କ୍ଷୁଦ୍ରଗଳ୍ପ - ଶେଷ ପାପୀ - ସଂଘମିତ୍ରା ଜେନା

0
ଝିଅ ଝିଅ ବୋଲି ଶେଯରେ ପଡି ଖନେଇ ଖନେଇ ଚିତ୍କାର କରୁଥାନ୍ତି ପକ୍ଷାଘାତର ଶିକାର ହୋଇଥିବା ବୃଦ୍ଧ ଜଣକ । ଶେଯପଟାରେ ପରିସ୍ରା କରିଦେଇଥାନ୍ତି । କପଡା ବଦଳେଇବାକୁ ଏ ଚିତ୍କାର । ସେତେବେଳକୁ ସ୍ମୃତିର ପଞ୍ଚମଶ୍ରେଣୀ ହୋଇଥାଏ । ପଡିଶା ଘର ଛାଡି ତା'ପାଖ ପଡୋଶୀ ଘର । ସ୍ମୃତି ଦେଖେ ଏତେ ସୁନ୍ଦର ଲୋକଟିଏ ମାତ୍ର ଅକର୍ମଣ୍ୟ । ତା'ଠାରୁ ବର୍ଷେ ସାନ ଚତୁର୍ଥରେ ପଢ଼ୁଥିବା ଝିଅ ପ୍ରିୟା ଅପା । ଅପା ସମ୍ପର୍କରେ ବାପାଙ୍କ ଭଉଣୀ କୁଆଡେ । ସେଥିପାଇଁ ସେ କୁନି ଅପାଟିଏ । ସାନ ସିନା ଭାରି ବୁଦ୍ଧିମତୀ ।

ବାଡ଼ିରେ ସ୍ମୃତିର ବରକୋଳି ହୋଇଥିଲା । ଦାଣ୍ଡ ଦୁଆରେ ଅଖା ଖଣ୍ଡେ ପାରି ଦୋକାନ ବସାଏ । ଟଙ୍କାକୁ ପଚାଶଟା ବାଡ଼ି ବରକୋଳି । ଏମିତି ପ୍ରାୟ ଦଶଟଙ୍କାର ଗ୍ରୀନ କୋଳି ଯାହାର ନାଳ ଛାଡି ନ ଥାଏ । ପ୍ରିୟା ଅପାକୁ ପାଖରେ ବସାଇ କୋଳି ବିକା ଆରମ୍ଭ ହୁଏ । ପଇସା ରଖିବା ପାଇଁ କିଲିକିଆ ଅମୁଲ ଡବା ପାଖରେ ଥୋଇ ବସିଥାନ୍ତି ଦୁହେଁ । ଘଡ଼ିଏ ଦୁଇଘଡି ହେଲା, କିଛି ଛୋଟ ଛୋଟ ପିଲା ଆସି ସାହିର ଦେଖି ଯାଉଥାନ୍ତି, କିନ୍ତୁ କେହି କିଣୁ ନଥାନ୍ତି । ଆରେ ସେ କୋଳି ତ ଉପଯୁକ୍ତ ଭାବେ ପାଚିଲା, ଛାଡ଼.. ଦର ପାଚିଲା ବି ହୋଇ ନଥାଏ । ସାମ୍ନାପଟ କାଳୀ ଖୁଡିଙ୍କ ତେଜରାତି ଦୋକାନକୁ ଦେଖି ଦୋକାନଟିଏ କରିଥିଲେ ଯେ, ମନ ଦୁଃଖରେ ଦୋକାନ ବନ୍ଦ କଲେ । ପ୍ରିୟା ଅପା କହିଲା, ତୁ ପ୍ରଥମେ ଧୂପକାଠି ଲଗେଇଥାନ୍ତୁ ନା..., ଯେତେ ଯାହା ହେଲେ ବି ଦୋକାନ ନା... !

- 'ହୁଁ' କହି ଦୁଃଖ ମନରେ ସ୍ମୃତି ଦୋକାନ ଭାଙ୍ଗି ଘରେ ସବୁ ଥୋଇ ଆସିଲା ।

ସ୍ମୃତି ଘରେ ସେ କାଳରୁ ସବୁ ବ୍ୟବସ୍ଥା ଉପଲବ୍ଧ ଥିଲେ ମଧ୍ୟ ଅପା ସାଙ୍ଗରେ ଘରେ ମିଛ କହି ଝାଡାଯାଏ । ସେ ଝାଡାବସେ ସ୍ମୃତି ପୋଖରୀ ହୁଡାରେ ଜଗିଥାଏ । କୂଅ ମୂଳେ ସାଙ୍ଗହୋଇ ଗାଧୋଇବା ଇତ୍ୟାଦି... । କଇଁଫୁଲ ତୋଳିବା ବେଳେ ଯୋଉଠି ଗୋଡ଼ ପାଏନି ଶୁଭଦ୍ରାପୁର ଘେରରେ କେତେ ଚିଲିକା ପାଣି ପିଇ ଦେଇଛି ଇତ୍ୟାଦି... । ତାଙ୍କ ଘରେ ବେଶୀ କିଛି ଖାଦ୍ୟର ବ୍ୟବସ୍ଥା ନଥିଲେ ମଧ୍ୟ ପ୍ରିୟା ଅପା ଏମିତି ବାଗରେ ଖାଏ ଯେ, ସ୍ମୃତି ତା' ମଙ୍ଗ ମୋଡା କଂସାକୁ ଅନେଇ ଅପା ତା'ର ଅମୃତ ପିଇଯାଉଛି ମନେକରେ । ଦାଣ୍ଡରେ ବୋହୁଚୋରୀ ଖେଳିଲାବେଳେ ପୁଣି ଥରେ ଝିଅ ଝିଅ ଶବ୍ଦ ଶୁଣି ଖେଳ ବନ୍ଦକରି ଅପା ଝିଆରୀ ଦଉଡିଗଲେ ପଡୋଶୀ ଘରକୁ । ଦେଖିଲେ ବୃଦ୍ଧ ଜଣକ ଦୁଇଟାଯାକ କରିଦେଇଥାନ୍ତି । ଗୋଟେ ଵୋଲି ଝିଅ ସେହି ବୃଦ୍ଧଙ୍କର । ସାହିର କିଛି ଦୂରରେ ବାହା ହୋଇଥାନ୍ତି ସେ । ଏ ଅବସ୍ଥା ଦେଖି ତାଙ୍କ ଶାଶୁ ଘରଛାଡି ବାପଘରେ ରହିଥାନ୍ତି । ସେ ସେବା କରିକରି ବହୁତ ବିରକ୍ତ ହୁଅନ୍ତି । ପୁଅ ଦୁଇଟା ସେତେ ବାପାଙ୍କୁ ପଚାରୁନଥାନ୍ତି । ସ୍ତ୍ରୀ ସେତେବେଳକୁ ଉପରକୁ ବାଟ କାଟିଦେଇଥାନ୍ତି ।

ମୁଁ ପଚାରେ...  "ପ୍ରିୟା ଅପା, ଏ ତା' ନିଜ ଜନ୍ମକଲା ଝିଅଟି ?"

ସେ ପୋଖତ ମଣିଷ ଭଳି ବଡ଼ ବଡ଼ ଆଖି କରି କୁହେ, "ଆଉ କଣ ପର ! ଆମ ଘରୁ ଶୁଣିଛି ତା ବାହାଘରରେ ଯେତେ ଟଙ୍କା ସୁନା ଥିଲା ସବୁ ନେଇ ସେ ବାହା ହୋଇଛନ୍ତି । ବଡ଼ ବ୍ୟବସାୟ ତାଙ୍କର ଥିଲା । ହେଲେ..."

- ହେଲେ କଣ ପ୍ରିୟା ଅପା ?
- ହଉ ତୁ କାହାକୁ କହିବୁନି ତ !
- ଆଖି ଛୁଁ ଛି  ଜମା କହିବିନି... ।
- ସେ ବୁଢା ତା'ର କର୍ମଫଳ ଭୋଗୁଛି... ।
- ଏଁ ସେ କଣ ?
- କିଛି ଭୁଲ ଗଛର ଫଳ ଖାଇ ଦେଇଥିଲେକି ? ଫଳରେ ଅଚଳ ହୋଇ ଯାଇଛନ୍ତି ?
- ନା ପାଗେଳୀ ଟା... ଏତିକି ଜାଣିନୁ ଭଲ କାମକଲେ ଭଲଫଳ ମିଳେ ବୋଲି । ଖରାପ କାମ କଲେ ଲୋକମାନେ ତାକୁ କରିଥିବା ପାପକର୍ମର ଫଳକୁ କର୍ମଫଳ ଭୋଗୁଛି ବୋଲି କୁହନ୍ତି । ଶୁଣିନୁ... ସେ କେମିତି ହେ ଭଗବାନ କ୍ଷମାକର କ୍ଷମାକର ବୋଲି ସବୁବେଳେ କହୁଛି... ! ଟିକିଏ ପାପ ଜାଣତରେ ଯଦି କରିଥିବ ପର୍ବତ ସମାନ ପ୍ରତିବନ୍ଧକ ଆଗରେ ଉପସ୍ଥିତ ହେବ !
- ହଁ ତ.. ହେଲେ...!
- ଆଛା ସେ କି ପାପ କରିଥିଲେ ? ମିଛ କହୁଥିଲେ କି ? ମିଛ ତ ପାପ ବୋଲି ବୋଉ କହିଛି ।
- ହଁ କିଛି ପାପ ମିଛ ନକହି ମଧ୍ୟ କରି ହୁଏ... !

ଅନ୍ଧାର କାଳରାତି ଭଦ୍ରଖ ପାଖା ପାଖି  ଯାତ୍ରୀବାହୀ ରେଳ ଦୁର୍ଘଟଣା ଘଟିଥିଲା । ଏମାନେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଯାଇଥିଲେ ସତ । ପାଣି ପାଣି ଚିତ୍କାର କରୁଥିବାବେଳେ ଲୋକମାନକୁ ପାଣି ଦେଇ ଲୋଭର ବଶବର୍ତ୍ତୀ ହୋଇ ସେମାନଙ୍କଠାରୁ ସୁନା ରୁପା ଟଙ୍କା ପଇସା ଛଡେଇ ଆଣିଥିଲେ । ପାପଧନରେ ବେଶ କିଛିଦିନ ଖୁସିରେ ଚଳିଗଲେ । ଯେତେଜଣ ସେ ପାପରେ ଭାଗିଦାରୀ ଥିଲେ ସମସ୍ତଙ୍କ ଶେଷଜୀବନ କଷ୍ଟଦାୟକ ଥିଲା । କିଏ ଅଧାରୁ ବି ଚାଲିଗଲେ । ପ୍ରାର୍ଥନାରେ ପଢ଼ାହେଉନି...,

"ଯାହା ମୁଁ କରଇ ଯାହା ମୁଁ କହଇ ଯାହା ମୁଁ ଚିନ୍ତଇ ମନେ
ଜଗତର କର୍ତ୍ତା ପରମ ଈଶ୍ୱର ଦେଖୁଛନ୍ତି ପ୍ରତି କ୍ଷଣେ ।"

ହେଲେ ଜଣେ ସମସ୍ତଙ୍କ ଉପରେ ଦୃଷ୍ଟି ରଖିଛି । ଏ ବୁଢ଼ା ଶେଷ ଭାଗିଦାର । ତେଣୁ ନିଜର କଲା କର୍ମର ଫଳ ଭୋଗୁଛି... ।

ସ୍ମୃତିର ବାପା କୌଣସି କାରଣରୁ ଗାଁ ଠାରୁ ଦଶ କିଲୋମିଟର ଦୂରକୁ ବଦଳି ହୋଇଗଲେ । ନିତି ଯିବା ଆସିବାରେ ଅସୁବିଧା ହେବା ଯୋଗୁଁ ଛୁଆ ପିଲା ଧରି କର୍ମକ୍ଷେତ୍ରକୁ ଚାଲିଗଲେ । ଅପା ଠାରୁ ଅନେକ କଥା ଶିଖିଥିଲା ସ୍ମୃତି । ଯୋଉଦିନ ଗାଁ ଛାଡିଲା ଅନେକ କାନ୍ଦିଥିଲା ।

ସେଠୁ ଥାଇ ଶୁଣିଲେ, ଶେଷ ପାପୀଜଣକ... ହେ ଭଗବାନ ଭଗବାନ ! କ୍ଷମାକର.. କ୍ଷମାକର.. କହି କହି ବାଟ କାଟିଲେ । ନର୍କ ଆଉ କୋଉଠି ନାହିଁ ଏଇଠି ହିଁ ଭୋଗିବାକୁ ହୁଏ । ତେଣୁ ପୁରୁଖା କୁହନ୍ତି.. "ଏଇ ପୁରରେ ସବୁ ।"

(ଗତ ୨-ଜୁନ-୨୦୨୩ ଶୁକ୍ରବାର ଦିନ ବାଲେଶ୍ଵରର ବାହାନଗା ଠାରେ ଠିକ ସେଇ ମର୍ମନ୍ତୁଦ ରେଳ ଦୁର୍ଘଟଣା... ଆଜି ବି ମନେ ପକେଇଦିଏ ସେଇ ଶେଷ ପାପୀକୁ । ମହାର୍ଘ୍ୟ ସେବାକାରୀଙ୍କୁ ସ୍ୱର୍ଗ ଆଉ ସେବା ଆଳରେ ଲୁଟପାଟକାରୀଙ୍କୁ ନିହାତି ନର୍କ । ଏହି କ୍ଷୁଦ୍ର କାହାଣୀଟି ସମ୍ପୂର୍ଣ୍ଣ ସତ୍ୟ ଘଟଣା ଉପରେ ଆଧାରିତ)

ସଂଘମିତ୍ରା ଜେନା, ଶିକ୍ଷୟତ୍ରୀ

ଭୂଷଣ୍ଡପୁର, ଖୋର୍ଦ୍ଧା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ