ଅତିକ୍ରାନ୍ତ ଭରା ରାତି
ବୟସର ଫାଙ୍କେ କେତେ ଛବି ଆଙ୍କେ
ମିଳନର ମଧୁପ୍ରୀତି ॥
ଛିନ୍ନ ପୃଷ୍ଠାର ବୟସରେ ସିନା
ହଜିଛି ଜୀବନ ରଙ୍ଗ
ଜୀବନ ମରୁରେ ପ୍ରୀତି ସବୁଜିମା
କରିଅଛି ମୋହ ଭଙ୍ଗ ॥
ବିଦଗ୍ଧ ହୃଦୟେ ଭଗ୍ନ ପ୍ରାଣରେ
ମଗ୍ନ ମାଟିର ଛାପ
ଆଶାବରୀ ସୁର ନିଃସଙ୍ଗ ମହ୍ଲାର
ଦହନ ଜ୍ଵାଳାର ତାପ ॥
ତୁମ ଅଙ୍ଗରାଗ ସ୍ଵପ୍ନ ସୁରଭି
ପବିତ୍ର ପୀୟୂଷ ବୋଳା
ପ୍ରୀତି ଅନୁରାଗେ ସଦା ଉନ୍ମୁକ୍ତ
ବାହୁର ଏ ବନ୍ଦୀଶାଳା ॥
ସବୁଜ ସ୍ଵପ୍ନେ ଅଳସୀ ନିମଗ୍ନା
ତମାଳ ରଙ୍ଗର ରାତି
ଅନ୍ଧାର କି ଜାଣେ ରାତିର ଠିକଣା
ଛାତିରେ ଅଜଣା ଭୀତି ॥
ହାସ୍ୟମୟୀ ଗୋ ମକରନ୍ଦ ହାସେ
ଦିଅ ପ୍ରୀତିସୁଧା ବୋଳି
ସ୍ମୃତିର ସାଇତା ପ୍ରଣୟର ଗୀତା
ପୀରତି ନୈବେଦ୍ୟ ତୋଳି ॥