ଆରମ୍ଭ ହୁଅଇ ମାଆର କଷ୍ଟ
ସେ କଷ୍ଟ ଯନ୍ତ୍ରଣା ଅନୁଭବି କହେ
ଯେବେ ବି ଲଭଇ ଶିଶୁ ଭୂମିଷ୍ଟ ।
କୁଆଁ କୁଆଁ ତାନ ପରୋକ୍ଷେ ସୂଚାଏ
ଆରମ୍ଭ ହେଲା ମୋ ଦୁଃଖ ଯନ୍ତ୍ରଣା
ମାଆକୁ ଚାହିଁ ସେ କୁହେ ଲୋ ଜନନୀ
କାହିଁକି ଦେଲୁ ତୁ ଜନ୍ମ ବେଦନା ।
କେବେ ଆସେ ରୋଗ କେବେ କ୍ଷତ ଭୋଗ
କେବେ ଅନ୍ନ କଷ୍ଟ ଅର୍ଥ ଅଭାବ
କେବେ ପରାଧୀନ ଅବା ଦୀନ ହୀନ
ନିନ୍ଦା ଯେବେ ଆସେ ହଜେ ସ୍ଵଭାଵ ।
କାହା ଘୋଡା ଚଢା ବିଳାସର ବେଢ଼ା
ଦେଖି ମନ ଉଣା ହୁଏ ଅଭାବେ
ତୁଳନା କରିଲେ ଉଚ୍ଚ ପରିବାରେ
ଧିକ୍କାର ଲାଗଇ ମନକୁ ତେବେ ।
ଖୁସି ଉଲ୍ଲାସର ସ୍ୱର ଯେବେ ବଢେ
ଛୁଏଁ ପୁଣି ଦୁର୍ଘଟଣାର ଦାଗ
ଆଶାର ଆକାଶ ଚୁରମାର ହୁଏ
ଭାବେ ଏ ସଂସାରେ କି ହତଭାଗ୍ୟ ।
ପରିବାରେ ଯେବେ ସଦସ୍ୟଙ୍କ ବନ୍ଧ
ଭାଙ୍ଗିଯାଏ ବୁଝାମଣା ଅଭାବେ
ଭଙ୍ଗା ମନ କାନ୍ଦେ ଧକେଇ ଧକେଇ
ସେ ଦୁଃଖ ଦେଖିଲେ କାନ୍ଦନ୍ତି ସର୍ବେ ।
ଆତ୍ମୀୟ ସ୍ଵଜନ ବନ୍ଧୁ ପରିଜନ
ପାଲଟିଲେ ସ୍ଵାର୍ଥପର କୃତଘ୍ନ
ଲାଗେ ମରି ମରି ବଞ୍ଚିଛି ସଂସାରେ
ମଥାପରେ ଧରି ପାହାଡ଼େ ବିଘ୍ନ ।
ପୁତ୍ରହରା ମାଆ ପତିହରା ପତ୍ନୀ
ସନ୍ତାନ ବିହୀନ ଜନନୀ ଦୁଃଖ
ପ୍ରାକୃତିକ ବିପର୍ଯ୍ୟୟ ଦୁର୍ଘଟଣା
ଶୋଷିନିଏ ଅଜାଣତରେ ସୁଖ ।
ଶ୍ମଶାନର କଷ୍ଟ ଯନ୍ତ୍ରଣାଦାୟକ
ତା ଠାରୁ କଠିନ ବନ୍ଦୀ ଜୀବନ
ନିର୍ଦ୍ଦୋଷ ପାଇଲେ ଟିକିଏ ବି ଦଣ୍ଡ
ବନ୍ଦ ହୋଇଯାଏ ହୃତସ୍ପନ୍ଦନ ।
ଆଶାର ସକାଳ କାଳ ରାତ୍ରୀ ହେଲେ
ଭାଙ୍ଗିଯାଏ ଭବିଷ୍ୟତ ସଉଧ
ସପନ ହଜିଲେ ଭିଜା ଆଖି ଦେଖେ
ସୁଖ ଆକାଶରେ ଦୁଃଖ ବଉଦ ।
ଖଳନାୟକର ଶୀକାର ବନିଲେ
ଅଜଗର ପ୍ରାୟ ଗିଳେ ବିପଦ
ଅପମାନ ନିଆଁ ଜାଳିଦିଏ ସବୁ
ନିମିଷକେ ମରେ ସୁଖ ସମ୍ପଦ ।
ହସ ଆଜି ଅଛି କାଲିକି ନ ଥିବ
ବୃଥା ବନିଯିବ କୋଟି ମନ୍ତ୍ରଣା
କୁହନା ଭାସୁଛି ସୁଖ ସାଗରରେ
ଜୀବନର ଅନ୍ୟ ନାମ ଯନ୍ତ୍ରଣା ।
ଜମ୍ଭରା, କେନ୍ଦୁଝର
ଦୂରଭାଷ - ୭୯୭୮୩୭୯୯୬୬