କ୍ଷୁଦ୍ରଗଳ୍ପ - ଭୂତ - ଗଗନ ବିହାରୀ ନାୟକ

0

ତଣ୍ଟି ଚିପି ମାରୁଥିବା ଭୂତ କଥା ଶୁଣି ଟିକେ ଡରି ଯାଇଥିଲା ବିଜନ । ଭୂତକୁ ସେ ଡରେନି ସତ, ହେଲେ ସବାର ହୋଇ ମାରିଦେବା କଥା ଶୁଣି ଶଙ୍କି ଗଲା । ସଚେତନ ଅବସ୍ଥାରେ ଗଳା ଚିପି ମାରିଦେବା କଥା... ଟିକେ ଅଡ଼ୁଆ ଲାଗୁଥିଲା । ଭୂତ ଦେଖିବାକୁ ସେ ନିର୍ଜନ ରାତିରେ ଯାଆ ଆସ କରିଛି, ହେଲେ ଭୂତ ଦେଖିନି । କେତେବେଳେ କେମିତି ପଥଚାରୀ ମଣିଷଙ୍କୁ କଳା ମିଟିମିଟି ଅନ୍ଧାର ରାତିରେ ଦେଖି ଭୂତ ଭାବି ଚମକି ପଡ଼ିଛି । ସେଇଦିନରୁ ଭାବିଛି ଭୂତ ନାହାନ୍ତି । କିଏ ଜାଣେ ରାତି କଥା...।

ଚେତନ, ଅବଚେତନ ସମୟରେ ଲୋକକୁ ଭୂତ ଗ୍ରାସି ପାରେ, ହେଲେ ସଚେତନ ଲୋକଙ୍କୁ କେବେ ତ ନୁହେଁ । ଠିକ୍ ଏଇ ସମୟରେ କାଗଜ ଖଣ୍ଡିଏ ବଢେଇ ଦେଇ ଦାସିଆ ମଉସା କହୁଥିଲା- ମୋତେ ଭଡ଼ା ଘରଟିଏ ଦେବାକୁ ଟିକିଏ ମୋ ଅଫିସର ପାଖକୁ ଇଂରାଜୀରେ ଲେଖି ଦେଲ ବାପା । ବିଜନ କହିଲା, କେତେ ଲେଖିବ ତୁମର ସେ ଅଫିସର ପାଖକୁ । ଲୋକଟା କେବେ ଶୁଣିବାକୁ ପ୍ରସ୍ତୁତ ନୁହେଁ । ଖନେଇଁ ଖନେଇଁ ବିଜନ ଜେଜେମା କହୁଥିଲେ, କେମିତି ଭୂତଟାଏ ସେ । ବିଜନ ଏଠାରେ ଜାଣି ପାରିଲା, ସଚେତନ ଅବସ୍ଥାରେ ଯେଉଁମାନେ ଲୋକଙ୍କୁ ଭୂତ ଭଳି ହଇରାଣ କରନ୍ତି ସେମାନେ ତେବେ ଏଇ ଭଳି ତଣ୍ଟିଚିପା ଭୂତ । ସହରରେ ସରକାରୀ ସଂସ୍ଥାର ଏତେ ଘର ଖାଲି ରହୁଛି ଯେ, ତା'କୁ ଅଧିକାରୀ ଅନ୍ୟ ବିଭାଗକୁ ଦେବାପାଇଁ ବିଜ୍ଞାପନ ପ୍ରଚାର କରି ଦେଉ ନାହାଁନ୍ତି । ଅଥଚ କୋଟି କୋଟି ଟଙ୍କାର ରାଜସ୍ଵ କ୍ଷତି କରି ଚାଲିଛନ୍ତି । ଏଣେ ଭଡ଼ା ଘରଟିଏ ପାଇଁ ଦାସିଆ ମଉସା ତା ଅଧିକାରୀକୁ କେତେ ନେହୁରା ହୋଇ ବି ମିଳୁନି ।  

କିଛି ଦିନପରେ... ଦାସିଆ ମଉସା ଶୁଣିଲା, କୁଆଡେ ଭୂତକୋଠି ଭଳି ଠିଆ ହୋଇଥିବା ସେଇ ଖାଲି ଘର ଗୁଡ଼ିକରେ ସଞ୍ଜ ନଇଁଗଲା ପରେ କଲୋନୀର କିଛି ଲୋକ ମିଶି ଆରମ୍ଭ କରି ଦିଅନ୍ତି ବ୍ରାଉନ ସୁଗାର, ହେରୋଇନ ଓ ଗଞ୍ଜେଇ ଧୁନୀ । ତାଙ୍କ ସହିତ ମିଶିଯାଏ ଅଧିକାରୀଙ୍କ ଏକମାତ୍ର ପୁଅ ରିତିକ । ରାତି ଶୋଇଗଲା ପରେ ଭୁତକୋଠିର ବାଦଶାହା ହୋଇ ନିଜେ ଅଧିକାରୀଙ୍କ ପୁଅ ସହିତ ଲୁଚି ଲୁଚି  କିଛି ସମୟ ନିଶାରେ ଝୁମିବାକୁ ଆସନ୍ତି ଆଭିଜାତ୍ୟ ସମ୍ପନ୍ନ ସୁନ୍ଦରୀ ଝିଅ ମାନେ । ନୀଳ ଜହରରେ ନୀଳନୟନା ମାନଙ୍କ ସହିତ ରିତକ ର ଚାଲେ ଅସାମାଜିକ କାର୍ଯ୍ୟ କଳାପ । ଠିକ୍ ଯେମିତି ଅଶରିରୀ ମାନଙ୍କର ମହାମିଳନ ଆଡ୍ଡାସ୍ଥଳୀ ।

ବିଜନ ଗାଲରେ ହାତ ଦେଇ ଭାବୁଥିଲେ ଭୂତମାନଙ୍କ କଥା...। ଯେଉଁମାନେ ବେଶ ଶିକ୍ଷିତ ସେଇମାନେ ସମାଜର ଜଣେ ଜଣେ ଭୂତ । ଆଉ ଭୂତ ଭଳି ତଣ୍ଟି ଚିପା କାମରେ ଧୁରନ୍ଧର । ଘର ଖାଲି ଥାଇ ଦାସିଆ ମଉସା ଭଳି ଜଣେ ସଚ୍ଚୋଟ ଲୋକକୁ ଆଜି ଘରଟିଏ ମିଳୁନି, ଅଥଚ ଘର ଗୁଡାକ ଅସାମାଜିକ ଲୋକଙ୍କ ଦ୍ଵାରା କରାୟତ ହୋଇ ଅସାଧୁ କାମରେ ବ୍ୟବହାର କରା ଯାଉଛି । ସମାଜ ଆମର କଣ ସତରେ ସଭ୍ୟମୁକ୍ତ ! ଆଉ ଶିକ୍ଷିତ ଲୋକେ କଣ ମଣିଷରୁ ପାଲଟି ଗଲେଣି ଭୂତ !! ସେଇମାନେ ସଚେତନ ଲୋକଙ୍କ ତଣ୍ଟି ଚିପି ମାରିଥାନ୍ତି । ଦାସିଆ ମଉସାଙ୍କ ଗଳାରେ ପଡ଼ିଥିବା ରୁଦ୍ରାକ୍ଷମାଳକୁ ଚାହିଁ ରହିଥିଲେ ବିଜନ, ଆଉ ଦେଖୁଥିଲେ ଯେମିତି ମଉସାଙ୍କ ଚାରିପଟେ ଘୁରି ବୁଲୁଥିବା ଭୂତମାନଙ୍କ ବିକଟାଳ ରୂପ ଭିତରେ ଅଛନ୍ତି ତାଙ୍କ ଅଧିକାରୀ । ସେଇ ଅଧିକାରୀ ଓ ତାଙ୍କ ଗେଲବସର ପୁଅ ସହିତ ମିଶି ସଭ୍ୟ ଶିକ୍ଷିତ ସମାଜକୁ ତାଙ୍କ ମୁନିଆଁ ଦାନ୍ତ ଓ ବଡ ବଡ ନଖରେ ଭାଙ୍ଗି ଚୂରମାର କରୁଛନ୍ତି । ନିରୀହ ଝିଅମାନଙ୍କୁ ଶିକାର କରି ଚାଲିଛନ୍ତି । ଦାସିଆ ମଉସା ଗୋଟିଏ ସିଲଭର ଥାଳି ଧରି ଭିକାରୀ ଭଳି ମାଗୁଛନ୍ତି ଭୂତ ମାନଙ୍କୁ ନ୍ୟାୟ ଓ ନ୍ୟାର୍ଯ୍ୟ ଅଧିକାର... ।

ଅଚେତନ, ଅବଚେତନକୁ ଛାଡ଼ି ସଚେତନ ମାନଙ୍କୁ ଭୂତମାନେ ହଇରାଣ କରିବା କଥା ସେ ସେଇଦିନ ବୁଝି ପାରିଥିଲା ଓ କୋଟି କୋଟି ସରକାର ରାଜସ୍ଵକୁ କ୍ଷତିରେ ପହଞ୍ଚାଉଥିବା ଲୋକେ ଯେ, ଭୂତ ଠାରୁ ଅଧିକ ମାରାତ୍ମକ ତାହା ଅବୁଝା ନଥିଲା । ଅଧିକାରୀଙ୍କ ପୁଅ ରିତିକ ବି ମଣିଷରୁ ଭୂତ ପାଲଟି ଯାଇଥିଲା... । ସେହି ଭୂତମାନେ ଟୁପୁରୁ ଟାପୁରୁ କଥା ହୋଇ କହୁଥିଲେ ସେ ଗୋଟିଏ ଏଡ଼ସ ରୋଗୀ ବୋଲି...।

ପ୍ଲଟ - ୫୦୩, ମଞ୍ଚେଶ୍ୱର, ଭୁବନେଶ୍ଵର
ଦୂରଭାଷ - ୭୨୦୫୨୯୩୮୫୭

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ