ଅଣୁଗଳ୍ପ - ବାପା - ଶ୍ୟାମା କିଙ୍କର ମହାନ୍ତି

0

ଗଲା କିଛି ଦିନ ହେଲା ଅଶୋକ ଭାରି ବ୍ୟସ୍ତ ରହୁଛି । କମ୍ପାନୀରୁ ଫେରୁ ଫେରୁ ସନ୍ଧ୍ୟା ସାତଟା । ଘରେ ପହଞ୍ଚି ଟିକେ ଧୁଆଧୁଇ ହୋଇ ପୁଣି କୁଆଡେ ବାହାରି ଯାଉଛି । ଗଲାବେଳେ ଗୋଟେ ଷ୍ଟିଲ ଟିଫିନରେ ଘରୁ ନଉଛି ରୁଟି ତିନିଟା ଆଉ ଭଜା । ଫେରୁଛି କୋଉ ଦିନ ରାତି ଦୁଇ ତ କୋଉ ଦିନ ରାତି ତିନି । ମୁହଁସାରା ଆଲୁରୁବାଲୁରୁ ଦାଢ଼ି, ଜାମାପଟାରେ ମଇଳା ଦାଗ  । ପିଲାମାନେ ଭାବୁଛନ୍ତି, ତାଙ୍କ କମ୍ପାନୀରେ କୁଆଡେ ବାପାଙ୍କର ଅନେକ କାମ । ଗୋଟେ ଛୋଟ ଅନାମଧ୍ୟେୟ କମ୍ପାନୀରେ ଇଲେକ୍ଟ୍ରିସିଆନ ଚାକିରୀ ଅଶୋକର । ସ୍ୱଳ୍ପ ଦରମା, ତଥାପି ପୁଅଝିଅଙ୍କର ସବୁ ଆବଶ୍ୟକତା ଯଥା ସମ୍ଭବ ପୂରଣ କରିବାକୁ ଚେଷ୍ଟା କରେ ସେ । ପଢ଼ାବହି, ସ୍କୁଲଖର୍ଚ୍ଚ, ଜଳଖିଆ ଆଉ ପ୍ରାୟ ପର୍ବପର୍ବାଣୀରେ ନୂଆ ଜାମା । ନିଜେ କିନ୍ତୁ ଚଳିଯାଏ ଦୁଇ ହଳ ଜାମା, ହଳେ ଚପଲ ଆଉ ସେଇ ପୁରୁଣା ସାଇକେଲରେ । ହଁ, ଅଶୋକ କିଛିଦିନ ହେଲା ଭାରି ବ୍ୟସ୍ତ ରହୁଛି । ସ୍ତ୍ରୀ ସିନା ଜାଣିଛି, ପିଲାମାନେ କଣ ଜାଣିଛନ୍ତି...? ଆଗକୁ ପରା ପୂଜା ଆସୁଛି । ପୁଅଝିଅଙ୍କ ନୂଆ ଜାମା କରିବାକୁ ପଡିବ । କମ୍ପାନୀ କାମ ପରେ ରାତିରେ ନୂଆ ତିଆରି ହେଉଥିବା ଆପାର୍ଟମେଣ୍ଟର ୱେଆରିଂ କାମ କଲେ ସିନା ଯାଇ କିଛି ଅଧିକା ପଇସା ମିଳିବ । ନ ହେଲେ ପୂଜାଟା ପୁରା ମାନ୍ଦା ହେଇଯିବ ଯେ... ।

ଯମୁନା ରୋଡ଼, ମାର୍କଣ୍ଡେଶ୍ଵର ସାହି , ପୁରୀ
ଦୂରଭାଷ - ୯୮୬୧୧୯୧୩୮୦

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ