ତାହା ଯଦି କେବେ ମନ ହୃଦୟକୁ ଛୁଇଁବନି
ତାହାକୁ କାହିଁକି କହିବା କବିତା
ଯାହାକୁ ପଢିଲେ ନିଜ କଥା ବୋଲି ଲାଗିବନି
କବିତା କି ତାକୁ କୁହାଯିବ ବନ୍ଧୁ
ତାହା ଯଦି ଦୁଃଖୀ ମରମ ବେଦନା କହିବନି ।
କବିତା କି ତାକୁ କୁହାଯିବ ବନ୍ଧୁ
ପଢିଲେ ହୃଦୟ ଆବେଗପ୍ରବଣ ହୋଇବନି ।
ଅସଲ କବିତା କୁହାଯିବ ତାକୁ
ଗୋଟିଏ ରାହାରେ ପଢିବାର ଯେବେ ଇଚ୍ଛା ଜାଗେ
ଅତିନ୍ଦ୍ରିୟ ରାଜ୍ୟେ ପହଞ୍ଚାଇଦିଏ
ମନ ମୋହିନିଏ ସ୍ଵପ୍ନବିଭୋର ପରାଣ ଭାଗେ ।
ଚେତନା ରାଜ୍ୟେ ବିପ୍ଳବ ଆଣେ
ସବୁଜିମା ଭରେ ଊଷର ରୁକ୍ଷ ମାନସ ପୁରେ
କେବେ ଅବା ବକ୍ଷେ ରୁଦ୍ର ସ୍ପନ୍ଦନ,
ଭୀଷ୍ମ ଶପଥ ନେଇ ଲଲାଟରେ ତିଳକ ଭରେ ।
ସିଏ ହିଁ ହେଉଛି ଅସଲ କବିତା
ଯାଦୁକର ଭଳି କୁହୁକ ମନ୍ତର କରଇ ଯିଏ
ପ୍ରାଣରେ ଖେଳାଏ ବିଦ୍ୟୁତ୍ତରଙ୍ଗ
କ୍ଷଣିକ ବି ହେଉ ପ୍ରଶାନ୍ତି ପ୍ରଲେପ ଆଦରେ ଦିଏ ।
ତାପସ କୁଟୀର, ବଇଣ୍ଡା, ଅନୁଗୋଳ