ସାଧବବୋହୂ ଓ ବାଘମାମୁଁ - ବି. ନିରୁପମା

0

ସେଦିନ ମକର ସଂକ୍ରାନ୍ତି । ରାତି ଅଧରୁ ଘରେ ପିଠା ମିଠା ତିଆରି ଚାଲିଥାଏ । ବଡ଼ି ଭୋରରୁ ମାଆ ଆମକୁ ଆଗଥର ଭଳି ଉଠେଇବାକୁ ଡାକ ଛାଡ଼ିଲା ।

"ଉଠ ଲିସା, ଲିଟୁ ପାହିଲା ରାତି,
ଛାଡ଼ିଦିଅ ଶୀଘ୍ର ଶେଯ ସୁପାତି ।"

"ତୁମ ସାଙ୍ଗମାନେ ପରା ଆସି କେତେ ଥର ତୁମକୁ ଡାକିଗଲେଣି । ପୋଖରୀରେ ବୁଡ଼ ମାରିବାକୁ । ଝଅଟ ଯାଅ - ତିଳ, ହଳଦୀ, ଦାନ୍ତକାଠି ଆଉ ଶୁଖିଲା ପୋଷାକ ନେଇ । ସାବଧାନ ରହିବ । ପୋଖରୀରେ ଗାଧୋଇ ସେଇଠି ସାଙ୍ଗମାନେ ଜାଳିଥିବା ମକର ଧୂନିରେ ସେକିହେବ । ତା'ହେଲେ ବର୍ଷସାରା ତୁମ ଦେହରେ ପାଣି ଚଳିବ ।"

କହୁକହୁ ମାଆ ଆମକୁ ନିଦରୁ ଉଠେଇ ଓଦା ହାତରେ ମୁହଁ ପୋଛିଦେଲା । ମକର ଧୂନି କଥା ଶୁଣି ମୁଁ ତୁରନ୍ତ ଖଟ ଛାଡି ଛିଡା ହୋଇଗଲି । ଏଇଦିନ ଲାଗି ଦଶଦିନ ହେଲା ଆମେ ସାଙ୍ଗମାନେ ପ୍ରସ୍ତୁତି ଚଳେଇଛୁ । ପୋଖରୀରେ ବୁଡ଼ମାରି ମକର ନିଆଁ ପୋଇଁବାକୁ ଆମେ ଶୁଖିଲା ଜାଳ, କାଠ ଓ ତାଳ ବରଡ଼ା ଜମା କରି ରଖିଛୁ । ଅନ୍ୟମାନେ ଗାଧୋଇ ନିଆଁ ପୋଇଁବେଣି ଏତେବେଳକୁ । ଆମେ ଯିବାପାଇଁ ପ୍ରସ୍ତୁତ ହେଉ ହେଉ ଅଳକା, ଦୀପା, ଶିଶିର ଆସି ହାଜର ହୋଇଗଲେ । ଆଉ ବିଳମ୍ବ ନକରି ସଭିଏଁ ମିଶି ଏଥର ଚାଲିଲୁ.... । ଯିବା ପୂର୍ବରୁ ମାଆ ପୁଣିଥରେ ସାବଧାନ ହୋଇ ଗାଧୋଇବା ସହ ନିଆଁ ପୋଇଁବାକୁ ସତର୍କ କରିଦେଲା ।

ଆଗରୁ ପୋଖରୀ ହୁଡାରେ ହୁତହୁତ ହୋଇ ନିଆଁ ଜଳୁଥାଏ । ସାନରୁ ବଡ଼ ଅନେକଙ୍କ ଭିଡ଼ ଜମିଥାଏ ପୋଖରୀ ତୁଠରେ । ଅଧିକାଂଶ ଶିଶୁ-କିଶୋର ବୟସର । କେତେକ ପାଣିରେ ବୁଡ଼ ପକାଇ କୌତୁକ କରୁଥା'ନ୍ତି ତ ଆଉ କେତେଜଣ ପାଣିରୁ ଆସି ନିଆଁର ଉଷୁମ ନେଇ ପୁଣି ପୋଖରୀ ପାଣି ଭିତରକୁ ଡେଇଁ ପଡୁଥା'ନ୍ତି । ସେମାନଙ୍କ ଶୀତ କୁଆଡ଼େ ଛୁ କଲାଣି ସେତେବେଳକୁ । ତାଙ୍କ ଦେଖାଦେଖି ଆମେ ଗରମ ଓ ଶୁଖିଲା ପୋଷାକ କୂଳରେ ଥୋଇଲୁ । ଭଲ ଭାବରେ ତିଳ ମିଶା ତେଲ ମାଲିସ କରି ପୋଖରୀ ପାଣିରେ ପାଦ ଦେଲୁ । ମାଆ କଥା ମନେ ପଡ଼ିଲା । ଗହୀର ପାଣିକୁ ନ ଯାଇ ଦୁଷ୍ଟାମି ନକରି ଗାଧୋଇଲୁ । କେତେଜଣ ସାଙ୍ଗ ଆସି ମୋଠୁ ହଳଦୀ ନେଇ ଲଗାଇଲେ । ସବୁଥର ପରି ବବୁନି ଏଥର ବି ସାବୁନ ମାଗି ଦେହରେ ଲଗାଇଲା । ଆଉଥରେ ବୁଡ଼ ପକାଇ, ନିଆଁରେ ସେକିହୋଇ ଆମେ ଘରକୁ ଫେରିଲୁ ।

ଘରେ ଠାକୁରଙ୍କୁ ମୁଣ୍ଡିଆ ମାରି ମୁଣ୍ଡକୁଣ୍ଡାଇ ସଜବାଜ ହେଲୁ । ମାଆ ପ୍ରଥମାଷ୍ଟମୀ ଭଳି ଝୋଟି ଆଙ୍କି ପିଢ଼ା ପକାଇ ଦେଇଥାଏ । ଆମେ ଭାଇଭଉଣୀ ଦୁହେଁ ଖୁସିରେ ବସିଗଲୁ । ମାଆ ଭଳିକିଭଳି ପୁର ଦିଆ ପିଠା, ଆଳୁ ମଟର ଝୋଳ ଓ ଶିମ୍ବ ତରକାରୀ ଆଣି ଥୋଇଲା । ଆମକୁ ଥରେ ଲେଖାଁ ଖୁଆଇ ଦେଇ ହାତରେ ଖାଇବାକୁ କହିଲା । ଆମେ ଭାଇଭଉଣୀ ମନ ଖୁସିରେ ଖାଇଚାଲିଲୁ ।

ମାଆ ଆଈମା'ଙ୍କୁ କେତେଥର ଡାକ ଦେଲାଣି, ପାଣି ଦାନ୍ତକାଠି ସଜାଡ଼ି । ବୟସ ଅଧିକ ଯୋଗୁଁ ସେ ଭୋରରୁ ଗାଧୋଇବେନି । ତେଣୁ ଆମ ପାଖରେ ବସି ଦେଖୁଥା'ନ୍ତି । ମୁରୁକି ମୁରୁକି ହସି  ତାଙ୍କ ସମୟର କେତେକଥା ଶୁଣାଉଥା'ନ୍ତି । ଆଗରୁ ଆମେ ଅନେକ ଢଗଢମାଳି ବି ଶୁଣିଛୁ ତାଙ୍କ ପାଖରୁ । ଅସରନ୍ତି ଲୋକ କାହାଣୀର ପେଡ଼ି ତ ତାଙ୍କରି ପାଖରେ । ସେଦିନ ଭାରି ଇଚ୍ଛାହେଲା ଆଈମା'ଙ୍କ ପାଖରୁ ଆଉ ଗୋଟାଏ ଗପ ଶୁଣିବାକୁ ।

ମୁଁ କହିଲି- "ଆଈମା' ଆଜି ଆଉ ଗୋଟେ ମଜାଗପ କୁହ ।" ଲିଟୁ ମଧ୍ୟ ପାଳି ଧରିଲା । ମାଆ କହିଲା- "ସକାଳଟାରୁ କାଇଁ ଏମିତି ହେଉଛ !! ଆଈମା' ଗାଧୋଇ ଖାଇସାରନ୍ତୁ । ପରେ ତୁମକୁ ଗପ ଶୁଣାଇବେ । ଆଜି ତ ଛୁଟିଦିନ । ତୁମ ସାଙ୍ଗମାନଙ୍କୁ ବି ଡାକି ଆଣିବ ।"

ଅଗତ୍ୟା ଆମେ କୁନ୍ଥୁ କୁନ୍ଥୁ ହୋଇ ପ୍ରସ୍ତାବରେ ରାଜି ହୋଇ ମୁଣ୍ଡ ହଲେଇଲୁ ।

ଖାଇସାରି ଆମେ ଓର ଉଣ୍ଡୁଥାଉ, କେତେବେଳେ ଆଈମା'ଙ୍କର ଗାଧୁଆ ଖିଆ ସରିବ । ଏଣେ ଘର ଘର ବୁଲି ସାଙ୍ଗମାନଙ୍କୁ ଜଣାଇ ଦେଇଥାଉ ଗପ ଶୁଣିବା କଥାଟିକୁ । ସେମାନେ ଥରକୁଥର ଆସି ଦେଖିଯାଉଥା'ନ୍ତି ଆଈମା' ପ୍ରସ୍ତୁତ ହେଲେଣି କି ନାହିଁ ବୋଲି ।

ଆଈମା' ଗାଧୋଇ ସୂର୍ଯ୍ୟ ଭଗବାନ ଓ ଠାକୁରଙ୍କୁ ନମସ୍କାର କରି ଖାଇ ବସିଲେ । ବାପା, ମାଆ ଉଭୟ ତାଙ୍କୁ ଖାଇବା ପରଷିବାରେ ଲାଗିଥା'ନ୍ତି । ମାଆ ପିଠା, ତରକାରୀ ନେଇ ଆସିଲା ବେଳକୁ ବାପା ଉଷୁମ କ୍ଷୀର ପିଇବା ପାଣି ନେଇ ଆସୁଥା'ନ୍ତି । ଜେଜେବାପା ଠାକୁରଙ୍କ ପାଖକୁ ଚାଲିଯିବାର କିଛି ବର୍ଷ ବିତିଗଲାଣି । ଆମେ ଶୁଣିବାକୁ ପାଉ, ସେତେବେଳେ ମଧ୍ୟ ବାପା ମାଆ ତାଙ୍କର ଢେର ଯତ୍ନ ନେଉଥିଲେ । ବାପା, ମାଆ କହନ୍ତି- "ଗୁରୁଜନଙ୍କ ସେବା କରିବା ଆମର କର୍ତ୍ତବ୍ୟ । ତାଙ୍କ ସେବା କରିବା, ଆଦେଶ ପାଳନ କରିବା ଦ୍ୱାରା ସେମାନଙ୍କ ଆଶୀର୍ବାଦ ମିଳେ । ଭଗବାନ ଖୁସି ହୋଇ ଆମର କଲ୍ୟାଣ କରନ୍ତି ।" ଏ କଥାକୁ ଧ୍ୟାନ ରଖି ଆମେ ମଧ୍ୟ ଗୁରୁଜନଙ୍କୁ ସମ୍ମାନ ଦେଉ ।

ଶେଷକୁ ସେଇ ବହୁ ପ୍ରତୀକ୍ଷିତ ସମୟ ଟି ଆସିଲା । ଆଈମା' ଖାଇବା ଶେଷକରି ଖରା ପୁଆଁଉ ପୁଆଁଉ ଡାକ ପକାଇଲେ...

"ନାତି ନାତୁଣୀଏଁ ଆସ,
ମୋ ପାଖରେ ଏବେ ଘେରିକି ବସ;
ତୁମକୁ ବଢ଼ିଆ ଗପଟେ କହିବି
ଉକୁଟି ଉଠିବ ହସ ।"

ଆଈମା'ଙ୍କ ଅନୁମତି ମିଳିଯିବାରୁ ଆମେ ଯିଏ ଯେଉଁଠି ଥିଲୁ ଧାଇଁ ଆସିଲୁ । ଇଶାରା ପାଇ ରୋଜି, ମିତା, ରିଙ୍କି, ସୁନୀତି, ସୁପ୍ରଭା, ବବଲି, ଶୁଶୀଳ, ସୁବାସ, ବାଦଲ, ଟିଟୁନ ଆଦି ପିଲାମାନେ ମଧ୍ୟ ଚୁପଚାପ ଘେରି ବସିଲେ ।

ଆଈମା' ଆରମ୍ଭ କଲେ - "ଅନେକ ବର୍ଷ ତଳର କଥା । ସାଧବ ଘରେ ସାତ ପୁଅ । ସାତ ପୁଅକୁ ସାତଟି ବୋହୂ । ଏକକୁ ବଳି ଆରେକ ସୁନ୍ଦରୀ । ହେଲେ ସାନବୋହୂଟି ଖାଲି ସୁନ୍ଦରୀ ନୁହଁ, ଭାରି ଗୁଣର ବି । ବଡ଼ମାନଙ୍କୁ ଭକ୍ତି ସାନମାନଙ୍କୁ ସ୍ନେହ, ଗରିବଙ୍କୁ ଦୟା ଆଉ ଅତିଥିଙ୍କ ସେବାରେ ଲାଗିଥାଏ । ତା'ର ଶାନ୍ତ ଆଉ ସରଳତା ଗୁଣ ଯୋଗୁଁ ସମସ୍ତେ ତାକୁ ଭଲ ପାଆନ୍ତି ।
ଆରେ, ତୁମ ପାଖରେ ବି ଏମିତି ଭଲଗୁଣ ସବୁ ଅଛିନା !!"

"ହଁ, ଅଛି ଆଈମା' ।" କେତେଜଣ ତାଙ୍କ କଥାରେ ଉତ୍ତର ଦେଲେ ।

"କିଛି କଥା ନାଇଁ, ଯେଉଁମାନେ ଚାହିଁବ ଆଜିଠୁ ବି ଶିଖିପାରିବ । ଏବେ ଶୁଣ, ସାନବୋହୂକୁ ସଭିଏଁ ଭଲ ପାଆନ୍ତି ବୋଲି ବଡ଼ ଛଅ ବୋହୂ ଏ ସବୁ ଦେଖି ସହି ପାରନ୍ତି ନାହିଁ । ସାନକୁ ଅସୁବିଧାରେ ପକାଇବାକୁ ବାଟ ଖୋଜୁଥା'ନ୍ତି... ।

ହଠାତ ସେତିକିବେଳକୁ ଦୂରରୁ ପାଟିଗୋଳ ଶୁଣାଗଲା । "ଧାଇଁ ଆସ ହୋ... କିଏ କେଉଁଠି ଅଛ ଧାଇଁ ଆସ... କିଏ ଜଣେ କୂଅରେ ପଡିଯାଇଛି... ।" ଡାକ ଶୁଣି ଗାଁ ଦାଣ୍ଡରେ ଲୋକମାନଙ୍କୁ ଦୌଡୁଥିବାର ଦେଖି ଆମେ ବି କାହାଣୀ ଶୁଣିବା ସେଇଠି ରଖି ଧାଇଁଲୁ ।

ଗୋଟାଏ ବଡ଼ ଖୋଲାକୂଅ ପାଖରେ ଲୋକଙ୍କ ଭିଡ଼ ଜମିଥାଏ । ଆମେ ଦୌଡ଼ି ଦୌଡ଼ିଯାଇ ସେଠାରେ ପହଞ୍ଚିଲୁ । ସାମନାରେ ବଡ଼ ଲୋକଙ୍କ ଗହଳି ଥିବାରୁ କିଛି ଦେଖିପାରୁ ନ ଥାଉ । ସ୍ତ୍ରୀ ପୁରୁଷ ସାନରୁ ବଡ଼ ଅନେକଙ୍କ କୋଳାହଳ ଆଉ କିଛି କାନ୍ଦଣା ସ୍ୱର ଆମ ଉତ୍କଣ୍ଠା ବଢ଼ାଇ ଦେଉଥାଏ । ଶେଷକୁ ଭିଡ଼ ଭିତରେ ଗଳିଯାଇ ଦେଖିଲୁ, ଗାଁର  ଯୁବକ ରଞ୍ଜନ କାକା କୂଅ ଭିତର ପାଣିରେ ରୁପାଲିକୁ ଦୁଇହାତରେ ଟେକି ଧରିଛନ୍ତି । ଗାଁ ଲୋକଙ୍କ ସହାୟତାରେ କପିକଳରେ ଝୁଡ଼ି ବାନ୍ଧି ସେମାନଙ୍କୁ ଉଦ୍ଧାର କରାଗଲା । ରୁପାଲି ଶୀତ ଆଉ ଭୟରେ ଥରୁଥାଏ । ବାପାଙ୍କ ପରାମର୍ଶରେ ଓଦା କପଡ଼ା କାଢ଼ି ତା' ଦେହକୁ ଶୁଖିଲା ଗାମୁଛା ଆଉ ଲୁଗା କାନିରେ ପୋଛି ଦିଆଗଲା ।

ରୁପାଲିର ଜେଜେମାଆଙ୍କ ପାଖରୁ ଘଟଣାଟି ବୁଝିହେଲା । ସେ ପିଠା ଖାଇସାରିବା ପରେ ଆଖୁଖଣ୍ଡେ ନେଇ ବଗିଚା ପଟକୁ ଆସିଥିଲା । ତା'ର ସ୍ଵଭାଵ ସେୟା, ସେ ଥୟ ଧରି ରହିପାରେନା । କହିଲେ କଥା ମାନେନା । କେତେବେଳେ ସଭିଙ୍କ ଆଖିରେ ଧୂଳି ଦେଇ ଦାଣ୍ଡରେ ଖେଳିବ କହି ଇଆଡ଼େ ଚାଲିଆସିଛି ।

ଆଖୁ ଖାଇ ଅଇଁଠା ଚୋପା କୂଅ ଭିତରେ ଥିବା ବେଙ୍ଗ ଆଉ ମାଛଙ୍କ ଉପରକୁ ଫୋପାଡ଼ୁ ଥିଲା ସେ । ଅସାବଧାନତା ଯୋଗୁ ଗୋଡ଼ ଖସିଗଲା । ଠିକ ସେଇ ସମୟରେ ବିପରୀତ ପାଖରୁ ଆସୁଥିବା ରଞ୍ଜନ କାକାଙ୍କ ଦୃଷ୍ଟି ତା' ଉପରେ ପଡ଼ିଗଲା । ସେ ଦୌଡ଼ି ଆସି କୂଅ ଭିତରକୁ ଡେଇଁପଡ଼ି ତାକୁ ତୋଳି ଧରିଲେ । ନିଜ ଜୀବନକୁ ପାଣି ଛଡ଼ାଇ ରୁପାଲିକୁ ଉଦ୍ଧାର କରିଥିବାରୁ ସମସ୍ତେ ତାଙ୍କୁ ବାହା ବାଃ କଲେ ।

ରୁପାଲି ଯୋଗୁଁ ଆମ ସମସ୍ତଙ୍କୁ ପୁଣିଥରେ କଡ଼ା ତାଗିଦ କରି ଦିଆଗଲା - "ତୁମେ ଖୋଲାକୂଅ ପାଖକୁ ଏକା ଯିବନି କି ପାଣିକୁ ଚାହିଁ କିଛି ଫୋପାଡ଼ିବନି ।"

ପରିଣାମ ଆଖିରେ ଦେଖୁଛୁ ଯେତେବେଳେ ଅଗତ୍ୟା ଆମେ ହଁ ମାରିଲୁ । ସେଇ ଘଟଣା ସେଦିନ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ପାଲଟିଲା । ରୁପାଲିର ଅଘଟଣ ଦେଖି ଆମ ମନ ବି ମଉଳି ଯାଇଥାଏ । ଆଈମା ପାଖରୁ କାହାଣୀ ଶୁଣିବାକୁ ଆଉ ଇଚ୍ଛା ହେଲାନି । ଉପର ଓଳି କେତେଜଣ ପିଲା ପାଖ ଗାଁରେ ହେଉଥିବା ମକରମେଳା ଦେଖିବାକୁ ତାଙ୍କ ପରିବାର ଲୋକଙ୍କ ସହ ବନ୍ଧୁ ଘରକୁ ବୁଲିଗଲେ । ଯିବା ଆଗରୁ କାହାଣୀ ଏକା ଶୁଣିଲେ ରାଣ ଆଉ କଟି ପକେଇ ଦେବାର ଧମକ ବି ଦେଇଗଲେ । ତେଣୁ ସେଇ ଭୟରେ ସେଦିନ ସନ୍ଧ୍ୟା କି ରାତିକୁ ଆଉ କାହାଣୀ ଶୁଣିବା ନୋହିଲା ।

ରବିବାର ଦିନ ଅପରାହ୍ନରେ ଡକାହକା ହୋଇ ପୁଣି ସମସ୍ତେ ଏକାଠି ହେଲୁ । ଆଈମା' କାହାଣୀର ଖିଅ ଯୋଡ଼ିଲେ ।

"ଥରେ ବୋହୂମାନେ ସାଥୀ ହୋଇ ଚାଷ ଜମି ଦେଖିବାକୁ ଗଲେ । ସବୁଜ ଧାନ କିଆରୀର ଶୋଭା ସାଙ୍ଗକୁ ମାଳ ମାଳ ଗେଣ୍ଡା, କଙ୍କଡ଼ାଙ୍କ ବୁଲାଚଲା ଦେଖି ସଭିଙ୍କର ମନ ଖୁସି । ହଠାତ ବଡ଼ବୋହୂ ମୁଣ୍ଡକୁ ଖଳବୁଦ୍ଧି ଢୁକିଲା । ସେ ଅନ୍ୟ ବୋହୂମାନଙ୍କୁ ଟିକିଏ ଠାରିଦେଲା । ପୂର୍ବ ଯୋଜନା ଅନୁଯାୟୀ ସମସ୍ତେ ନିଜ ମାମୁଁଘର କଥା ବଖାଣିଲେ । କାହାର ମାମୁଁଘର କେତେ ଧନୀ, କିଏ ତା' ଭାଣିଜୀକୁ ଅଧିକ ସ୍ନେହ କରେ... କିଏ କେତେଥର ଯାଇ ମାମୁଁଘରୁ ଭାର ଆଣିଛନ୍ତି... ଏମିତି ଅନେକ କଥା ସାନ ଆଗରେ କହିଲେ ।

ବଡ଼ବୋହୂ କହିଲା- "ସତରେ ମାମୁଁଘର ସୁଖ ସରଗଠୁଁ ବଳି, ଯାହାର ମାମୁଁ ନାହିଁ ସେ କେଡ଼େ ହୀନିମାନ କହିଲ !! ଆଚ୍ଛା ସାନ, ତୁ କାହିଁ ତୋ ମାମୁଁଘର କଥା କହୁନୁ ? ଏଇଠୁ କେଉଁ ଦିଗରେ ତୋ ମାମୁଁଘର ? ତୋ ମାମୁଁ କ'ଣ କରନ୍ତି ?" ଛିଗୁଲେଇବା ଢଙ୍ଗରେ ପ୍ରଶ୍ନ କଲା ବଡ଼ବୋହୂ ।

"ସାନବୋହୂର ମାମୁଁଘର ସେଇଠୁ କେତେଦୂର ଥିଲା ଆଈମା' ?" କେତେଜଣ ପଚାରିଲୁ ।

"ଶୁଣ, ସାନବୋହୂର ମାମୁଁ କି ମାମୁଁଘର ନ ଥାଏ । ସେ ଅବା କି ଉତ୍ତର ଦେବ ! କ'ଣ କହିବ ନ କହିବ ଭାବୁ ଭାବୁ ଦୂରରେ ଯାଉଥିବା ଅଜଣା ଲୋକକୁ ଆଙ୍ଗୁଳି ଦେଖାଇ କହି ପକାଇଲା- "ସେଇ ପରା ମୋ ମାମୁଁ ଯାଉଛନ୍ତି !"

କଥାଟି ହଳ ଲଙ୍ଗଳ ନେଇ ବିଲକୁ ଯାଉଥିବା ଲୋକଟି ଶୁଣି ପାରିଲା । ସେ ଭାରି ଧୂର୍ତ୍ତ । ପଛକୁ ବୁଲି ଚାହିଁଲା । ସାଧବ ଘରର ବୋହୂ ତାକୁ ମାମୁଁ କହୁଛି, ସିଏ ବା ମନା କରିବ କାହିଁକି ? ଚଟାପଟ ଉତ୍ତର ଦେଲା-

"ହଏ ଗୋ ଭାନଜୀ, ତୁଇ କେନ୍ତା ଅଛୁ ? ମୁଇଁ ତୁମର ଘରକେ କାଲି ଯିମି । ଭାତ ତୁଣ ରାନ୍ଧିକରି ରଖିଥିମୁ ।"

ମାମୁଁଙ୍କ କଥାଶୁଣି ଛଅବୋହୂ ଚୁପ । ସାନବୋହୂର ବି ଜଣେ ଜଣେ ମାମୁଁ ଅଛି । ନ ଜାଣି ତୁଚ୍ଛାଟାରେ ଯାହା ଚିଡ଼ାଉଥିଲେ... ସେମାନେ ଭାବିଲେ । ସାନ ବୋହୂ ବି ଦ୍ୱନ୍ଦ୍ୱରେ ପଡ଼ିଲା । ମିଛକଥା ପଦୁଏ ତାକୁ ଅସୁବିଧାରେ ପକାଇବନି ତ !

ପରଦିନ କଥା । ସାଧବ ଘରେ ହଳୁଆ ମାମୁଁ ଆସି ପହଞ୍ଚିଲେ । ଗୋଡ଼ ହାତ ଧୋଇ ମାମୁଁ ଖାଇବାକୁ ବସିଲେ । ସୁଆଦିଆ ଛଅ ତିଅଣ ନଅ ଭଜା ଖାଉ ଖାଉ ମାମୁଁ ତଣ୍ଟିଯାଏ ଗିଳିପକେଇଲେ । ଖିଆପିଆ ସରିଲା । ଲବଙ୍ଗ ଦିଆ ପାନରୁ ଖଣ୍ଡେ କଳରେ ଜାକି ମାମୁଁ ଭାଣିଜୀକୁ ସାଥିରେ ଧରି ଘରକୁ ଯିବାର ପ୍ରସ୍ତାବ ଦେଲେ ।

ସାନବୋହୂର ଛାତିରେ ଛନକା ପଶିଲା । ଏବେ ସେ କ'ଣ କରିବ ? ସତକଥା କହିଦେଲେ ସମସ୍ତଙ୍କ ସାମନାରେ ମିଛେଇ ହୋଇଯିବ । ଯାହା ହେବ ଦେଖାଯିବ । ବୋହୂ ବାହାରିଲା ମାମୁଁଙ୍କ ସାଥିରେ । ବହୁତ ଦୂର ଯିବାପରେ ପଡ଼ିଲା ମାମୁଁଘର । ନିଛାଟିଆ ବଣ ଭିତରେ ଅଧା ଭଙ୍ଗା ଚାଳ କୁଡ଼ିଆଟିଏ । ଘରକୁ ପଶୁ ପଶୁ ହଳୁଆ ମାମୁଁ ଡାକ ଦେଲା ତା' ମାଆକୁ-

"ମାଆ ଗୋ ବଡ଼ ଘରର ଝି,
ବଡ଼ ଘରର ବହ...
ଜାଗର ଜାଳ, ଜାଗର ଜାଳ ।"

ପୁଅର ଡାକଶୁଣି ମାଆ ବାହାରକୁ ଆସିଲା ।
"ଏ ବହଟାକେ ଘରେ ରଖିଥା' । ମୁଇଁ ହାଟ ଆଡ଼େ ଯାଉଛେ, ନୂଆ ପିନ୍ଧା ଆନଲେ ଆକେ ବିହା ହେମି ।" କହି ସେ ହାଟକୁ ଗଲା ।
 
"ସେ ଲୋକଟା ତ ଭାରି ବଦମାସ, ମାମୁଁ ବୋଲି ପରିଚୟ ଦେଇ ସାନ ବୋହୂକୁ ବାହା ହେବାକୁ କହୁଛି !" ଆମ ଭିତରୁ କେତେଜଣ ମତ ଦେଲୁ ।

ଆଈମା' କହିଲେ- "ହଁ ପରା, ସେଇ ବଦମାସ ଲୋକଟାର କଥାଶୁଣି ସାନବୋହୂର ମୁଣ୍ଡ ଝାଉଁ ମାରିନେଲା । ଦୁଇପଦ ମିଛ କଥା ତାକୁ କି ବିପଦରେ ନ ପକେଇଲା ! ଏ ଅଚିହ୍ନା ଅଜଣା ଜାଗାରେ ସେ କ'ଣ କରିବ !!

ଶେଷରେ ସେ ଲୋକର ମାଆକୁ ସବୁକଥା ବର୍ଣ୍ଣନା କଲା ।
"ତୁମ ପରି ଜଣେ ଶାନ୍ତ, ସୁଧାର, ଦୟାମୟୀ ମାଆ ହିଁ ମୋର ସାହା ଭରସା । ତୁମେ ଥାଉ ଥାଉ ମୋ ସହ ଅନ୍ୟାୟ ହେବ ନାହିଁ । ତୁମେ ହିଁ ମୋତେ ନ୍ୟାୟ ଦେଇ ପାରିବ । ତୁମେ ମୋତେ ଏ ବିପଦରୁ ରକ୍ଷା କର ।" କହି ବୋହୂ ବୁଢ଼ୀକୁ ହାତ ଯୋଡ଼ିଲା । ଛାଡ଼ି ଦେବାକୁ ଅନୁରୋଧ କଲା । ବୁଢ଼ୀ ବୋହୂର ଦୁଃଖ ସହି ପାରିଲା ନାହିଁ । ନିଜ ପୁଅର ଦୁର୍ବୁଦ୍ଧି ଯୋଗୁଁ ମନଦୁଃଖ କଲା । ବୋହୂକୁ ସାହାଯ୍ୟ କରିବାକୁ ସେ ରାଜି ହୋଇଗଲା । ହେଲେ ନିଛାଟିଆ ବଣୁଆ ରାସ୍ତାରେ ସୁନା ରୁପା ଗହଣା ପିନ୍ଧି ଯୁବତୀ ବୋହୂ ଏକା ଯିବା ଆଦୌ ସୁରକ୍ଷିତ ନୁହେଁ, ଦୁହେଁ ବିଚାର କଲେ । ବୁଢ଼ୀ ପୁରୁଣା ଚିରା ଲୁଗା ଆଣି ବୋହୂକୁ ପିନ୍ଧିବାକୁ ଦେଲା । ବୋହୂ ତା'ର ଆଦେଶ ପାଳନ କଲା । ସେ ହାଣ୍ଡିରୁ କିଛି କଳା ଆଣି ସାନବୋହୂର ଦେହ ମୁହଁରେ ବୋଳିଦେଲା । ଏବେ ସାଧବ ଘର ସାନ ବୋହୂକୁ ଚିହ୍ନିବା ମୁସ୍କିଲ । ସାମନାରେ ଦେଖା ଗଲା ଜଣେ କାଳୀ କୋତରୀ ଭିକାରୁଣୀ ! ବୋହୂର ସମସ୍ତ ଗହଣା ଓ ପାଟଶାଢୀକୁ ଗୋଟିଏ ପୁଟୁଳିରେ ବାନ୍ଧି ଧରାଇଦେଲା ବୁଢ଼ୀ । ବୋହୂ ତା' ଠାରୁ ଘରକୁ ଫେରିବାର ରାସ୍ତା ବୁଝି ନେଇ ଶୀଘ୍ର ବାହାରି ପଡ଼ିଲା ।

ସାନବୋହୂ ବୁଢ଼ୀର କଥା ମାନି ବାଡ଼ି ଖଣ୍ଡିଏ ହାତରେ ଧରି ନଇଁ ନଇଁ ଚାଲୁଥାଏ । ଏଣେ ସେ ଲୋକଟା ହାଟରୁ ନୂଆ ଲୁଗା ନେଇ ଫେରିଲା । ଘରେ ସାଧବବୋହୂକୁ ନଦେଖି ମାଆକୁ ଗାଳି କରି ଖୋଜିବାକୁ ରାସ୍ତାକୁ ଦୌଡ଼ିଲା । ବାଟରେ ସେଇ ଛଦ୍ମବେଶୀ ବୁଢ଼ୀକୁ ଦେଖି ସାନବୋହୂ କଥା ପଚାରିଲା ।

"ଗୁଟେ ବଡ଼ ଘରର ବହକେ ତୁଇ ଇ ବାଟେ ଦେଖିଚୁ କିଲୋ ବୁଢ଼ୀ ମାଏସୀ ?"

ମନ୍ଦବୁଦ୍ଧି ଲୋକଟାକୁ ଦେଖି ବୋହୂର ଦେହ ଥରିଲା । ସେ ତ ଏବେ ଛଦ୍ମବେଶରେ । ଲୋକଟା ତାକୁ ଚିହ୍ନି ପାରିନି ବୋଧହୁଏ !! ବୁଢ଼ୀ ମାଉସୀ ତ କହୁଛି । ତେଣୁ ସେ ଟିକେ ଦମ୍ଭ ଧରି ବିପରୀତ ଦିଗକୁ ଆଙ୍ଗୁଳି ଦେଖାଇ ଥରିଲା ଥରିଲା କଣ୍ଠରେ ଉତ୍ତର ଦେଲା- "ହଇ, ସି ଆଡ଼େ କିହେ ଗୁଟେ ଗଲା ।"

"ରହ ତାକେ ମୁଇଁ ଯାଇକରି ଧରୁଛେ ଇହାଦେ... "କହି ତରତରରେ ଲୋକଟା ବିପରୀତ ଦିଗକୁ ଧାଇଁଲା ।  ବୋହୂ ବି ତରତରରେ ଆଗକୁ ବଢ଼ିଲା । ଆଗରେ କେତେଟା ଘର ଥିବା ପରି ଜଣାଗଲା । ଏବେ ଜଙ୍ଗଲ ସରିଲା ବିପଦ ଗଲା ଭାବି ବୋହୂ ଶାନ୍ତିରେ ଟିକେ ନିଶ୍ୱାସ ନେଲା । ଆଗରୁ ହଳୁଆ ଲୋକର ମାଆ ଦେଇଥିବା ପରାମର୍ଶ ଅନୁଯାୟୀ ସାନବୋହୂ ଏଥର ଏକ ଗଛ ଆଢୁଆଳରେ ରହି ଦେହ ମୁହଁରୁ କଳା ପୋଛି ନେଲା । ଛିଣ୍ଡା ଲୁଗା ପାଲଟି ନିଜ ଶାଢୀ ଓ ଗହଣା ପିନ୍ଧିଲା ।

କିଛି ଦୂର ଯାଏ ବଡ ପଡ଼ିଆଟାଏ ଥିଲା, କିନ୍ତୁ ଜଙ୍ଗଲ ବି ସରି ନ ଥିଲା । ଆଗରେ କୌଣସି ବସ୍ତି ନଥିଲା ! ଗୋଟିଏ ଅବ୍ୟବହୃତ ଭଙ୍ଗା କୁଡ଼ିଆ ଘରକୁ ଦେଖି ସେ ବସ୍ତିଟିଏ ଥିବ ଭାବି ଭୁଲ ନିର୍ଣ୍ଣୟ କରିଥିଲା ବୋଲି ବୋହୂ ବୁଝି ପାରିଲା । ଏବେ ପଛକୁ ଫେରି ଲୁଗା ବଦଳେଇବା ସହଜ ନୁହେଁ ବିଚାରି ସେ ଆଗକୁ ବଢ଼ିଲା । ଅଜାଣତରେ ସେ ରାସ୍ତା ଭୁଲି ଘଞ୍ଚ ଜଙ୍ଗଲ ଦିଗରେ ଗଲା । ଯାଉ ଯାଉ ହଠାତ ରାସ୍ତାରେ ଯାହା ଦେଖିଲା ସେଥିରେ ବୋହୂର ଦେହ କାଠ ପାଲଟିଗଲା ।"

"ସାନବୋହୂ କ'ଣ ଦେଖିଲା ଆଈମା' ?"
ଆମେ ସବୁ ଆଶ୍ଚର୍ଯ୍ୟ ଓ ଉତ୍କଣ୍ଠାରେ ଏଡ଼େ ବଡ଼ ବଡ଼ ଆଖି କରି ପଚାରିଲୁ ।

"ସେଇ କଥା ତ କହୁଛି । ଖଣ୍ଡେ ଦୂରରେ, ଡାହାଣିଆ ଖରାରେ ଚାରିକାତ ମେଲି, ପାଟିକୁ ଆଁ କରି ଶୋଇ ରହିଛି ଏକ ମହାବଳ ବାଘ । ପାଟିରେ ତା'ର କୁଲାଏ ସରିକି ମାଛି ଭଣ ଭଣ ହେଉଛନ୍ତି । ସେ ସବୁକୁ ଆନନ୍ଦରେ ଚୋବେଇ ବାଘ ପୁଣି ହାଇ ମାରି ବିରାଟ ଆଁ କରି ଶୋଉଛି । ଏବେ ସେ କରିବ କଣ ! ପଛକୁ ଦୁଇ ପାଦ ଫେରି ଦୌଡ଼ିବାକୁ ଚିନ୍ତା କରୁଥିଲା, ହେଲେ ଶୁଖିଲା ଡାଳ ଉପରେ ପାଦ ପଡ଼ିଗଲା । ଶବ୍ଦ ଶୁଣି ବାଘ ଚଟାପଟ ଉଠି ପଡ଼ିଲା । ଶବ୍ଦ ଆସିବା ଦିଗକୁ ଅନାଇ ହେଣ୍ଟ।ଳ ଛାଡ଼ିଲା । ଏବେ ବାଘ ସାମନାରେ ଦୌଡ଼ି ପଳେଇବା ଅସମ୍ଭବ । ଆଉ ଚୁପ ରହିଲେ ବି ରକ୍ଷା ନାହିଁ ।

ମାଆ ସରସ୍ୱତୀଙ୍କୁ ସ୍ମରଣ କରି ସାନବୋହୂ ବୁଦ୍ଧିଟିଏ ପାଞ୍ଚିଲା । ମନରେ ସାହସ ଯୁଟେଇ ବାଘ ପାଖକୁ ଯାଇ କହିଲା- "ମାମୁଁ ଓଳଗି ହେଉଛି ।"

ବାଘମାମୁଁ ଆଖିତରାଟି ପଚାରିଲା- "ତମେ କିଏ ?"
"ଚିହ୍ନିପାରୁନ !! ମୁଁ ପରା ତୁମ ସାନ ଭାଣିଜୀ, ଟିକେ ଦେଖିବାକୁ  ମନବଳିଲା ତ, ତେଣୁ ଚାଲି ଆସିଲି ।"
"ହଉ ହେଲା, ଭଲ କଲୁ, ଦେହଟା ଟିକିଏ ଅସକତ ଲାଗୁଥିଲା, ସେଥିପାଇଁ ଖରାରେ ଶୋଇ ଅଳସ ଭାଙ୍ଗୁଥିଲି ।"
"ମାମୁଁ, ମୁଁ ଟିକେ ମୋଡ଼ାଘଷା କରିଦେବି କି ?"
"ହଁ କରିବୁ ଯେ, ଆଗ ମୋ ଦାନ୍ତ ସନ୍ଧିରେ ଲାଗିଥିବା ମାଂସ ଖଣ୍ଡଗୁଡ଼ା କାଢ଼ି ଦେ ।"

ବୋହୂଟି କାଠି ଖଣ୍ଡିଏ ଧରି ଠିଆ ହେଲା । ବାଘମାମୁଁ ଆଁ କରିବାରୁ ପାଟିରୁ ଭୀଷଣ ପଚାଗନ୍ଧ ଆସୁଥାଏ । ଭାଣିଜୀର ମନ ବିଡ଼ିବାକୁ ମାମୁଁ ପଚାରିଲା- "ମୋ ପାଟି କେମିତି ?"
ବୋହୂ ଉତ୍ତର ଦେଲା- "ପାନଖିଆ ପାଟି ।"
ବାଘମାମୁଁ- "ମୋ ଗୋଡ଼ କେମିତି ?"
ବୋହୂ- "ଶଗଡ଼ ଦଣ୍ଡା ।"
ବାଘ- "ମୋ ନାକ କେମିତି ?"
ସାନବୋହୂ- "ଖଣ୍ଡାର ଧାର ।"
ବାଘମାମୁଁ- "ମୋ ନିଶ କେମିତି ?"
ବୋହୂ- "ରାଜାଙ୍କ ନିଶ ।"
ବାଘ- "ମୋ କାନ କେମିତି ?"
ବୋହୂ- "ଆମ୍ବୁଲ ଫଡ଼ା ।"
ବାଘମାମୁଁ- "ମୋ କଥା କେମିତି ?"
ବୋହୂ- "ମହୁଠୁ ମିଠା ।"

ସାନବୋହୂର ଉତ୍ତର ଶୁଣି ବାଘମାମୁଁର ମନ କୁଣ୍ଢେମୋଟ । ତା'ର ଏତେ ସବୁ ଭଲ ଗୁଣ ଅଛି ବୋଲି ସେ ନିଜେ ବି ଜାଣି ନ ଥିଲା । ଗୁଣ ଚିହ୍ନେ ଗୁଣିଆ... ଭାବି ବାଘମାମୁ ଆଦରରେ ଭାଣିଜୀକୁ ସାଙ୍ଗରେ ଧରି ସେ ତା'ର ନଅରକୁ ଗଲା । ଜଙ୍ଗଲ ମଝିରେ ପାହାଡ଼ ଖୋଲରେ ବାଘମାମୁର ଏତେ ବଡ଼ ମହଲ ଦେଖି ସାନବୋହୂ ଆଶ୍ଚର୍ଯ୍ୟ ହେଲା । ଭାଣିଜୀକୁ ସେଇଠି ଛାଡ଼ି ବାଘମାମୁଁ ଝପଟି ଗଲା ଜଙ୍ଗଲକୁ । କିଛି ସମୟ ପରେ କେତେକ ଜନ୍ତୁ ଶିକାର ସହ ଆଉ କିଛି ଫଳମୂଳ ନେଇ ଘରକୁ ଫେରିଲା । ଭାଣିଜୀକୁ ସେ ସବୁ ଶୀଘ୍ର ରନ୍ଧାରନ୍ଧି କରିବାକୁ କହି ମାମୁଁ ଟିକେ ବିଶ୍ରାମ ନେଲା ।

ରୋଷେଇ ସରିଲାରୁ ସାନବୋହୂ ଠାଆ ପାଣି କରି ମାମୁଁଙ୍କୁ ଖାଇବାକୁ ଡାକିଲା । ବାଘମାମୁଁ ସେଦିନ ସାନବୋହୂର ସୁଆଦିଆ ହାତରନ୍ଧା ଖାଇ ଭାରି ଖୁସି । ମାମୁଁଙ୍କୁ ରାତିରେ ସୁଖନିଦ୍ରା ହେଲା । ତା' ପରଦିନ ସକାଳୁ ଉଠି ଦେଖିଲା ବେଳକୁ ଘର ଅଗଣା ସଫା ସୁତୁରା ହୋଇସାରିଛି । ବାଘମାମୁଁ ଖୁସି ହୋଇ ଭାଣିଜୀକୁ ନିଜ ପ୍ରାସାଦ ବୁଲି ଦେଖାଇଲା । କେଉଁ ଘର ଭିତରେ ଟଙ୍କା ସୁନା ଭର୍ତ୍ତି ସିନ୍ଧୁକ ଅଛି ତ କେଉଁଥିରେ ଖାଦ୍ୟଶସ୍ୟ, ଆଉ କୋଉ ଘରେ ଲୁଗାପଟା ଗୃହର ଉପକରଣ । ପ୍ରତିଟି କୋଠରୀ ଦେଖିସରିବା ପରେ ଶେଷରେ ଆଉ ଗୋଟିଏ ଘର ବାକି ଥାଏ ।

ଭାଣିଜୀ ହାତରେ ଚାବିନେନ୍ଥା ଦେଇ ବାଘମାମୁଁ କହିଲା- "ସବୁ ଘରର ଦରଜା ଖୋଲି ଚଳପ୍ରଚଳ କରି ପାରିବୁ; କିନ୍ତୁ ଏ ଘରର କବାଟ କେବେ ବି ଭୁଲରେ ଖୋଲିବୁନି କି ମୋତେ ସେ ବିଷୟରେ କିଛି ପଚାରିବୁନି । ଏ କଥା ତୋର ମନେରହେ ଯେମିତି ।" ସାନବୋହୂ ମାମୁଁଙ୍କ କଥାରେ ହଁ ମାରିଲା ।

"ବାଘ ମାମୁଁଙ୍କର ସେ ବନ୍ଦ ଘର ଭିତରେ କ'ଣ ଥିଲା ଆଈମା' !!" ଆମ କୌତୁହଳର ସୀମା ନ ଥାଏ ।

"ଆରେ ସେଇକଥା ତ କହୁଛି, ଏମିତି ଅଥୟ ହେଲେ ଚଳିବ !!" ଆମ ପ୍ରଶ୍ନର ଉତ୍ତରରେ ଆଈମା' ତାଙ୍କର କାହାଣୀ କହିବା ଚାଲୁ ରଖିଲେ... ।

"ଆଗେ ବାଘମାମୁ ଏକା ରହୁଥିଲା । ସୁଖ ଦୁଃଖ କି ଭଲ ମନ୍ଦରେ ଆହା ପଦେ ବି କହିବାକୁ ନିଜର ବୋଲି କେହି ନ ଥିଲେ । କିନ୍ତୁ ଏବେ ସାନବୋହୂ ତା'ର ସୁଖ ସୁବିଧା କଥା ବୁଝେ । ଏମିତି ସବୁଦିନ ବାଘମାମୁ ପାରିଧିକୁ ଯାଏ । ସାଙ୍ଗରେ ଜନ୍ତୁ ଶିକାର କରି ଭାଣିଜୀ ଲାଗି ଫଳମୂଳ ଧରି ଫେରେ । ବୋହୂଟି ବାଘମାମୁର ବାଟକୁ ଚାହିଁଥାଏ । ବୋହୂ ବାଘମାମୁର ମହଲରୁ ଖସି ଚାଲି ଯିବାକୁ ଯୋଜନା ବନାଏ । ହେଲେ, ଘଞ୍ଚ ଜଙ୍ଗଲରେ ବାଟବଣା ହୋଇ ଆଉ କୋଉ ହିଂସ୍ରଜନ୍ତୁର ଶିକାର ହେବା ସମ୍ଭାବନା ଅଧିକ। ବରଂ ବାଘମାମୁ ପାଖରେ ସେ ନିରାପଦରେ ଅଛି । ଆଉ କିଛି ଦିନ ରହି, ମାମୁଁଙ୍କ ସେବା କରି, ତାଙ୍କୁ ବୁଝେଇ, ଘରକୁ ଫେରିବା ସହଜ ହେବ ବୋଲି ସେ ଚିନ୍ତା କରୁଥାଏ ।"

"ଘରର ଶେଷ ମୁଣ୍ଡରେ ଥିବା କୋଠରୀ ବିଷୟରେ ବେଳେବେଳେ ତା' ମନରେ ପ୍ରଶ୍ନ ଉଙ୍କିମାରେ । ଘର ସାରା ସବୁଆଡେ ଚଳ ପ୍ରଚଳ ଲାଗି ଅନୁମତି ଅଛି, ହେଲେ ସେଇ କୋଠରୀକୁ ଯିବା ବାରଣ କାହିଁକି ! ସେଇଠି ଅବା କି ଅପୂର୍ବ ଚିଜ ଥିବ ! ବାଘମାମୁ ତାକୁ ବିଶ୍ୱାସ କରି ଘରେ ଆଶ୍ରୟ ଦେଇଛି, ହେଲେ ସେଇ କୋଠରୀରେ ଏମିତି କଣ ଦରବ ରହିଲା ଯେ, ସେ ଦେଖିବା ଅନୁଚିତ ବୋଲି ମାମୁ ଭାବୁଛନ୍ତି ! ଦିନେ ବାଘମାମୁ ନଥିବାବେଳେ ସେ କୋଠରୀର କବାଟ ଅଳ୍ପ ଖୋଲି ଭିତରକୁ ଚାହିଁଲା । ହେଲେ ସବୁକିଛି ଅନ୍ଧାର । ସେ ଧୀରେ ଧୀରେ ପୁରା କବାଟ ଖୋଲି ଦେଲା । ଭିତରେ ଯାହା ଦେଖିଲା, ସେଥିରେ ବୋହୂର ଦେହ ଶିହରୀ ଉଠିଲା । ଶରୀର ବିହୀନ ମଣିଷ ମୁଣ୍ଡ ମାଳ ମାଳ; କିଏ ଶୂନ୍ୟରେ ଝୁଲୁଛି ତ କିଏ ତଳେ ଗଡ଼ୁଛି, ଆଉ କିଏ ଘରର ଛାତ ଉପରେ ଲଟକିଛି । ସାନବୋହୂକୁ ଦେଖି ସେମାନଙ୍କ ଭିତରୁ କେତେକ ଠୋ ଠୋ ହୋଇ ହସିଉଠିଲେ ତ ଆଉ କେତେକ ଦୁଃଖରେ ଲୁହ ଗଡ଼ାଇଲେ । ବୋହୂଟି ସେମାନଙ୍କୁ ତା'ର କାରଣ ପଚାରିଲା ।

ହସୁଥିବା ମୁଣ୍ଡଗୁଡ଼ିକ ଏକା ସାଙ୍ଗରେ କହି ଉଠିଲେ - "କ'ଣ କିଛି ବୁଝିପାରୁନୁ ! ରହ, ଆଉ କିଛିଦିନ ପରେ ତୋରି ଅବସ୍ଥା ବି ଆମ ଭଳି ହେବ । ବାଘମାମୁ ତତେ ମାରି ଖାଇସାରିବା ପରେ ତୋ ମୁଣ୍ଡକୁ ଆଣି ଏଇଠି ଏମିତି ଝୁଲାଇବ, ବୁଝିଲୁ ? ତା' ପ୍ରତି ତୋର ଏତେ ବିଶ୍ୱାସ ଆଉ ସମ୍ମାନ ଦେଖି ଆମକୁ ହସ ମାଡ଼ୁଛି ।" ଏକଥା ଶୁଣି ବୋହୂର ଲୋମ ଟାଙ୍କୁରି ଉଠିଲା ।

ସୁନୀତା ଆଣିଥିବା ତାଙ୍କ ବାଡ଼ି ମିଠା ବରକୋଳିର ସ୍ୱାଦ ଆଉ ଜଣାପଡ଼ିଲାନି । ବବଲି ତ "ଇଲୋ ମାଆ ଲୋ "କହି ଚିଲେଇ ଉଠିଲା । ତା' ରଡ଼ି ଶୁଣିକି ଡରରେ ଲିଟୁ ଆଈମା'ଙ୍କ ପାଖକୁ ଲାଗି ଆସି  ଜାବୁଡ଼ି ଧରି ପଚାରିଲା- "ତା' ପରେ..."

ଆଈମା' ତାକୁ ଆଉଁଶି ଦେଉ ଦେଉ କହିଲେ- "ଡରୁଛୁ କିରେ !! ଏଠି ବାଘ କାଇଁ !! କୋଉ କାଳର କାହାଣୀ ଖାଲି ଏଇଟା । ତୁ ପରା ମୋର ସାହସୀ ନାତି !! ସଞ୍ଜ ଅନ୍ଧାରରେ ରାମ, ରାମ କହି ଦାଣ୍ଡରୁ ଘର ହେଉଥାଉ । ବବଲି, ତୁ ଚିଲଉଛୁ କ'ଣ ଲୋ !! ବିପଦ ଆଉ ଭୟ ଲାଗିଲା ବେଳେ ମନରେ ସାହସ ବାନ୍ଧି ଭଗବାନଙ୍କୁ ସ୍ମରଣ କରିବ । ସାନବୋହୂ ବି ଠାକୁରଙ୍କୁ ସ୍ମରଣ କରି ସାହସ ବାନ୍ଧି ପଚାରିଲା- "ତା' ହେଲେ ମୁଁ କ'ଣ କରିବି ?"

ଲୁହ ଗଡ଼ାଉଥିବା ମୁଣ୍ଡଗୁଡ଼ିକ ଉତ୍ତର ଦେଲେ- "ଆଲୋ, ତୋ କଥା ଭାବିଲାବେଳକୁ ଆମକୁ ଭାରି ଦୁଃଖ ଲାଗୁଛି । ବାଘମାମୁକୁ କହି ଶୀଘ୍ର ଏଠାରୁ ପଳା । ତୁ କବାଟ ବନ୍ଦ କରି କାନ୍ଦୁଥା' । ପଚାରିଲେ କହିବୁ - ଘରକଥା ମନେ ପଡ଼ୁଛି ।"

କିଛି ସମୟ ପରେ ବାଘମାମୁ ଜଙ୍ଗଲରୁ ଶିକାର କରି ଫେରିଲା । ରୋଷେଇ କରିବା ପାଇଁ ଭାଣିଜୀକୁ ଡାକ ପକାଇଲା । ନ ଶୁଣିବାରୁ ପାଖକୁ ଯାଇ ଦେଖିଲା ଭାଣିଜୀ କାନ୍ଦୁଛି । ପଚାରିବାରୁ ବୋହୂଟି କହିଲା- "ଆସିବାର ଗୁଡ଼ାଏ ଦିନ ହୋଇ ଗଲାଣି । ଏବେ ଘରକଥା ଭାରି ମନେପଡ଼ୁଛି । ମୋତେ ଏଥର ମୋ ଶାଶୁଘରେ ଛାଡ଼ିଦେଇ ଆସ ।"

ବାଘମାମୁ କହିଲା-"ହଉ ହେଲା, ତୁନି ହ, ତୋ ଶାଶୁ ଘରକୁ ଯିବୁ ତ, ବ୍ୟସ୍ତ ହ'ନା । ଏତେଦିନ ପରେ ମାମୁ ଘରକୁ ଆସିଛୁ, ତୋତେ କ'ଣ ଖାଲି ହାତରେ ବିଦା କରିଦେବି !! କାଲି ଗଲେ ପଅରିଦିନ ପାଖ'ଗାଁ ହାଟ । ସଉଦା ସାରି ତା' ପରଦିନ ତୋତେ ଛାଡ଼ିବାକୁ ଯିବି, ହେଲା ? ଏଥର ଯା' କ'ଣ ରନ୍ଧାରନ୍ଧି କରିବୁ । ମୋତେ ଭୋକ ହେଲାଣି ।"

ଅନ୍ୟ ଉପାୟ ନପାଇ ସାନବୋହୂ ବାଘମାମୁ ଓ ତା' ନିଜ ଲାଗି ରୋଷେଇ କରିବାକୁ ଗଲା ।

ମଙ୍ଗଳବାର ହାଟ । ଆଖପାଖ ଅଞ୍ଚଳର ଲୋକମାନେ ସପ୍ତାହକୁ ଥରେ ସେଇଠି ସବୁ ବିକାକିଣା କରନ୍ତି । ସେ ଦିନ ହାଟ ଖୁବ ଜମିଥାଏ । ହଠାତ ବାଘମାମୁଁ ତାଙ୍କ ଥାଟବାଟ ଧରି ହାଟରେ ଆସି ପହଞ୍ଚିଗଲା । ସାଙ୍ଗରେ ଭାଲୁ, ହେଟାବାଘ, ଶିଆଳ, ଆଉ କଲରାପତରିଆ ବାଘ ଦଳ । ସେମାନଙ୍କୁ ଦେଖି ଲୋକମାନେ ତାଙ୍କ ଜିନିଷପତ୍ର ଛାଡ଼ି କିଲିକାଛିଆ ହୋଇ ଦୌଡ଼ିଲେ । ଏଥର ହାଟରେ ଥିବା ଶିକା, ବାହୁଙ୍ଗି, ଟୋକେଇ ଆଦି ଏକାଠି କଲେ ପଶୁଦଳ । କଦଳୀକାନ୍ଧି, ଆମ୍ବ, ପଣସ, ସପୁରୀ, ତରଭୁଜ, କନ୍ଦମୂଳ, ଲୁଗାପଟା ସହ ଜଳଖିଆ ଦୋକାନରୁ ଜିଲାପି, ମିଠେଇ ଆଦି ଜିନିଷ ଆଉ ଅନ୍ୟ ଦରକାରୀ ଦ୍ରବ୍ୟ ସେଥିରେ ବାନ୍ଧି ନେଇ ମାମୁଙ୍କ ନଅରକୁ ଫେରିଲେ । ତେଣେ ବେପାରୀମାନେ ଶଗଡ଼ରେ ଜିନିଷ ବୋଝେଇ କରି ହାଟକୁ ଆସୁଥିବା ବେଳେ ବାଘମାମୁ ରାସ୍ତା ମଝିରେ ସେମାନଙ୍କୁ ଅଟକାଇଲା । ବିଚରା ବେପାରୀମାନେ କ'ଣ କରିବେ ? କାକୁତି ମିନତି ହେବାରୁ ବାଘମାମୁ ଜିନିଷଭର୍ତ୍ତି ଶଗଡ଼କୁ ରଖି ସେମାନଙ୍କୁ ଛାଡ଼ିଦେଲା । ଏମିତି ଭାବରେ ବଳଦ ଯୋଚା ଶଗଡ଼ଗୁଡିଏ ମଧ୍ୟ ଯୋଗାଡ଼ ହୋଇଗଲା । ସେହିଭଳି କିଛି ଗହଣା ବି ସଂଗ୍ରହ କରାଗଲା ।

ତା' ପରଦିନ ଭୋଅରରୁ ନୂଆ ଜାମାଯୋଡ଼ ପିନ୍ଧି ବାଘମାମୁ ପ୍ରସ୍ତୁତ ହେଲେ । ସାନବୋହୂ ତା' ପାଇଁ ଅଣାଯାଇଥିବା ନୂଆ ଶାଢୀ ଓ ଗହଣାକୁ ପିନ୍ଧି ସଜବାଜ ହେଲା । ଭାରକୁ କାନ୍ଧରେ ବୋହି ସବା ଆଗରେ ଚାଲିଲେ ଶିଆଳ ଦଳ । ତାଙ୍କ ପଛକୁ ଭାଲୁ ଆଉ ହେଟାବାଘ ଦଳ । ମଝିରେ ଶଗଡ଼ ବୋଝେଇ ଗାଡ଼ିରେ ଗୋଟେ ଲେଖାଏଁ କଲରାପତରିଆ ବାଘ ବସିଥା'ନ୍ତି । ସବା ମଝିରେ ଏକ ସୁସଜ୍ଜିତ ଶଗଡ଼ରେ ବୋହୂ ବାଘମାମୁଙ୍କ ସହ ବସିଥାଏ । ବିରାଟ ପଟୁଆରରେ ସମସ୍ତେ ଏଥର ଆଗକୁ ଚାଲିଲେ । ଜଙ୍ଗଲ ପରେ ଗାଁ । ଗାଁ ପରେ ଗାଆଁ । ତା' ପରେ ଯାଇ ସାନବୋହୂର ଶାଶୁଘର । ଏମିତି  ଅନେକ ବେଳ ପରେ ସେମାନେ ବୋହୂର ଗାଆଁରେ ପହଞ୍ଚିଲେ । ଦୂରରୁ ଏ ବିରାଟ ପଟୁଆରକୁ ଦେଖି ଗାଁ ଲୋକେ ଭୟରେ ତାଟି କବାଟ ପକାଇ ଦେଉଥା'ନ୍ତି ।

ଦିନ ଦ୍ଵିପହର ସରିକି ସମସ୍ତେ ସାନବୋହୂର ଶାଶୁଘର ସାମନାରେ ପହଞ୍ଚିଲେ । ହେଲେ ଇଏ କ'ଣ, ସାଧବଘରର ସବୁ ଦରଜା ବନ୍ଦ ଅଛି । ସେମାନଙ୍କ ଆସିବା ଖବର କ'ଣ ଏମାନେ ପାଇନାହାଁନ୍ତି !! ସାନବୋହୂ ଶଗଡ଼ରୁ ଓହ୍ଲାଇ ଡାକ ପକାଇଲା- "ଭୟ କରନି, କବାଟ ଖୋଲ । ବାଘମାମୁ ପରା ମୋତେ ଛାଡ଼ିବାକୁ ଆସିଛନ୍ତି ।"

ଏଥର ସାଧବଘରର କବାଟ ଫିଟିଲା । ଅନ୍ୟ ଲୋକମାନେ ମଧ୍ୟ ସେମାନଙ୍କ ଦରଜା ଖୋଲି ବାହାରକୁ ଆସିଲେ । ସାରା ଗାଆଁରେ ଚହଳ ପଡ଼ିଗଲା । ସାନବୋହୂ ତା' ମାମୁଁଙ୍କ ଘରୁ ଭାର ନେଇ ଆସିଛି ।

"ଆଈମା', ଏତେ ଗୁଡ଼ାଏ ବଣର ଜୀବଜନ୍ତୁଙ୍କୁ ଦେଖି ସାଧବ ଘର ଲୋକ ଡରିଗଲେନି ?"

"ସେମାନଙ୍କୁ ସେମାନେ କେମିତି ଚର୍ଚ୍ଚାକଲେ ?"

ମୁଁ ଏବଂ ସୁପ୍ରଭା ପଚାରିଲୁ ।

ଆଈମା' ପାକୋଇ ପାଟିରେ ହସିଦେଇ କହିଲେ, "ସେଇକଥା ତ କହୁଛି ,ଏମିତି ଅଥୟ ହେଲେ ଚଳିବ !! ଏଣେ ସାଧବଘରର କବାଟ ଫିଟିବାରୁ ଭାରବୁହାଳୀ ଦଳ ବୋହୂ ସହ ଆଣିଥିବା ଭାର ସବୁ ନେଇ ଅଗଣାରେ ଥୋଇଲେ । ଶଗଡ଼ରୁ ଜିନିଷପତ୍ର ମଧ୍ୟ ବୁହାହେଲା । ଏତେ ସବୁ ଜିନିଷ ଲାଗି ସାଧବ ଘରର ଅଗଣା ବି ଛୋଟ ପଡ଼ିଲା ! ସାନବୋହୂ ଗୁରୁଜନମାନଙ୍କୁ ପ୍ରଣାମ କରି ଘର ଭିତରକୁ ଗଲା ।

ସାନବୋହୂ ହଳୁଆ ମାମୁ ସହ ଯିବାବେଳକୁ ସାଧବ ସାଧବାଣୀ ଘରେ ନ ଥିଲେ । ଘର ମୁରବୀଙ୍କ ବିନା ଅନୁମତିରେ, ଅଜଣା ମାମୁଁ ସାଥିରେ ଯିବାକୁ ଦେଇ ଥିବାରୁ, ସାଧବାଣୀ ବଡ ବୋହୂମାନଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ସାନବୋହୂ କେଉଁଠି, କିପରି ଥିବ ବୋଲି ବ୍ୟସ୍ତ ହେଉଥିଲେ । ସେ ଠିକ ଭାବେ ମାମୁ ଘରେ ପହଞ୍ଚିଲା କି ନାହିଁ ବୋଲି ଖବର ନେବାକୁ ଜଣେ ସେବକଙ୍କୁ ପଠେଇ ଥିଲେ ଯେ ସେ ଏଯାଏଁ ଫେରି ନ ଥିଲା । ତେବେ ସାନ ବୋହୂ ସହ ଅନେକ ଅତିଥିଙ୍କୁ ଦେଖି ସାଧବ ସାଧବାଣୀଙ୍କ ଆନନ୍ଦ କହିଲେ ନ ସରେ । ବାଘମାମୁ ଆଉ ସାଥୀମାନଙ୍କୁ ସମ୍ମାନ ସହକାରେ ବସିବାକୁ ଆସନ ମିଳିଲା । ହାତ ମୁହଁ ଧୋଇବାକୁ ଶୀତଳ ପାଣି, ପିଇବାକୁ ଦହି ସରବତ  ମିଳିଲା । ସାଧବାଣୀ  ବାଘ ସମୁଦୀଙ୍କ ଠାରୁ ବଣର ହାଲଚାଲ ବୁଝିଲେ । ତାଙ୍କ ମନ ପସନ୍ଦର ଖାଦ୍ୟ ଦେଇ ସେମାନଙ୍କୁ ଆପ୍ୟାୟିତ କଲେ । ବଣରେ କଞ୍ଚାମାଂସ ଖାଉଥିବା ପ୍ରାଣୀ ଆକଣ୍ଠ ସୁସ୍ୱାଦୁ ସୁପକ୍ଵ ଭୁରି ଭୋଜନ କରି ଆନନ୍ଦିତ ହେଲେ ।

ଏବେ ବିଦାୟ ନେବାର ବେଳ । ବାଘମାମୁ ସାଧବ ସାଧବାଣୀଙ୍କୁ ଭାଣିଜୀର ଦାୟିତ୍ୱ ସମର୍ପି ସଦଳବଳେ ବାହାରିବାକୁ ପ୍ରସ୍ତୁତ ହେଲେ ।

ତେଣେ ବଡ଼ ଛଅ ବୋହୂ ସାନବୋହୂର ମାମୁଘର ଭାରରେ ଆସିଥିବା ଏତେ ଜିନିଷ ଦେଖି ଈର୍ଷାରେ ଜଳି ଯାଉଥା'ନ୍ତି । ହେଲେ, ମନକଥା ମନରେ ରଖି, ସାନ ବୋହୂକୁ ବହୁତ ଆଦର ଯତ୍ନ କଲେ । କଥା ଛଳରେ ବାଘମାମୁ ସହ ସାକ୍ଷାତ ଆଉ ତା ଉଆସରେ ଦିନ କାଟିବା ବିଷୟ ସାନବୋହୂ ଠାରୁ ଶୁଣିଲେ । ବାଘମାମୁଙ୍କ ଘରେ ବହୁତ ଧନ ସମ୍ପତ୍ତି ପୂରି ରହିଛି ଜାଣି ବଡ ବୋହୂ ମାନଙ୍କ ମନରେ ଲୋଭ ସୃଷ୍ଟି ହେଲା । କୌଶଳ କରି ଧନ ଓ ଗହଣା ସବୁକୁ ନେଇ ଆସିବାକୁ ସେମାନେ ଯୋଜନା ପ୍ରସ୍ତୁତ କଲେ । ନିଜ ଭିତରେ କୁହାକୁହି ହେଲେ, "ଆମେ କ'ଣ ସାନ ବୋହୂ ଠାରୁ କମ ବୁଦ୍ଧିମାନ ! ସେ ଯଦି ଏତେ ବଡ ଥାଟ ବାଟରେ ମାମୁ ଘରୁ ଫେରୁଛି, ଆମେ କଣ ୟା ଠାରୁ ଆହୁରି ବେଶୀ ଧନ ଦରବ ଆଣିପାରିବା ନାହିଁ !!"

ବାଘମାମୁ ନିଜ ସହଚରଙ୍କ ସହ ଯିବାକୁ ବାହାରିଲେ । ବଡ଼ ଛଅ ବୋହୂ ସଜବାଜ ହୋଇ ବାଘମାମୁଙ୍କ ସହ ଯିବାକୁ ପ୍ରସ୍ତୁତ ହୋଇ ଜଣେଇଲେ । ଜଙ୍ଗଲ ରାସ୍ତାରେ ଯାତାୟାତ କଷ୍ଟଦାୟକ ଆଉ ବଣ ଭିତରେ ଜୀବନ ସୁରକ୍ଷିତ ନୁହେଁ ବୋଲି ସାନବୋହୂ କହିବାରୁ ସେମାନେ ତା' ଉପରେ ଗରଗର ହେଲେ । ବୋହୂମାନଙ୍କ ଆଗ୍ରହ ଦେଖି ବାଘମାମୁ ସେମାନଙ୍କୁ ସାଥିରେ ନେବାକୁ ରାଜି ହେଲେ ।

ସମସ୍ତେ କଥାବାର୍ତ୍ତା ହୋଇ ଯାଉ ଯାଉ ଛାଇ ଲେଉଟାଣି ବେଳକୁ ଜଙ୍ଗଲର ମଝାମଝି ହୋଇଗଲେ । ବୋହୂମାନଙ୍କର ମନ ବିଡ଼ିବାକୁ ବାଘମାମୁଙ୍କର ଭାରି ଇଚ୍ଛା ହେଲା । ଗୋଟାଏ ବଡ଼ ହାଇ ମାରି ସେମାନଙ୍କୁ ପଚାରିଲେ-

"ଭାଣିଜୀ, ମୋ ପାଟି କେମିତି ?"
ଦୁର୍ଗନ୍ଧ ହେତୁ ବୋହୂମାନେ ନାକ ବନ୍ଦ କରିଦେଲେ ।

ବଡ ବୋହୂ ମୁହଁରେ ଶାଢୀର କାନି ରଖି ଉତ୍ତର ଦେଲା-
"ଉଁ ହୁଁ, କି ବିକଟ ପଚା ଗନ୍ଧ, ତୁମେ କେବେ ଦାନ୍ତ ଘସ ନା କି ! ମାମୁଁ, ତମର ଗନ୍ଧିଆ ପାଟି ।"

ବାସ୍ ଏତିକି । ସାମାନ୍ୟ ମଣିଷର ଏତେ ବଡ଼ ଆସ୍ପର୍ଦ୍ଧା ! ବଣର ରାଜାଙ୍କ ପାଟିକୁ ନିନ୍ଦା କରିବ ! ପୁଣି ଅନ୍ୟ ଜନ୍ତୁଙ୍କ ସମ୍ମୁଖରେ !! ବାଘମାମୁଁଙ୍କୁ ଏଥର ସମ୍ଭାଳେ କିଏ !! କ୍ରୋଧରେ ବିକଟାଳ ଗର୍ଜନ ଛାଡ଼ିଲେ । ସମଗ୍ର ଜଙ୍ଗଲ ପ୍ରକମ୍ପିତ ହେଲା । ବୋହୂମାନେ ଅବସ୍ଥା ଏମିତି ବିଗିଡି ପାରେ ବୋଲି ଆଗରୁ କଳ୍ପନା କରି ନଥିଲେ । ଏ ପରିସ୍ଥିତିରେ କଣ କରିବା ଉଚିତ, କଣ ଅନୁଚିତ- ନିଷ୍ପତ୍ତି ନେଇ ନ ପାରି ଭୟରେ ଥରିବାକୁ ଲାଗିଲେ । ବାଘମାମୁ ଆଉ ଥରେ ଗର୍ଜନ କରି ବଡବୋହୂ ଉପରକୁ ଝାମ୍ପି ପଡିଲେ । ଅନ୍ୟ ବୋହୂମାନେ ତାକୁ ରକ୍ଷା କରିବେ କଣ, ନିଜ ପ୍ରାଣ ରକ୍ଷା ଲାଗି ଘଞ୍ଚ ଜଙ୍ଗଲ ଭିତରକୁ ଦୌଡ଼ିଲେ ।

ବାଘମାମୁ ନିଜକୁ ସଂଯତ କଲେ । ବଡ ବୋହୂକୁ ଜୀବନରୁ ମାରି ନ ଦେଇ, କ୍ଷତାକ୍ତ ଅବସ୍ଥାରେ ଛାଡି, ନିଜ ରାସ୍ତାରେ ଚାଲିଗଲେ । ଅନ୍ୟ ବୋହୂମାନେ ଭୟରେ ବଣର ବହୁତ ଭିତରକୁ ପଳାଇଲେ । ଅଜାଣତରେ ଦୌଡୁ ଦୌଡୁ ପରସ୍ପର ଠାରୁ ଅଲଗା ହୋଇ ଗଲେ । ଜଙ୍ଗଲ ଭିତରେ ବାଟବଣା ହୋଇ ଏଣେତେଣେ ବୁଲିଲେ ।

ପରଦିନ ବୋହୂମାନଙ୍କ ଖବର ନେବାକୁ ସାଧବ କେତେଜଣ ସାହସୀ ଯୁବକଙ୍କୁ ବଣକୁ ପଠାଇଲେ । ସେମାନେ ବହୁତ ଖୋଜିଲେ । ହେଲେ ବୋହୂମାନଙ୍କ ପତ୍ତା ମିଳିଲାନି । ବୋହୂମାନଙ୍କୁ ବାଘ ଅଥବା ଅନ୍ୟ କୌଣସି ହିଂସ୍ର ବନ୍ୟଜନ୍ତୁ ଶିକାର କରିଥାଇ ପାରନ୍ତି ବୋଲି ସେମାନେ ମତ ଦେଲେ । ଶେଷରେ ସେମାନଙ୍କ ସନ୍ଦେହ ସତ ବୋଲି ପ୍ରମାଣିତ ହେଲା ।  ଛଅଟି ରକ୍ତଲଗା ଛିଣ୍ଡା ଶାଢୀ ଆଉ କିଛି ଅଳଙ୍କାରର ସନ୍ଧାନ ମିଳିଲା । ସେଗୁଡିକ ବୋହୂମାନଙ୍କ ପିନ୍ଧା ବସ୍ତ୍ର ଓ ଗହଣା ବୋଲି ଚିହ୍ନଟ କରାଗଲା ।

ବୋହୂମାନେ ବିନା କାରଣରେ ଅନ୍ୟକୁ ଈର୍ଷା କରିବାର ଫଳ ପାଇଲେ । ସାନବୋହୂ ନିଜ ଉପସ୍ଥିତ ବୁଦ୍ଧି ଯୋଗୁ ରକ୍ଷା ପାଇଲା । ହେଲେ, ଛୋଟ ମିଛ କଥା ପଦଟିଏ କହିବାରୁ ସିନା ସେ ଏ ଭୟଙ୍କର ବିପଦକୁ ବରଣ କରିଥିଲା ! ତେଣୁ ନିଜ ଭୂଲ ପାଇଁ କାନ ମୋଡି ହେବା ସହ ଭବିଷ୍ୟତରେ ଆଉ ମିଛ ନ କହିବାକୁ ସେ ଶପଥ ନେଲା । ଆଉ ସ୍ୱାମୀ, ଶାଶୁ ଶ୍ଵଶୁରଙ୍କ ସେବାକରି ଖୁସିରେ ଦିନ ବିତାଇଲା ।

"ମୋ କଥାଟି ସରିଲା,
ଫୁଲଫୁଟି ଝରିଲା ।"

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ