ନିଖୋଜ ମଉସୁମୀ - ରଞ୍ଜନ କୁମାର ବ୍ରହ୍ମା

0

ଆଷାଢ଼ରେ ସିଏ ସଜାଇ ଆସିଲା
ମେଘକୁ ଓଢଣୀ କରି ।
ଘଡ଼ଘଡି ଭାଇ ତା' ସାଥିରେ ଥିଲା 
ବିଜୁଳି ଭଉଣୀ ପରି ।।

ସରାଗରେ ତା'କୁ ଗାଆଁର ମୁଣ୍ଡରୁ 
ବନ୍ଦାପନା କରି ନେଲି ।
ପିଠା ପଣା କ୍ଷୀରି ଖେଚୁଡ଼ି ଅନ୍ନରେ 
ଉତ୍ସବଟି ପାଲିଥିଲି ।।

ତା'ର ଭଲକଥା ଜଗତଟି ସାରା
ତୁଣ୍ଡକୁ ତୁଣ୍ଡ ଗଲା ।
ସେହି କଥା ଶୁଣି କୁଣ୍ଢେମୋଟ ହେଲି 
ପାଦ ତଳେ ନ ଲାଗିଲା ।।

ବିହନ ବୁଣିଲି ଫଳିଲେ ପୂଜିବି
ରୋଇ ଚାରା ଧାଡିଧାଡି ।
କୁଆଡେ ଚାଲିଲା ନ କହି କାହାକୁ
ଦାଣ୍ଡ ବାରି ଫାଟେ ରଡି ।।

ନ କହି ନ ପୁଛି ଯିବାର କାରଣ
କିପରି ଜାଣିବି ମୁହିଁ ।
ଆଷାଢ଼ ସରିଲା ଶ୍ରାବଣ ପଶିଲା
ଏ ପର୍ଯ୍ୟନ୍ତ ଦେଖାନାହିଁ ।।

ଯାଉଛି ଥାନାରେ ନିଖୋଜ କଥାଟି
ଜଣାଇ ଆସିବି ଏବେ ।
ଖୋଜିକି ଆଣିବେ ଛପିବା ଜାଗାରୁ
ମଜାଟି ପାଇବ ସେବେ ।।

କାହିଁଗଲେ ସେଇ ମୃତ୍ୟୁଞ୍ଜୟ ବାବୁ
ମହାପାତ୍ର ବୋଲାଉ ଥିଲେ ।
ଏହି ଶିକ୍ଷା ଦେଇ ପଠାଇଥିଲେ ସେ
ମୋର ସବୁ ସାରିଦେଲେ ।।

ପୋଡିବାକୁ ଯାଏ ମୋର କ୍ଷେତବାଡ଼ି 
ରାଇଜ ସାରା ଏ ଦଶା ।
ଖୋଜି ଦେଇ ଆଣ ପାଛୋଟି ନେବି ମୁଁ 
ଭୁଲି ତା'ର ସବୁ କଥା ।।

ଭୁଲଟି କାହାର ନ ହୋଇ ରହିଛି 
ଏଇ ମର୍ତ୍ତ୍ୟ ମଣ୍ଡଳରେ ।
ଫେରିଲେ ଏଥର ଖୁଆଇ ରଖିବି
ମଣ୍ଡା ବରା ଚକୁଳିରେ ।।

ଫେରିବା ବାଟକୁ ଅନାଇ ରହିଛି
ନନ୍ଦ ସମ ଏହିଠାରୁ ।
ପାହାଡ ଜଙ୍ଗଲ ପୁର କ୍ଷେତ ବାଡ଼ି 
ଶସ୍ୟ ସମ୍ପଦରେ ପୁରୁ ।।

ଚିକିଟୀ ଗଡ଼, ଗଞ୍ଜାମ
ଦୂରଭାଷ - ୮୨୪୯୪୮୬୪୫୫

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ