କ୍ଷୁଦ୍ରଗଳ୍ପ - ତାତି - ଅମିୟ ବେଜ୍

0

ନନ୍ଦିନୀ ର  ଫୋନ୍ ଆସିବା ମାତ୍ରେ ମୋର ଏକମାତ୍ର କର୍ତ୍ତବ୍ୟ ଏତିକ ଯେ, ତାକୁ ଶୁଣିବା । ନନ୍ଦିନୀ କୁହେ, ଜୀବନରେ କରିଚାଲିଥିବା ଭୁଲ୍ ଗୁଡାଙ୍କୁ ଯଦି କାହା ଆଗରେ ପ୍ରକାଶ କରିନହୁଏ, ତା'ହେଲେ ସେସବୁ ନିଜ ଭିତରେ ଠୁଳ ହୋଇ ଦିନେ ବିସ୍ଫୋରଣ କରାଏ । ଅନ୍ତତଃ କେହି ତ ଟିକେ ବୁଝୁ କି ନବୁଝୁ, ଶୁଣୁଥାଉ । ମୁଁ ନନ୍ଦିନୀ କୁ ଶୁଣେ । ବୁଝେବି । ତା ଭୁଲ୍ ମାନଙ୍କୁ ଖୁବ୍ ଉପଭୋଗ କରେ । ସେଥିରୁ ନିର୍ଯ୍ୟାସ କାଢେ ମଧ୍ୟ । ତାକୁ ବତାଏ । ସିଏ କୁହେ -

- ତୁ ଟା' ଏତେ ପରଫେକ୍ଟ କେମିତି ?

ମୁଁ ହସେ । କୁହେ -

- କାରଣ ତୁ ମୋ ଭୁଲ୍ ସବୁଙ୍କୁ ଶୁଣୁ ନାହୁଁ ବୋଲି...

କିଛି ନାମ ମାନଙ୍କରୁ ମଣିଷର ବୟସ ଆକଳନ କରିହେବ । ଯେମିତିକି ଏଇ ନନ୍ଦିନୀ ଅବା ରେବତୀ ଆଦି ହଜାରେ ବର୍ଷ ପୂର୍ବର ନାମ । ଏବେ ଏସବୁ ନାମ ଦୁର୍ଲ୍ଲଭ । ଏମିତି କହି ମୁଁ ନନ୍ଦିନୀ କୁ ବୟସ୍କା କରାଉନି । କାରଣ ଦେହ ଝଡେ । ମନ ଉଡେ । ନନ୍ଦିନୀ ର ମନ ଏକ ଉଡନ୍ତା ଚଢେଇ । ସିଏ ଏଇଠି ଥାଇ ବ୍ରହ୍ମାଣ୍ଡ ବୁଲିଆସି ପାରେ । ମନର କଥା । ଏକାନ୍ତ ବ୍ୟକ୍ତିଗତ । 

ଆଜି ନନ୍ଦିନୀ କହୁଥିଲା -

- ଜାଣୁ, ତୁ ନଥିଲେ ମୁଁ  ନଥାନ୍ତି । ମୋ ଅସ୍ତିତ୍ୱ କିଛି ନଥାନ୍ତା । କେହିଜଣେ ମୋତେ ଏମିତି ଆଚ୍ଛନ୍ନ କରି ରଖିଥିଲା, ସମ୍ମୋହିତ କରି ରଖିଥିଲା ଯେ ମୁଁ ତା ମାୟା ଫାଶରେ କବଳିତ ହୋଇ ରହିଥିଲି । ତା' ଅକ୍ତିଆରରେ ରହି ସଢୁଥିଲି । ମୋ ଜୀବନରେ ତୁ ଆସିବା, ପୁଣି ମୋ ଯାବତୀୟ ଦୋଷ ସବୁଙ୍କୁ ମାଫ୍ କରିଦେଇ  ଚଟାଣ ପରି ମୋ ସହିତ ରହିବା, ମୋ ଲୁହ ସବୁଙ୍କୁ ଶୋଷିନେବା ହେଉଛି ଏକ ଏକ ଅଦ୍ଭୁତ କଥା । କହିବୁକି କାହିଁକି ମୋପାଇଁ ଏତେଯେ ପୀଡା ସହୁ ? ଏତେଯାକ ଗରଳ କେମିତି ପିଇଯାଉ ? ନିଜକୁ ଅଣଦେଖା କରିଦେଉ ? ମୋ ଉପରେ ଆସ୍ଥା ରଖୁ ।

କହିବୁକି ?

ମୁଁ ନନ୍ଦିନୀ ର ଏକଥାକୁ ଶୁଣୁଥିଲି । ସିଏ ଏଇ କଥାସବୁ ଏତେଥର ମୋତେ କହିସାରିଥିଲା ଯେ, ମୁଁ ତା କହୁଥିବାର ପରବର୍ତ୍ତୀ ଧାଡି ସବୁ ଘୋଷି ପକାଇଛି ।

ତଥାପି ନନ୍ଦିନୀ ସେଯାଏଁ କହୁଥିବ, ଯେପର୍ଯ୍ୟନ୍ତ ମୁଁ ତାକୁ ନକହିଛି -

'ନନ୍ଦିନୀ, ମୁଁ ଭଲପାଏ ତୋତେ' ଏତକ ସ୍ଵୀକାରୋକ୍ତି ତା'ପାଇଁ ଯଥେଷ୍ଟ ହୋଇପଡେ । ନନ୍ଦିନୀ ଭୁଲିଯାଏ ସବୁ ଯନ୍ତ୍ରଣା । ମୋତେ ଲାଗେ ଭରସା ରଖିଥିବା ସବୁ ନନ୍ଦିନୀ ଏଇ ପଦକ କଥାରେ ବିହ୍ଵୋଳ ହୋଇପଡନ୍ତି । ଭଲପାଇବାର କଥାସବୁ ଗପୁଗପୁ  ଆଜି ଏତେ ବେଳ ବିତି ସାରିଥିଲା । କଥା ସରୁ ନଥିଲା । ନନ୍ଦିନୀ ଖୁସିରେ ରହିଥିଲା । ଅଚାନକ୍ ନନ୍ଦିନୀ ଚିହିଁକି ଉଠିଲା । ମୋତେ ଗାଳି ବର୍ଷଣ କରିବାକୁ ଲାଗିଲା । କହିଲା -

- ମୋ ଅତୀତ ଠିକ୍ ବରଂ ବର୍ତ୍ତମାନ ଟା ଭାରି ବିଷମ । ଜୀବନରେ ଟିକେ ଫାଜିଲାମି ଜରୁରୀ । ଏତେ ପର୍ଫେକ୍ସନ୍ ମଣିଷ କୁ ବିଗ୍ରହ ବନାଇ ଦିଏ । ତୁ ନିଜକୁ ଭାବୁଛୁ କଣ ? ଗଡ୍ ?  ପରଫେକ୍ଟ ? ତୋ'ଦେଇ ଭୁଲ୍ ହୁଏନି କିଛି ? ନା ମୁଖାଟିଏ ପିନ୍ଧି ମୋ ଆଗରେ ଟହଲ ମାରୁଛୁ ଖାଲି ?

ମୁଁ ଏପାଖରେ ଦୂରରେ ଥିବାରୁ ନନ୍ଦିନୀ ର ମୁଡ୍ ସୁଇଙ୍ଗ କାରଣଟା ଜାଣିବା ହଠାତ ସମ୍ଭବ ହେଇପାରୁନଥିଲା । ଅଥଚ ତାଠାରୁ ଗାଳି ଶୁଣୁଥିଲି । ଯେହେତୁ ତାକୁ ଶୁଣିବା ମୋର କର୍ତ୍ତବ୍ୟ ଥିଲା । ମୁଁ ଚୁପ୍ ରହିଲି । ଆହୁରି ନୀରବ । ନନ୍ଦିନୀ ଥଣ୍ଡା ହେବାଯାଏଁ । ନୀରବତାର କେଇବେଳ ବିତିଗଲା । ଏଥର ନନ୍ଦିନୀ ର କଣ୍ଠ ଶୁଭିଲା ।

ପଚାରିଲା - 

- ରାଗିଲୁ ? ମୋ କଥାକୁ ଧରିଛୁ ?  ଜାଣୁ, ତୁ ନଥିଲେ ମୁଁ  ନଥାନ୍ତି । ମୋ ଅସ୍ତିତ୍ୱ ନଥାନ୍ତା । କେହିଜଣେ ମୋତେ...

ମୁଁ ଚୁପ୍ ରହିଛି । ତାକୁ ସହି ଚାଲିଛି । 

ଶେଷକୁ ନନ୍ଦିନୀ କହୁଛି -

- ଏଇ  ପ୍ରାଣଘାତୀ ଖରା । ପୁଣି ଅଘୋଷିତ ବିଜୁଳି କାଟ । ମୁଣ୍ଡ ଘୁରାଇଦେବ କି ନାହିଁ କହିଲୁ ? ଓଃ କି ତାତି...

ମୁଁ କହିଲି -

- ନନ୍ଦିନୀ, ଏ ଡହଡହ ପାରଦର ତାତି ପୃଥିବୀ କୁ ଯେତେ ସଂଚରିତ ହେଉଛି, ଆମ ଭିତରର ବୁଝାମଣା ଆହୁରି ଗହନ ହେଇ ଚାଲିଛି । 

ମନ୍ଦିର ନଥିଲେ ଦେବତାଙ୍କ ଅସ୍ତିତ୍ଵ, ପଂଖା ନଥିଲେ ପବନର ଅସ୍ତିତ୍ଵ ର କିଛି ମାନେ ଅଛି ନନ୍ଦିନୀ ? 

ନନ୍ଦିନୀ ସେପାଖୁ ଉତ୍ତର ଦେଲା -

- ଶୁଣ୍ ବିଜୁଳି ଆସିଗଲାଣି । ଏବେ କହିଦେ ଥରେ 'ଲଭ୍ୟୁ' ବୋଲି ମୋତେ...

ଘଟଗାଁ , କେନ୍ଦୁଝର

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ