ମିଛେ କରୁ ଅଭିମାନ
ଧନ ଗର୍ବ ଅହଙ୍କାର ରହିବ କି ସବୁଦିନ ?॥୦॥
ଦାରା ସୁତ ସୁତା ବିତ୍ତ
କେହି ନଯିବେ ସଙ୍ଗତ
ଗଲାବେଳେ ଯିବୁ ଏକା ନଯିବେ ଆତ୍ମୀୟ ଜନ ॥୧॥
ଗ୍ରାମ କୁଡ଼ିଆରୁ ଯାଇ
ସହରୀ ହୋଇଲୁ ତୁହି
ସତ୍ୟମାର୍ଗ ଭୁଲିଯାଇ କଲୁ ଧନ ଅରଜନ ॥୨॥
ମିଛ ଅନ୍ୟାୟ ଅନୀତି
ଦୁର୍ନୀତିକୁ କଲୁ ସାଥୀ
ପ୍ରାଚୁର୍ଯ୍ୟ ଭୋଗ ଲାଳସା କ୍ଷଣିକ ସୁଖରେ ମନ ॥୩॥
ନିଜକୁ ମଣିଲୁ ଶ୍ରେଷ୍ଠ
ମନରେ ଛନ୍ଦ କପଟ
ମତ୍ତ ଗର୍ବେ ଭୁଲିଗଲୁ ସର୍ବଶ୍ରେଷ୍ଠ ଭଗବାନ ॥୪॥
ସମୟ ହିଁ ବଳବାନ
ନରହିବ ଧନଜନ
ବେଳ ଥାଉ ମୂଢ ମନ ଦୃଢେ ଭଜ ନାରାୟଣ ॥୫॥
ଅଗତି ଗତି ଦାୟକ
ସେ ପ୍ରଭୁ ବିଶ୍ଵ ନାୟକ
ପାପ ପଙ୍କୁ ହେବୁ ପାରି ଅରଜିଲେ ଧର୍ମ ଧନ ॥୬॥