ଅଧର ପଣା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ସରିଲା ଗୁଣ୍ଡିଚା ଯାତ,  ଫେରିଆସିଲେ ସାଆନ୍ତ
ଦେବାଦେବୀ ଚଣ୍ଡୀ ଭୂତ,  ଡାକିନୀ ଯୋଗିନୀ ପ୍ରେତ 
ରଥ ଛାଡି ଯେଝା ସ୍ଥାନେ,
ଯିବାକୁ କହିଲେ ତୁମେ ଯିବାପରେ 
ନୀଳାଦ୍ରି କୁ ଯିବୁ ଆମେ ।।

ରଥେ ଜଗତ ଠାକୁର,  ଅଶରୀରୀ ସବୁ ସ୍ଥିର
ସବୁ ଏକମନ ହୋଇ, ରଥରେ ଅଛନ୍ତି ରହି
ରଥୁ ପ୍ରଭୁ ଯେବେ ଯିବ,
ଅସମ୍ଭାଳ ହେବ ବଡଦାଣ୍ଡ ସିନା
ତାଙ୍କ କଥା କେ ବୁଝିବ ।।

କରିବେ ସବୁ ଉତ୍ପାତ,  ଘୋଟି ଆସିବ ବିତ୍ପାତ
ସେ ପାଇଁ ଅଧର ପଣା,  ଖଣ୍ଡ ସର କ୍ଷୀର ଛେନା
ଦିବ୍ୟ ପଣା ନଇବେଦ୍ୟ,
କରି ଠାକୁରଙ୍କ ରଥରେ ଭାଙ୍ଗିଲେ
ପଣା ଅଧର ଚୁମ୍ଵିତ ।।

ଅଲଭ୍ୟ ପଣା ଅମୃତ, ପାଇ ହୋଇ କୃତ୍ୟ କୃତ୍ୟ
ଫେରିଗଲେ ନିଜ ପଥ,  ଅଶରୀରୀ ଭୂତ ପ୍ରେତ
ଠାକୁର ହେଲେ ଆଶ୍ଵସ୍ତ,
ନୀଳାଦ୍ରି ବିଜୟ କରିବେ କାଲିକି
ମହାପ୍ରଭୁ ଜଗନ୍ନାଥ ।।

ମର୍ତ୍ତ୍ୟେ ଦେବତାଙ୍କ ଲୀଳା, ପୁରସ୍ତମ କ୍ଷେତ୍ରେ ପରା
ଦେବେ ଅଗୋଚର ଯାହା, କହିବି କେମିତି ତାହା
ସେତ ଅଗତିର ଗତି,
ସେହି ଲୀଳାମୟ ଅମ୍ବୁଜ ପୟରେ
ପ୍ରଫୁଲ୍ଲ ରଖିଛି ମତ୍ତି ।।

ମଙ୍ଗଳାଯୋଡି, ଟାଙ୍ଗି, ଖୋରଧା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ