି ସୁଅ ମୋ'ପାଇଁକି ପରା ଭଲ ଥିଲା
ପକ୍କା ସଡ଼କରେ ଭାସିବି କୋଉଠି କହ ଭଲା ।
ଆଜିର ଯୁଗରେ ତୁମେମାନେ ମୋତେ ଭୁଲିଗଲ
ମୋତେ ତିଆରିବା କଉଶଳ ମନୁ ପାଶୋରିଲ ।
ତୁମରି ହାତର ଛୁଆଁ ଟିକେ ପାଇଁ ଝୁରୁଅଛି
ଭରା ଶିରାବଣ ବରଷାକୁ ମୁହିଁ ଚାହିଁଅଛି ।
ସରଳ ମନର ତରଳ ହସକୁ ଦେଖୁନାହିଁ
ଚଳ ଚଞ୍ଚଳ ଚପଳ ଭାଷା ମୁଁ ଶୁଣୁନାହିଁ ।
ମୋ କଥା ତ ଦୂରେ କାଠର ନଉକା କାହିଁ ଗଲା
ଜଳପଥ ମୋର ଦିନକୁ ଦିନ ତ ଶୁଖିଗଲା ।
ସାଧବ ପୁଅର ବୋଇତ ଯାତରା ଆଉ ନାହିଁ,
ଗମନାଗମନ, ବଣିଜ ବେପାର ଗଲା କାହିଁ ।
ଗାଆଁ ବଦଳିଲା, ନଈ ପୋଖରୀ ବି ବଦଳିଲା
ପୁରୁଣା ସଂସ୍କୃତି ପରମ୍ପରା ସବୁ ଦୂର ହେଲା ।
ଉନ୍ନତ ହେଉ ଦେଶ ଗାଆଁ ଭୂଇଁ ଦୁଃଖ ନାହିଁ
ମନରେ ରଖିଥା' ମୋହ କଥା ପିଲେ ଭୁଲ ନାହିଁ ।
ପରଖି ଶିଖିବା ଯେତେ ନୂଆ କଥା ଆସୁଥିବ
ପୁରୁଣା କଥାକୁ ମନରେ ସାଇତି ରଖୁଥିବ ।
ତାପସ କୁଟୀର, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୯୪୩୮୪୮୧୧୩୬