କେମିତି ଯେ ଭଲପାଇଲି - ରମେଶ ଚନ୍ଦ୍ର ମିଶ୍ର

0

କେବେ କେମିତି ମୁଁ ଭଲପାଇଲି ଯେ
ତୁମକୁ ମୁଁ ଜାଣିନାହିଁ 
ତୁମ ବିନା ସହି ମୁହୂର୍ତ୍ତଟିଏ ବି
କିଆଁ ରହିପାରେ ନାହିଁ  ?

କୋଉ ଲଗନରେ ଆସିଲ ଗୋ ପ୍ରିୟା
ମୋ ମନ କୁଞ୍ଜତଳେ
ଦିନେ ନଦେଖିଲେ ଶୂନ୍ୟ ଉଦାସେ
ପରାଣ ମୋ ଝୁରି ମରେ
ସତ କହୁଚି ମୁଁ ତୁମ ବିନା ସଖି
କେମିତି ପାରିବି ଜୀଇଁ 
କେବେ କେମିତି ମୁଁ ଭଲପାଇଲି ଗୋ
ତୁମକୁ ମୁଁ ଜାଣିନାହିଁ  । 

ନୀଳ ଗଗନରେ ଜହ୍ନ ଭିତରେ
ଲୁଚକାଳି ତୁମେ ଖେଳ 
ସାଗର ଢେଉରେ, ବାଲୁକା ଶେଯରେ
ରଚିଥାଅ ଅଭିସାର
ସବୁଜ ବନର ଶ୍ୟାମଳିମା ଫାଙ୍କେ
ରହିଥାଅ ମୋତେ ଚାହିଁ 
କେବେ କେମିତି ମୁଁ ଭଲପାଇଲି ଗୋ
ତୁମକୁ ମୁଁ ଜାଣିନାହିଁ । 

ଏଡିକି ଚଗଲି ଏମିତି ଅଝଟ 
କରିଥାଅ କିଆଁ ସତେ
ଥାନ ଅଥାନ କି ବେଳ ଅବେଳକୁ 
ଭାବ ନାହିଁ କେବେ ଚିତ୍ତେ 
ଜହ୍ନରୁ ଜୋଚ୍ଛନା ଶବ୍ଦରୁ ମଧୁ
ଯିଦ୍ କର ଦେବାପାଇଁ 
କେବେ କେମିତି ମୁଁ ଭଲପାଇଲି ଗୋ
ତୁମକୁ ମୁଁ ଜାଣିନାହିଁ  । 

ନୀଳପରୀ ତୁମ ପ୍ରେମର ମଦିରା
ପାଗଳ କରିଛି ମୋତେ
ମୋ ସାଥିରେ ଚଢି ପକ୍ଷୀରାଜ ଘୋଡା 
ଘୂରୁଛ ଆକାଶ ପଥେ  
ତୁମରି ପ୍ରେମରେ ଭୁଲିଛି ନିଜକୁ
ତିଳେ ବି ଶୋଚନା ନାହିଁ 
କେବେ କେମିତି ମୁଁ ଭଲପାଇଲି ଗୋ
ତୁମକୁ ମୁଁ ଜାଣିନାହିଁ  ।

ଶବ୍ଦର ଯାଦୁ କାଉଁରୀ ପରଶେ
କାଳିସୀ ମୋ ଦେହେ ଲାଗେ
ଶବ୍ଦକୁ ଯେବେ ବନ୍ଦୀ ମୁଁ କରେ
ଏ ମୋର କଲମ ଭାଗେ
ତୃପ୍ତ ମନରେ ଚୁମ ମୋ କପାଳ
ମନଖୋଲା ହସ ସହି !
କେବେ କେମିତି ମୁଁ ଭଲପାଇଲି ଗୋ
ତୁମକୁ ମୁଁ ଜାଣିନାହିଁ  ।

ତାପସ କୁଟୀର, ବଇଣ୍ଡା, ଅନୁଗୋଳ 
ମୋ- ୯୪୩୮୪୮୧୧୩୬ 

Post a Comment

0Comments
Post a Comment (0)