ତାକୁ ଜୀବନ ମରଣର ଲଢେଇରେ
ଏକା ଛାଡ଼ି ଦେଇ
ନରରାକ୍ଷସଟା ଚାଲିଗଲା,
ସେଇ ଟାଙ୍ଗରା ଭୂଇଁ ଉପରେ ପଡ଼ି
ବହୁ ସମୟ ଛଟପଟ ହେବାପରେ
ଶେଷରେ ତା' ପ୍ରାଣ ପକ୍ଷୀଟା
ଶରୀର ପିଞ୍ଜରାର ସକଳ ବନ୍ଧନରୁ ମୁକ୍ତ ହୋଇ
ମୁକ୍ତାକାଶକୁ ଉଡ଼ିଗଲା ।
ରକ୍ତାକ୍ତ ଡେଣାକୁ ଝାଡ଼ି ସଫା କରି
ଭୂମିକୁ ବିଦାୟ ଦେଇ
ଉଡ଼ି ଚାଲୁଥିଲା ସେ ସୁନୀଳ ଆକାଶ ଆଡ଼େ,
ଏବେ ତ ସେ ମୁକ୍ତାକାଶର ବିହଙ୍ଗମ
ନାହିଁ ତା'ର କିଛି ସୀମା ସରହଦ
ନାହିଁ ତା'ର ଏକ ସ୍ଥାୟୀ ଠିକଣା
ଯିଏ ସାଜିଥିଲା ସାଂସାରିକ କେବେ,
ସକଳ ବନ୍ଧନରୁ ମୁକ୍ତ ସେ ଏବେ ।
କଞ୍ଚା ରକ୍ତର ଅଳତା ନାଇ
ସେଦିନ ସଜେଇ ଉଠିଥିଲା ଟଙ୍ଗେରା ଭୂଇଁଟା
ସେଦିନ କିନ୍ତୁ ସେ ଅଳତା ବଢ଼େଇ ନ ଥିଲା ସୌନ୍ଦର୍ଯ୍ୟ,
ସେଦିନ କିନ୍ତୁ ସେ ଅଳତାର
ପ୍ରତିଟି ବୁନ୍ଦା ଜଣେ ଅପାରଗ ପୁରୁଷର
ନୀରବ ପରିଚୟ ପ୍ରଦାନ କରିବା ପାଇଁ ଯଥେଷ୍ଟ ଥିଲା ।
ସେପଟେ ଜ୍ୟେଷ୍ଠ ତା' ପହିଲି ବୁନ୍ଦା ପକେଇ
ସେ ରକ୍ତାକ୍ତ ଭୂଇଁର ରଙ୍ଗଟାକୁ
ଆହୁରି ଗାଢ଼ କରି
ରଜସ୍ୱଳା କରିବା ଆଳରେ
ଆକାଶ ଢ଼ାଳୁଥିଲା ମେଘରୂପୀ ଅଶ୍ରୁ
ମଣିଷ ନ ହେଲେ ବି
ସେ ବି କାନ୍ଦୁଥିଲା !!
କେବେ ଗୁମୁରି ଗୁମୁରି
ତ କେବେ ଘୋର ଗର୍ଜନ କରି
କେମିତି ବା ସମ୍ଭାଳିବ ସେ
ମାଟି ଭଳି ସେ ବି ତ' ଜଣେ ନୀରବ ସାକ୍ଷୀ ଥିଲା ।
ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ