ବାଲି ମାଟିକୁ ଚକଟି
ହାଣ୍ଡି ଗଢ଼ିବା
ଗୋଟିଏ ଡାଳରେ ବସା ବାନ୍ଧି ପୁଣି
ଶୁଆଶାରୀ ପରସ୍ପର
ସୁଖ ମନାସିବା ।
ଲକ୍ଷେ ବର୍ଷାଋତୁ ଆସିବା ବଡ଼କଥା ନୁହେଁ
ସେଇ ବର୍ଷା ବିନ୍ଦୁଟିଏ ଯୁଗେ ଯୁଗେ ଲୋଡ଼ା
ଶାମୁକା ଗର୍ଭେ ଯିଏ
ସଂଚାରି ପାରେ ମୁକ୍ତା
ସେଇ ହୋମ ନିଆଁ ଲୋଡ଼ା
ଯାହା ଧୂଆଁ
ଅଣନିଃଶ୍ଵାସୀ ନୁହେଁ
ଜିଇଁବାର ବ୍ରହ୍ମକୁଣ୍ଡଳୀ ଦେଖାଏ ।
ଖାଲି ହଳେ ଆଖି ମିଶିଗଲେ
ଭିଜେଇ ଦିଏନା ଶ୍ରାବଣ
ଛମଛମ ବାଜିଲେ ଘୁଙ୍ଗୁର
ଭାଙ୍ଗିଯାଏ ନା ରାତ୍ରିର ନିଦ ।
ଭୋଗ ଆଉ ଭୋକରେ ନଥାଏ
ଦାମ୍ପତ୍ୟର ଭାଗ୍ୟ
ଦାମ୍ପତ୍ୟ ଯେ ଚିରକାଳ ଦୁଦୁରା ଗଛ ମୂଳେ
ଈଶ୍ଵରଙ୍କୁ ସମର୍ପିତ ଗୋଟେ ସୋମବାର
ମହମହ ବାସ ଚନ୍ଦନେ ଭରା
ପୁଣ୍ୟ ଦେବାଳୟ
ଏକ ଅଲୌକିକ ସମ୍ପର୍କର
ପୂଣ୍ଣାଙ୍ଗ ସକାଳ ।
ଦେହ କି ଦହନରେ
ପାଉଁଶ ହୁଏନି
ଦାମ୍ପତ୍ୟର ସତ୍ତା ।
କେତେବେଳେ ସତୀ ଅନସୂୟା ସିନ୍ଥିରେ
ସୂର୍ଯ୍ୟ ହୋଇ ସେ ଜଳେ ତ
ପୁଣି କେତବେଳେ
ସତୀ ସାବିତ୍ରୀ କରକଙ୍କଣେ
ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଉଚ୍ଚାରେ ।
ଦାମ୍ପତ୍ୟ ପଣ ନିଭାଇବା
କମ୍ କଥା କି ?
ଦାମ୍ପତ୍ୟକୁ ସଜାଇ ପାରିଲେ
ଦାରୁଦିଅଁଙ୍କ ନାଲି ଅଧର ପରି
ହସୁଥିବ ତମାମ ଜୀବନ
ହାଡ଼ର ପଲସ୍ତରା ଉପରେ
ଫୁଟୁଥିବ ପାରିଜାତ
ଚାରି ଆଖି ଦୁଇ ମନ
ଏକ ସ୍ୱରେ ଗାଉଥିବେ
ଜହ୍ନରାତି ଗୀତ ।
ସମ୍ପାଦକ - ନୀହାରକନ୍ୟା ସାହିତ୍ୟ ସଂସଦ
ନୂଆଗାଁ, ଶିଙ୍ଗାଖୁଣ୍ଟା, ସୋର, ବାଲେଶ୍ଵର
ଦୂରଭାଷ - ୮୧୧୭୮୦୫୯୫୯