ଅଶାନ୍ତ ସହରେ ଶାନ୍ତିର ଦୂତ - ନାରାୟଣ ଚନ୍ଦ୍ର ସେନାପତି

0

ଗୀତାଶ୍ଳୋକ ପଢି ଜାଣିଥିଲି
ଯେବେ ସଂସାର
ଅଶାନ୍ତ ଝଡ଼ରେ ହୁଏ ଭାରାକ୍ରାନ୍ତ
ଶାନ୍ତିର ଅବଢ଼ା ବାଣ୍ଟିବାକୁ
ଆସିଥାନ୍ତି ସ୍ୱୟଂ ଦେବଦୂତ
ବାପା କହୁଥିଲେ
ଯେବେ ବନ୍ୟା ବାତ୍ୟା ଧରେ ଭୀମରୂପ
ତା'ପରେ ପ୍ରକୃତିଟା ଛାଏଁ ଛାଏଁ
ବନିଯାଏ ଶାନ୍ତ ସ୍ୱରୂପ
ଗୁରୁ କହୁଥିଲେ
ଯେବେ ସମାଜକୁ ଗ୍ରାସେ ଅଦିନ ଅନ୍ଧକାର
ଧୀରେ ଧୀରେ ଆଲୋକ ବୁଣେ ପ୍ରେମର ବେଭାର
ହେଲେ ଆଜି ସମାଜଟା
ପ୍ରତିକ୍ଷଣ ଅଶାନ୍ତିରେ ବିପର୍ଯ୍ୟସ୍ତ
କାହିଁକି ମୂର୍ତ୍ତି ପରି ବସିଛ ହେ ପ୍ରଭୁ
ଆସୁନ ଧରାକୁ ସାଜି ଶାନ୍ତିର ଦୂତ ।

ଇତିହାସ କହୁଥିଲା
ଯଦି ଶାନ୍ତି ଚାହଁ
ତେବେ ଯୁଦ୍ଧ ପାଇଁ ହୁଅ ପ୍ରସ୍ତୁତ
ସାଧୁ ବି ଦେଇଥିଲେ ଏ କଥାର ଗୁରୁତ୍ୱ
ଆଉ କହିଥିଲେ
ଯଦି ପାଞ୍ଚ ବିକାରକୁ କରିବ ନିହତ
ତେବେ ଅବିଳମ୍ବେ ପାଇବ ଶାନ୍ତି ହୋଇ ଶୁଦ୍ଧ ପବିତ୍ର
ମାଆଠାରୁ ଶୁଣିଥିଲି
ପରିବାରର ଗୂଢ ତତ୍ତ୍ୱ
ଶାନ୍ତି ଜନ୍ମନେବ ସେଇଠି
ଯେଉଁଠି ସ୍ନେହ ପ୍ରେମ ଶ୍ରଦ୍ଧାର ଦୁଆର ସଦା ଉନ୍ମୁକ୍ତ
ଆଜି କିନ୍ତୁ ସମାଜ ଖୋଜୁଛି ଶାନ୍ତି
ବସି ଅଶାନ୍ତ ସହରେ
ଅନ୍ୟାୟର ରାଜୁତିରେ ମ୍ରିୟମାଣ ଜ୍ଞାନୀ ସାଧୁ ସନ୍ଥ
ନୀତି ଆଦର୍ଶକୁ କିଏ ବା ପଚାରେ !

ଶ୍ରୀରାମ ଦେଇଥିଲେ ଶାନ୍ତି ତ୍ରେତୟାରେ
ଶ୍ରୀକୃଷ୍ଣ ବାଣ୍ଟିଥିଲେ ଶାନ୍ତି ଦ୍ୱାପରରେ
ହେଲେ କଳିଯୁଗର ଅମାନିଆ ମଣିଷଟା
ନିଜକୁ ଭାବୁଛି ଭଗବାନଙ୍କ ଉପରେ
ବିବେକ ମଣିଷ ପଣିଆକୁ ପାଦରେ ଏଡେଇ
ଦେଖାଉଛି ବଡିମା ଅହଙ୍କାରରେ
ଆଜି ପଲ୍ଲୀ ଠାରୁ ଦିଲ୍ଲୀ ସବୁଠି ଅଶାନ୍ତି
କାନ୍ତି ଆଶା ଭ୍ରମ ହୋଇ ମିଳୁଛି କ୍ରାନ୍ତି
ଶାନ୍ତିର ଦୂତ ସାଜି ଆସ ହେ ଜଗନ୍ନାଥ
ଏ ଦୁଃଖଦ ବେଳାରେ
ଟିକେ ଶାନ୍ତି ଟିକେ ପ୍ରେମ ଭରିଦିଅ
ପ୍ରତି ମଣିଷର ମନରୂପୀ ଅଶାନ୍ତ ସହରରେ ।

ଜମ୍ଭରା, କେନ୍ଦୁଝର

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ