
ପଦ୍ମପାଦ ଦିଅ, ବିଦୀର୍ଣ୍ଣ ହୃଦୟେ
ଲଗାଇ ଚୁମିବି ଖାଲି ।
ଜୟ କୃଷ୍ଣ ବୋଲି, ବୋଲି...
ଜଗତ କରତା ହୋଇ ବି ପୃଥିବୀ-
ମାତାଙ୍କ ବିନତି ଶୁଣି,
ଏ ଧରା ବକ୍ଷରେ ଅବତାର ନେଲ
ଦୟାମୟ ବେଣୁପାଣି ।
ଅଶେଷ ସଙ୍କଟ ସମସ୍ୟାକୁ ତୁମେ
ସମ୍ମୁଖୀନ ହୋଇ ହରି,
ଧର୍ମ ସଂସ୍ଥାପନ କରିଗଲ ପରା
ଅଧରରେ ହାସ ଭରି ।
କେତେ ଅପବାଦ, ଲାଞ୍ଛନା ସହିଛ
କହିଲେ ସରିବ ନାହିଁ,
ଦୂତ ସାଜି ଗଲ ହସ୍ତିନାପୁରକୁ
ଶାନ୍ତିର ପ୍ରତିଷ୍ଠା ପାଇଁ ।
କଉରବ ପତି ବାସ ହରିଲା ମୋ
ଯେ ବେଳେ ସଭାରେ ନାଥ,
ତ୍ରାହି କୃଷ୍ଣ ବୋଲି ଉଚ୍ଚାରଣ ମାତ୍ରେ
ତୋଳି ଦେଲ କୋଟି ବସ୍ତ୍ର ।
ତୁମ ଅଙ୍ଗୁଳିର କ୍ଷତ ଦେଖି ଦିନେ
ଅତୀବ ଅଧୀରା ହୋଇ,
ପଣତ ଚିରି ମୋ ବାନ୍ଧିଥିଲି ସତେ
ଭୁଲି ନାହଁ ପ୍ରଭୁ ହୋଇ ।
କେତେ ଦୁଷ୍ଟ ନାଶି ଧରଣୀ ଉଶ୍ୱାସ
କରିଅଛ ମହାବାହୁ,
ପାଣ୍ଡବଙ୍କୁ ସର୍ବ ସଙ୍କଟୁ ରଖିଛ
ନୁହେଁ କେ ରଖନ୍ତା ଆଉ ।
ତୁମ ଦୁରୁଦଶା କାଳରେ କେମିତି
ଦୂରେଇ ରହିବି କୁହ,
ହାତରେ ଆଉଁଶି, ଲହୁ ପୋଛିଦେବି
ଆଖିରୁ ନିଗାଡ଼ି ଲୁହ ।
ମନା କରନା ହେ ମୋହନ, ମୁରାରି
ହସି ଲୁଚାଅନା ବ୍ୟଥା,
ବାହୁଡ଼ିବ ଏବେ ତୁମରି ଧାମକୁ
ଜାଣେ, ନୁଆଉଁଛି ମଥା ।
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ