ପ୍ରବନ୍ଧ - ଘରକଥା - ରବିନ ଖଣ୍ଡାୟତରାୟ

0

ଘରକଥା ଆଜିକାଲି ବେଶି ବାହାରେ ଆଲୋଚନା ହେଉଛି । ଯାହାର ଶେଷ ପରିଣତି ଏମିତି ହେଉଛି ଯେ, ଝିମିଟି ଖେଳରୁ ମହାଭାରତ ପରି, ସାମାନ୍ୟ କଳିରୁ ପୁରା ପରିବାର ତଳିତଳାନ୍ତ ହେଇଯାଉଛି । ଏମିତି ହେବାର କାରଣ, ବୋଧହୁଏ ଆମ ଭିତରେ ଏକତା କମିଯାଇଛି । ସ୍ନେହ, ମମତା କମିଯାଇଛି ଆଉ ବିଶ୍ୱାସ ହଜିଯାଇଛି । ଆଉ ଆମେ ଏମିତି ଏକ ସମୟରେ ପହଞ୍ଚିଯାଇଛେ, ଯେତେବେଳେ କି ନିଜ ଘରକଥା ବୁଝିବାକୁ ଆମପାଖରେ ସମୟ ନାହିଁ । ଏକାଠି ବସି ସୁଖ-ଦୁଃଖ କଥା ପଦେ ହେବାକୁ କାହାକୁ ତର ନାହିଁ । ଭଜନ ଆଉ ଭୋଜନ ଏକାଠି ନ ହେବାରୁ ଆଜି ଆମ ଘରେ ବିଭାଜନ ଦେଖାଦେଇଛି । ଗୃହସ୍ଥ ରୂପକ ଶଗଡ଼ରେ ପତି-ପତ୍ନୀ ଦୁଇଟି ଚକ, କେହି କାହାଠାରୁ ବିଚ୍ଛିନ୍ନ ହେଲେ ଶଗଡ଼ ଚାଲିପାରିବ ନାହିଁ । ଉଭୟ ମିତ୍ର, ସଖା, ସହୋଦର ସଦୃଶ । ପରସ୍ପର ପରସ୍ପରକୁ ବୁଝିବା ଦରକାର । ଆଉ ଏହି ସିଦ୍ଧାନ୍ତରେ ଉପନୀତ ହେବା ଦରକାର କି, ସଂସାରକୁ ଆମକୁ ଯିଏ ଆଣିଛନ୍ତି, ଅର୍ଥାତ ଆମ ବାପାମାଆ ଆଉ ଆମେ ଯାହାକୁ ସଂସାରକୁ ଆଣିଛୁ- ଆମ ପିଲାଛୁଆ; ସେମାନଙ୍କ କଥା ଭଲରେ ବୁଝିବା ଆମର ପରମ କର୍ତ୍ତବ୍ୟ । ଏହାସହିତ ଦେବତା, ଗୁରୁ, ବ୍ରାହ୍ମଣ ଆଉ ଅତିଥି ଏମାନଙ୍କ ସେବାରେ ମଧ୍ୟ ଗୃହସ୍ଥର ଅବଦାନ ଅତୁଳନୀୟ । ସବୁ ଦାୟୀତ୍ୱକୁ ସୂଚାରୁ ରୂପେ ସମ୍ପାଦନ କରିବା ଉତ୍ତମ ଗୃହସ୍ଥର ପରମ କର୍ତ୍ତବ୍ୟ । ଆମଘରେ ଧନସମ୍ପତ୍ତିର ଅଭାବ ନାହିଁ । ମଣିଷପଣିଆ ଘରର ସିନ୍ଦୁକ ବା ଟ୍ରେଜେରି, ଯାହାର ଧନସମ୍ପତ୍ତି  ହେଉଛି ସୁନ୍ଦର କଥା । ବ୍ୟବହାର ଘରର ଶୁଭକଳସୀ । ମହାଲକ୍ଷ୍ମୀ ଆମ ଘରର ଶାନ୍ତି । ପଇସା ଘରର ଅତିଥି । ମମତା ଘରର ଏକତା । ବ୍ୟବସ୍ଥା ଘରର ଶୋଭା ଆଉ ସମାଧାନ ଆମ ଘରର ପ୍ରକୃତ ସୁଖ । ହେଲେ ଏସବୁ ସାମୁହିକ ବ୍ୟବସ୍ଥାକୁ ପଛକୁ ପକାଇ ଆମେ ଏମିତି ଅବ୍ୟବସ୍ଥା ଭିତରେ ଫସିଯାଇଛୁ ଯେ, ସେଥିରୁ ମୁକୁଳିବାର ବାଟ ପାଉନାହୁଁ ! କିନ୍ତୁ ବାଟ ବନ୍ଦ ନାହିଁ । ଖୋଲା ବାଟକୁ ଖୋଜିବାକୁ ପଡ଼ିବ । ଅବ୍ୟବସ୍ଥାକୁ ବ୍ୟବସ୍ଥାରେ ପରିଣତ କରିବାକୁ ପଡ଼ିବ, ଯାହାର ପ୍ରୟାସ ଆମଘରୁ ଆଗ ଆରମ୍ଭ ହେବାକୁ ଘରକଥାର ଆଲୋଚନା ।
  
ଆଜି ଆମଘରେ କାହା କଥା କାହା ଦେହରେ ଯାଉନାହିଁ । ରାଗ ଫଣଫଣ ମୁହଁକୁ ଟାଇଁଟାଇଁ କଥା, ସତେ ଯେମିତି କାନମୁଣ୍ଡାରେ ପଥର ପରି ମାଡ଼ ହେଉଛି । କାଇଁ ! ଆମଘର ତ ବହୁତ ବଡ଼, ଯାହାକୁ ଭଲରେ ସଜେଇଛେ,  ଦାମିକିଆ ଶୋଫା ପକାଇଛେ । ଆଉ ନିଜେ ନାମିଦାମୀ ପୋଷାକ ପିନ୍ଧୁଛେ, ବନ୍ଧୁ ଘରକୁ ଦାମିକିଆ ମିଠା ନେଉଛେ, ବାହାଘର ବ୍ରତଘରେ ଦାମିକିଆ ଉପହାର ଦେଉଛେ ! ତଥାପି ଦାମିକିଆ କଥା କାହିଁକି ପାଟିରୁ ବାହାରୁ ନାହିଁ । କାରଣ ଆମଘରେ ଉତ୍ତମ ବ୍ୟବହାରର ଶୁଭ କଳସୀ ବସିବା ପରିବର୍ତ୍ତେ ବସିଛି ମାଟି, ପିତଳ କି ତମ୍ବା କଳସୀ ! ଯେଉଁଥିରେ ଗଙ୍ଗାଜଳ ଢଳାଯାଇଛି ଆଉ ଆମ୍ବଡାଳ ଉପରେ ନଡିଆ ଥୁଆ ହୋଇ ଘରର ମୁଖ୍ୟ ଦରଜା ନିକଟରେ ସ୍ଥାପନା ହୋଇଛି । ସମୟ ଅନୁସାରେ ଜଳ, ଡାଳ ଆଉ ଆବଶ୍ୟକ ହେଲେ ଢାଳ ବଦଳୁଛି କିନ୍ତୁ ସବୁର ମୂଳ ଆମ ବ୍ୟବହାର ବଦଳୁ ନାହିଁ । ଆଗ ତାକୁ ବଦଳାଇ, ପ୍ରତି ସଦସ୍ୟଙ୍କ ମନକୁ ମାର୍ଜିତ କରିବା ଆବଶ୍ୟକ । ତେବେ ଆମଘର ସ୍ୱର୍ଗସମ ହୋଇପାରିବ । ଆଜି ଆମଘରେ ସିନ୍ଦୁକ ନାହିଁ, ଟ୍ରେଜେରୀ ଅଛି ଆଉ ବ୍ୟାଙ୍କ୍‌ରେ ଲକର ଅଛି ଧନକୁ ସୁରକ୍ଷା ଦେବାପାଇଁ । ଧାତବ ଧନକୁ ସୁରକ୍ଷା ଦେବାକୁ ଏତେ ସବୁ ବ୍ୟବସ୍ଥା । ପୁଣି ବ୍ୟାଙ୍କ୍‌, ଲକର୍‌ର ଗଚ୍ଛିତ ଧନ କିଛି ଉଣା ହୋଇଗଲେ, ତାକୁ ବଢ଼ାଇବାକୁ ପ୍ରଚେଷ୍ଟା, ହେଲେ ହୃଦୟ ବ୍ୟାଙ୍କ୍‌ରେ ଥିବା ମଣିଷପଣିଆ ରୂପକ ଟ୍ରେଜେରୀରେ ସୁମଧୁର ବାକ୍ୟ ରୂପକ ଧନଟି ଦିନକୁ ଦିନ କମିଯାଉଥିଲେ ମଧ୍ୟ ତାକୁ ବଢ଼ାଇବାକୁ ଆମର ପ୍ରୟାସ ନଥିବା ପରି ମନେହେଉଛି । ଯଦି ଥାଆନ୍ତା ତେବେ ମୁଖାପିନ୍ଧା ମଣିଷମାନଙ୍କ ସଂଖ୍ୟା କ’ଣ ଦିନକୁ ଦିନ ଏମିତି ହୁହୁ ହୋଇ ବଢ଼ୁଥାଆନ୍ତା । ସଚେତନ ହେବା, ସଜାଗ ହେବା ଆଉ ସର୍ବୋପରି ମଣିଷ ହେବା ବର୍ତ୍ତମାନ ସମୟର ବଡ଼ ଆହ୍ୱାନ ।

ଆଜି ସମ୍ପତ୍ତି ତାଲିକା ଦେଲା ବେଳକୁ ଦେଖାଯାଉଛି, କାହାର କେତେ ଜମିବାଡ଼ି, ଘରଦ୍ୱାର ଆଉ ଗାଡ଼ିଘୋଡ଼ା ଅଛି । କିନ୍ତୁ କିଏ କେତେ ଭଲକଥା କହି କେତେ ଲୋକଙ୍କ ମନରେ ଆନନ୍ଦ ଦେଉଛି, ସେ ସବୁ ଏ ହିସାବ ଖାତାରେ ନାହିଁ । ଯଦିଓ ତା’ର ହିସାବ ଖାତା ଅଲଗା । ଯିଏ ଜାଣିଛନ୍ତି, ସିଏ ସେ ଖାତାରେ ପୁଞ୍ଜି ବଢ଼ାଉଛନ୍ତି । ସମସ୍ତଙ୍କୁ ଭଗବାନ ଭଲକଥା କହିପାରିବାର ଅଧିକାର ଦେଇଛନ୍ତି । ଯାହାପାଇଁ କୌଣସି ଅର୍ଥଦେବାକୁ ପଡ଼େ ନାହିଁ, କିନ୍ତୁ ଆଜିକାଲି ଫଳ ଓଲଟା । ବିନାମୂଲ୍ୟରେ ଭଲକଥା କହିବାକୁ ଆମକୁ ଭଲଲାଗୁନି କିନ୍ତୁ ପଇସା ଖର୍ଚ୍ଚ କରି ଗୁଲିଗପ କରିବାପାଇଁ ରାତିଅଧରେ ଫୋନ୍ କରି ଜଣଙ୍କର ନିଦ ହଜେଇ ଦେବାକୁ ଆଉ ସାମାନ୍ୟ କଥାକୁ ପର୍ବତ ପ୍ରମାଣ ସଜେଇ ଗାଳି କରି କାହାମନରେ ଦୁଃଖ ଦେବାକୁ ଆମକୁ ଭଲଲାଗୁଛି । ଏମିତି ଅର୍ଥ ଆଉ ଅନର୍ଥର ମୂଳରେ ଥିବା କଥାର ଗୁରୁତ୍ୱକୁ ବୁଝିବା ଆବଶ୍ୟକ । କାରଣ ସେହି କଥା କେବେ ଅମୃତ ହୋଇ କାହାକୁ ପୁଣ୍ୟପଥର ପଥିକ କରେ ତ କେବେ ପୁଣି ବିଷ ହୋଇ କାହାକୁ ପାପ ପଙ୍କକୁ ଠେଲି ଦେଇଥାଏ । ସାବଧାନ ହେବା ଆଉ କାହାକୁ ଧରିବା, କାହାକୁ ଛାଡ଼ିବା ଅବଶ୍ୟ ଚିନ୍ତନ କରି ଆଗକୁ ଆଗେଇବା । 

ଆଗରୁ ଆମ ଘରର ସୁନ୍ଦର ବ୍ୟବସ୍ଥା ଘରର ଶୋଭାବର୍ଦ୍ଧନ କରୁଥିଲା । ବିଧି ବ୍ୟବସ୍ଥା ଭିତରେ ସମସ୍ତେ ସମସ୍ତଙ୍କ କାର୍ଯ୍ୟଧାରା ପ୍ରତି ସଚେତନ ଥିଲେ । ପୁଅ ବାପା କଥାରେ, ସ୍ତ୍ରୀ ସ୍ୱାମୀ କଥାରେ ଆଉ ପରିବାର ଘରର ମୁଖିଆଙ୍କ କଥାରେ ପରିଚାଳିତ ହେଉଥିଲା । ମମତାର ରଜ୍ଜୁରେ ସେ ସମସ୍ତଙ୍କୁ ବାନ୍ଧି ରଖୁଥିଲେ । ଆଉ ଅଭିଜ୍ଞତା ଆଧାରରେ, ସକଳ ସମସ୍ୟାର ସମାଧାନ କରିପାରୁଥିଲେ । ଏବେ ଆମ ଘର ଅଗଣା ସଜା ହେଉଛି ନାନା ଜାତି ଫୁଲ କୁଣ୍ଡରେ ଆଉ ଘର ଭିତର ସଜା ହେଉଛି ଦାମୀ ଆସବାପତ୍ରରେ କିନ୍ତୁ ଅନ୍ତର ସଫା ନାହିଁ, ସୁନ୍ଦର ନାହିଁ କି ସୁସଜ୍ଜିତ ନାହିଁ । ସାବୁନ୍‌ରେ ଶରୀର ଆଉ ଲୁଗାପଟା ସର୍ଫରେ ସଫା ହେଉଛି, ହେଲେ ସଦ୍‌ଗୁଣ ରୂପକ ସାବୁନ୍‌ରେ ଅନ୍ତର ସଫା ହେଉନାହିଁ । ଆଜି ଇନ୍ଦ୍ରିୟ ସୁନ୍ଦର ବସ୍ତୁର ବ୍ୟବହାର ବଢ଼ିଯାଇଛି, ହେଲେ ମନଜିଣା ସୁନ୍ଦର ବ୍ୟବହାର ବଢ଼ିନାହିଁ । ପ୍ଲାଷ୍ଟିକ୍ ଫୁଲରେ ଘର ସଜା ଯାଉଛି, ହେଲେ ମନ ଫୁଲ ଯତ୍ନ ଅଭାବରୁ ମଉଳି ଯାଉଛି । ଘର ବୁଢି଼ଆଣି ବସାକୁ ଫୁଲଝାଡ଼ୁ ଝାଡ଼ିଦେଉଥିବା ବେଳେ ମନରେ କାମନା ବାସନାର ଅଳିଆ ଭରିଯାଉଛି । ଶେଷରେ, ଆଉ ଘରକଥା ବେଶୀ ଆଗକୁ ନନେଇ ବରଂ ଭଲ ହେବ ଯେବେ ବାସଘର ଆଉ ବସାଘର ଉଭୟଙ୍କୁ ସଜାଡ଼ିବାକୁ ପ୍ରୟାସ କରିବା । ସଫଳ ହେଲେ ସୁଫଳ ଆପଣ ପାଇବେ, ଆଶା ନିବେଦନ ନିଶ୍ଚୟ ରଖିବେ ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ