ଚମ୍ପି ଆଈ ଜୋଇଁ ଅଫିସର - ବି.ନିରୁପମା

2

ଚମ୍ପିଆଈ ମନ କୁଣ୍ଢେମୋଟ
ଝିଅ ଜୋଇଁ ସଙ୍ଗେ ହେବ ଭେଟ,
ଏତେଦିନ ପରେ ସହର ଯାଉଛି
ଅଛି ଆଉ ଜମା କିଛି ବାଟ ।
ଜୋଇଁ ତା'ର ବଡ଼ ଅଫିସର,
ସହରେ କରିଛି କୋଠାଘର,
ଝିଅ କହେ ସବୁ ଆଣି ସେ ଦିଅନ୍ତି
ଯେତେବେଳେ ଯାହା ଦରକାର ।

ଗାଆଁକୁ ଆସନ୍ତି ଯଦି କେବେ
ଅସୁବିଧା ତାଙ୍କୁ ହୁଏ ତେବେ,
ସବୁ ଅବାଗିଆ ଲାଗେ ତାଙ୍କୁ ଏଠି
କହନ୍ତି ସଅଳ ଫେରିଯିବେ ।
ମଣ୍ଡା, ଆରିସା ସେ ଖାଆନ୍ତିନି
ଚକୁଳି ଏଣ୍ଡୁରି ଛୁଅଁନ୍ତିନି,
ଏଗୁଡ଼ା କୁଆଡ଼େ ମଫସଲି ଖାଦ୍ୟ
ଖୋଜନ୍ତି ବ୍ରେଏଡ ଚାଓମିନ୍ ।

ସରାଗରେ ସାହି ଲୋକ ଆସି
ପଚାରନ୍ତି ଯଦି କିଛି ହସି,
କହନ୍ତି ସେ ମୋତେ ଡିଷ୍ଟର୍ବ କରନା
କହେନି ମୁଁ ଜମା କଥା ବେଶୀ ।
ଗାଆଁର ଚଳଣି ରୀତି-ନୀତି
ଦେଖି ସେ ଯାଆନ୍ତି ରାଗେ ତାତି,
କହନ୍ତି ଯେତେକ କୁସଂସ୍କାର ସବୁ
ଏ ଗାଉଁଲି ଲୋକ ଜାଣିଛନ୍ତି ।

ଶୁଣି ଜୋଇଁଙ୍କର ସେଇ କଥା
ହୁଏନି ଆଈର ମନେ ବ୍ୟଥା,
ପଚାରିଲେ କହେ, ଏଡ଼େ ଲୋକ ସିଏ
ଅଛି ଖାନଦାନୀ ସ୍ଵଭାଵଟା ।
ସହରରେ ଗାଡ଼ି ଅଟକିଲା
ଚମ୍ପିଆଈ ଏବେ ଓହ୍ଲାଇଲା,
ଚାଟ, ଘୁଗୁନି, ଚାଓମିନ୍ କିଣି
ଝିଅଘର ଆଡ଼େ ମୁହାଁଇଲା ।

ଜୋଇଁ ଦେଇଥିବା ଠିକଣାରେ
ମିଳିଲା ସେ ଏକ କୋଠାଘରେ,
ରାଲି, ରାଲି ବୋଲି ନାତୁଣୀକୁ ତା'ର
ଡାକ ପକାଇଲା ସରାଗରେ ।
ପାଟି ଶୁଣି ତା'ର ଦରୁଆନ
କହିଲା- "ହାଁ, ହାଁ ସାବଧାନ,
ଦିଶୁନି-ଏଇଟା ବିଦ୍ୟାଳୟ ପରା
ଛାତ୍ର କରୁଛନ୍ତି ଅଧ୍ୟୟନ !!"

କଅଣ କରିବ ଏବେ ଆଈ
ଏଇ ଠିକଣା ତ ଦେଲେ ଜୋଇଁ,
ଝିଅ ଜୋଇଁ ଫଟୋ ଦେଖାଇଲା କାଢ଼ି
ଆସିଥିଲା ଘରୁ ସାଥେ ନେଇ ।
ପଚାରିଲା ଯାଇ ୟାକୁ ତାକୁ
"ଚିହ୍ନିଛ କିଏ ସେ ଏ ବାବୁଙ୍କୁ ?"
ହସ ହସ ମୁହେଁ କହିଦେଲେ ଜଣେ
"ନିତି ମୁହିଁ ଦେଖେ ଏମାନଙ୍କୁ ।"

ତାଙ୍କଠୁଁ ଠିକଣା ବୁଝି ଆଈ
ତରତର ହୋଇ ଗଲା ଧାଇଁ,
ଦେଖିଲା ସେ ଦେବୀ ମନ୍ଦିର ଦୁଆରେ
ବସିଛନ୍ତି ତା'ର ଝିଅ ଜୋଇଁ ।
ହାତେ ଅଛି ତାଙ୍କ ଭିକ୍ଷା ଡବା
ପିନ୍ଧିଛନ୍ତି ଚିରା ଫଟା ଲୁଗା,
ଗେହ୍ଲି ନାତୁଣୀଟା ଦାଣ୍ଡେ ଗଡ଼ି ମାଗେ
"ଖାଇନି ମୁଁ କିଛି ଦିଅ ବାବା ।"

ଦେଖି ଝିଅ ଜୋଇଁ ରୂପ ଭେକ
ବଢ଼ିଗଲା ଆଈ ରକ୍ତଚାପ,
ମୁଣ୍ଡ ଘୂରିଗଲା-କଚାଡ଼ି ପଡ଼ିଲା
ପଚାରିଲା-"କିସ କଲ ବାପ !!
ପୋଡୁ ତୁମର ସେ ମୁହଁଟାଣ
ଏଇଟାକୁ କୁହ ବଡ଼ ପଣ,
ଲାଜ ନାହିଁ ଟିକେ ଭିକ ମାଗୁଅଛ
ବାପ, ମାଆ, ଛୁଆ ତିନିଜଣ !!

ହେଲ ତୁମେ ଏଡ଼େ ଅବିବେକ
ଜୀବନକୁ ତୁମ ଶତଧିକ,
ବୁଢ଼ୀ କାଳେ ମୋର ବିଶ୍ୱାସ ଭାଙ୍ଗିଲ
ଅକାରଣେ ଯାହା ଦେଲ ଦୁଃଖ ।
କର୍ମକୋଢ଼ି କିଏ ତୁମପରି
ଅରଜି ପାରୁନ କାମକରି,
ଝିଅ ଜୋଇଁ ଦେଖା ବହୁତ ହେଲା-ମୁଁ
ଗାଆଁକୁ ଯାଉଛି ଏବେ ଫେରି ।"

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ

Post a Comment

2Comments
  1. ବି ନିରୁପମାଙ୍କର କବିତାଟି କେବଳ ବ୍ୟଙ୍ଗାତ୍ମକ ନୁହେଁ, ବରଂ ଏଥିରେ ସମାଜପାଇଁ ଏକ ସୁନ୍ଦର ଶିକ୍ଷଣୀୟ ବାର୍ତ୍ତା ରହିଛି। କବୟିତ୍ରୀଙ୍କୁ ଧନ୍ୟବାଦ।

    ReplyDelete
  2. ବ୍ୟଙ୍ଗରେ ସଚେତନତା । ସୁନ୍ଦର ସୃଷ୍ଟି ।

    ReplyDelete
Post a Comment

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ