ପ୍ରଜାପତି ପରି ବହୁତ ସୁନ୍ଦର
ମୋ ଉଦ୍ୟାନରେ ଘୂରିବୁଲୁଥାଏ
ଫୁଲରୁ ମଧୁ ଲୁଟି ସୁଖ ସାଉଁଟିବାରେ
ଖୁବ୍ ଧୁରନ୍ଧର ।
ଶାନ୍ତି ବି ହୋଇପାରେ ପ୍ରେମର ପ୍ରତିମା
ଏପରିକି ଘର ସମ୍ଭାଳିବାକୁ ଯୋଗ୍ୟତମ ଜାୟା
ଅବା ତା ପଣତ ତଳେ
ଘଣ୍ଟ ଘୋଡେଇ ରଖିବାର ପ୍ରତିଶ୍ରୁତି
ଦେବାର ସାମର୍ଥ୍ୟ ଥିବା
ଆଦରର ମାଆ ।
ଶାନ୍ତିକୁ ତୁମେ ଯେମିତି ବି ବୁଝିନେଇପାର
କୁନି ଝିଅ, ପ୍ରେମିକା, ଜାୟା
ଅବା ମାଆ ବୋଲି ଧରିନେଇପାର ।
ଶାନ୍ତି ତ ଶିବଙ୍କୁ ଅପେକ୍ଷା କରିଥିବା ଗଙ୍ଗା
ନିର୍ଦ୍ଦିଷ୍ଟ ବୟସ ବୋଲି ତା'ର କିଛି ନାହିଁ
କେତେବେଳେ କୋଉ ରୂପ ଧରେ
ତାର ଠିକଣା ହିଁ ନାହିଁ ।
ମଉନାବତୀ ଶାନ୍ତି ମୋର କଥା କହେନାହିଁ
ଅତି ଫୁଲେଇଟେ, ଗେଲେଇଟେ
ଯେତେ ବୁଝେଇଲେ ବି ଜମା ଶୁଣେନାହିଁ
ଅଳି ତା'ର ପୂରଣ ନହେବା ଯାଏ
ତା ଯାଗାରୁ ଇଞ୍ଚେ ହଲେନାହିଁ
ମଉନାବତୀ ଶାନ୍ତି ମୋର କଥା କହେନାହିଁ ।
ଶାନ୍ତି ମୋର ଚୁପି ଚୁପି ହସେ
କଣେଇ କଣେଇ କିଛି ନ ଜାଣିଲା ଭଳି,
ମୁଁ କିନ୍ତୁ ଖୋଜୁଥାଏ ମନଖୋଲା ହସ
ତା' ଓଠର ମୁକୁଳା ହସ ପାଇଁ
ମୁଁ ଏ ଜୀବନକୁ ବାଜି ଲଗେଇ ଦିଏ
ପ୍ରସ୍ତୁତ ବି ଜୀବନକୁ ଦେବାପାଇଁ ବଳି
ଶାନ୍ତି ମୋର ଚୁପି ଚୁପି ହସେ
କଣେଇ କଣେଇ କିଛି ନ ଜାଣିଲା ଭଳି ।
ଶାନ୍ତି ମୋର ହଜିଯାଇଛି
ଏ ଚାକଚକ୍ୟ ଦୁନିଆର ଗହଳି ଭିତରେ
କେହି ସହୃଦୟ ତାକୁ ପାଇଗଲେ
ଜଣାଇବେ ଦୟାକରି ତଳ ଠିକଣାରେ ।
ମୁଁ ତାକୁ ଖୋଜି ସାରଲିଣି
ତ୍ରିତଳ ପ୍ରାସାଦ ଭିତରେ
କ୍ଷମତାସୀନ ଅଧିକାରୀଙ୍କ
ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ
ଜ୍ଞାନ ଚର୍ଚ୍ଚା ମହାସଭାରେ ପୁଣି
ସାହିତ୍ୟ ସମ୍ମିଳନୀର ଆସର ଭିତରେ
ଶାନ୍ତିକୁ ମୁଁ ଖୋଜିଲିଣି
ମଠ ମନ୍ଦିରରେ ।
କୋଉଠି ମିଳିବ ମୋ ଶାନ୍ତି
ତାକୁ ପାଇବାକୁ
ସବୁ ଚେଷ୍ଟା ମୋର ବିଫଳ ହୋଇଛି
ଖୋଜିଛି ମୁଁ ଦୁନିଆର କୋଣରେ କୋଣରେ
କେହି ସହୃଦୟ ତା'ର ଯଦି ସନ୍ଧାନ ପାଆନ୍ତି
ଜଣାଇବେ ଦୟାକରି ତଳ ଠିକଣାରେ ।
ତାପସ କୁଟୀର, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୯୪୩୮୪୮୧୧୩୬